କାଳିଆପାଣି: ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାସ୍ କରି ଅଧାରୁ ପାଠ ଛାଡ଼ି ଦେଇଥିଲେ ୮ ଜଣ ଗରିବ ଆଦିବାସୀ ଛାତ୍ରଛାତ୍ରୀ। ଏମାନଙ୍କ ମଧ୍ୟରୁ ଅନେକ ବୁଲାବୁଲି କରୁଥିଲେ ଅଥବା ଘରୋଇ କାମରେ ସହଯୋଗ କରୁଥିଲେ। ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ଗରାମିଆଁ ଆଞ୍ଚଳିକ ହାଇସ୍କୁଲର ପ୍ରଧାନଶିକ୍ଷକ ତୁଳସୀ ପ୍ରସାଦ ମହାନ୍ତ ଏମାନଙ୍କୁ ସ୍କୁଲ ଫେରାଇ ଆଣିଛନ୍ତି। ୧୩ ଦିନ ଧରି ଏହି ପିଲାମାନେ ନିୟମିତ ସ୍କୁଲ ଆସୁଥିବା କହନ୍ତି ଅନ୍ୟ ସହପାଠୀ ଓ ସ୍କୁଲ କର୍ତ୍ତୃପକ୍ଷ। ଆଗାମୀ ଦିନରେ ଆଉ ୭ରୁ ୮ ଜଣ ଡ୍ରପ୍ଆଉଟ୍ ପିଲାଙ୍କୁ ସ୍କୁଲ ଫେରାଇ ଅଣାଯିବ ବୋଲି ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତ ଦୃଢ଼ୋକ୍ତି କରିଛନ୍ତି।
ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ। ଆଜିର ପିଲା ଆଗାମୀ ଦିନରେ ସମାଜର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନେବ। ଏଥି ପାଇଁ ଶିଶୁଙ୍କୁ ଉତ୍ତମ ପଦ୍ଧତିରେ ଗଢ଼ିବାର ଆବଶ୍ୟକତା ରହିଛି। ଭଲ ଶିକ୍ଷା ମିଳିଲେ ସେମାନେ ଏହାରି ମାଧ୍ୟମରେ ଆଗକୁ ବଢ଼ିପାରିବେ। ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହୋଇଥିବା ବେଳେ ଏହାକୁ ତୃଣମୂଳ ସ୍ତରରେ ସଠିକ୍ ଭାବେ ବିନିଯୋଗ କରିବାର ଆବଶ୍ୟକତା ରହିଛି।
ବିଶେଷକରି ସ୍କୁଲରୁ ୪ରୁ ସାଢ଼େ ୪ କିଲୋମିଟର ଦୂର ପନାସିଆ ଗାଁର ଏହି ପିଲାମାନଙ୍କୁ ଚାଲିଚାଲି ସ୍କୁଲ ଆସିବାକୁ ହୋଇଥାଏ। ଦୈନିକ ଆବଡ଼ାଖାବଡ଼ା ବାଟରେ ୯ କିଲୋମିଟର ଯାତାୟତ ପାଇଁ ଅଧିକାଂଶ ଛାତ୍ର କୁଣ୍ଠାବୋଧ କରିଥାନ୍ତି। ସେମାନେ ଗାଁରେ ରହି ନିଜ ପରିବାରର ଗୋରୁ ଓ ଛେଳି ଚରାଉଥିଲେ। ଆଉ କିଏ ଘରକାମ ସହ ବିଲବାଡ଼ିରେ କାମ କରୁଥିଲେ।
ଏକାଧିକ ପିଲା ସାହୁକାର ଘରେ ବଗାଳିଆ(ବାର୍ଷିକ ଚୁକ୍ତି ଭିତ୍ତିରେ ଚାକର) କିମ୍ବା ଗାଁ ପାଖ କୃଷିକ୍ଷେତ୍ରରେ ଶିଶୁ ଶ୍ରମିକ ଭାବେ ଖଟୁଥିଲେ। ଫୁରୁସତ ପାଇଲେ ପିଲାମାନେ ଏକାଠି ସାଥୀହୋଇ ବୁଲୁଥିଲେ। ସପ୍ତମ ଓ ଅଷ୍ଟମ ପାସ୍ କରିଥିଲେ ହେଁ ଓଡ଼ିଆ ଓ ଇଂରାଜୀ ବର୍ଣ୍ଣମାଳା ବି ଭୁଲି ଯାଇଥିଲେ। ଦ୍ବିତୀୟ ଶ୍ରେଣୀର ଗଣିତ କଷି ପାରୁନଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ମହେଶ୍ବର ସାହୁ ଓ ବିଇଓ ନାରାୟଣ ଦାସଙ୍କ ପରାମର୍ଶରେ ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତ ଏକାଧିକ ବାର ସଂପୃକ୍ତ ଅଭିଭାବକଙ୍କ ପାଖେ ପହଞ୍ଚି ସେମାନଙ୍କ ସହ ସରକାରୀ ଶିକ୍ଷା ବ୍ୟବସ୍ଥା ଓ ସୁବିଧା ସୁଯୋଗ ସଂପର୍କରେ ଆଲୋଚନା କରିଥିଲେ। ଏହାପରେ ପିଲାମାନଙ୍କୁ ମନାଇ ସ୍କୁଲମୁହାଁ କରାଇବା ସହଜ ହୋଇଥିଲା ବୋଲି ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତ କହନ୍ତି। ଏଥିରେ ସ୍ଥାନୀୟ ୨ ଯୁବ ସମାଜସେବୀ ସୁଶାନ୍ତ ଦେହୁରୀ ଓ ରସିକ ପୂର୍ତ୍ତି ସହଯୋଗ କରିଥିଲେ।
Education