ଯାଜପୁରସଦର/ସିଂହପୁର,ବିଂଝାରପୁର: ଯାଜପୁର ଜିଲ୍ଲାର ୪ ଟି ନିର୍ବାଚନୀ ମଣ୍ଡଳୀର ୯ଟି ସ୍ଥାନରେ ସାନି ମତଦାନ ଅନୁଷ୍ଠିତ ହୋଇଛି। ବିଂଝାରପୁର ନିର୍ବାଚନ ମଣ୍ଡଳୀର ଦୁଇଟି ବୁଥରେ ସାନି ମତଦାନ ହୋଇଥିବା ବେଳେ ୧୩୫ ନମ୍ବର ବୁଥ ଅଞ୍ଚଳରେ ନିର୍ବାଚନୀ ହିଂସା ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ କଲ୍ୟାଣପୁର ଗ୍ରାମର ରଂଜିତ ଦାସ(୩୮)। ତାଙ୍କ ମା ମୀନତିଙ୍କ ଅଭିଯୋଗ ଅନୁସାରେ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ୫୦ ରୁ ଊର୍ଧ୍ବ ଯୁବକ ରଣଜିତଙ୍କୁ ଘର ବାହାରକୁ ଡାକିଥିଲେ। ପରେ ସେମାନେ ରଣଜିତଙ୍କୁ ଧାରୁଆ ଅସ୍ତ୍ରରେ ମୁଣ୍ଡ ଏବଂ ହାତକୁ ଆକ୍ରମଣ କରିଥିଲେ। ରଣଜିତଙ୍କ ମା ଏହାର ବିରୋଧ କରିବାରୁ ତାଙ୍କୁ ଘର ଖୁଣ୍ଟରେ ବାନ୍ଧି ଦେଇ ପଳାଇ ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକ ରଂଜିତଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ରଂଜିତଙ୍କ ମା ଏନେଇ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ପକ୍ଷରୁ ମାମଲା ହୋଇନାହିଁ। ଏହି ବୁଥରେ ୧୨୯୮ ଭୋଟର ରହିଥିବା ବେଳେ ପୂର୍ବରୁ ୯୦୬ ଭୋଟ ପଡିଥିଲା। କିନ୍ତୁ ଏହି ସାନି ନିର୍ବାଚନରେ ୮୮୬ ଖଣ୍ଡ ଭୋଟ ପଡିଛି। ଏହି ପଞ୍ଚାୟତ ବିଜେପି ପ୍ରାର୍ଥିନୀ ବବିତା ମଲିକଙ୍କ ବାପା ଘର। ଏହି ବୁଥରେ ବ୍ୟାପକ ଅନିୟମିତତା ହୋଇଥିବା ବିଜେଡି ଅଭିଯୋଗ କରି ଏଠାରେ ସାନି ମତଦାନ ପାଇଁ ନିବେଦନ କରିଥିଲା। ଏହି ବୁଥରେ ମତଦାନ ସମୟରେ ଯାଜପୁର ସଦର ଥାନାଧିକାରୀ ଦୁଷ୍ମନ୍ତ ନାୟକଙ୍କ ସମେତ ବିଂଝାରପୁର ଥାନାଧିକାରୀ ଶିବ ଚରଣ ବେହେରା, କେନ୍ଦ୍ରୀୟ ସୁରକ୍ଷା ଫୋର୍ସ,୨ ପ୍ଲାଟୁନ ଫୋର୍ସ ପରିସ୍ଥିତି ଉପରେ ନିଜର ରଖିଥିଲେ।
Advertisment

Sambad is now on WhatsApp
Join and get latest news updates delivered to you via WhatsApp