ଯାଜପୁର: ଯାଜପୁରର ବିଂଝାରପୁର ଥାନା ଅନ୍ତର୍ଗତ ସିଂହପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଫୁଲ ତୋଳୁ ତୋଳୁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ଫୁଲ ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ୍ଘାତରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ରହିଛି। ମୃତକ ଜଣକ ହେଉଛନ୍ତି ଶୁକଦେବ ବେହେରା। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।
ଶୁକଦେବ ଆଜି ଭୋର୍ ସମୟରେ ଫୁଲ ତୋଳିବାକୁ ବାହାରକୁ ଯିବା ସମୟରେ ରାସ୍ତାରେ ପଡ଼ିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ସେହି ତାର ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ୍ଘାତ ହୋଇ ଘଟଣାସ୍ଥଳରେ ହିଁ ଶୁକଦେବଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଶୁକଦେବଙ୍କ ମୃତ୍ୟୁ ପରେ ବ୍ୟବଚ୍ଛେଦ ପାଇଁ ତାଙ୍କ ଶରୀରକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପାଇଁ ପଠାଯାଇଛି।
ଶୁକଦେବଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ବିଦ୍ୟୁତ୍ ବିଭାଗର ଯତ୍ନହୀନତା ହେତୁ ଏପରି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି।