ହାତୀଦାନ୍ତ ଓଡ଼ିଶାରୁ କୋଲକାତା ଚାଲାଣ : ବୈରୀ ବନାଞ୍ଚଳ ପାଲଟିଛି ଶିକାରୀଙ୍କ ଆଡ଼ାସ୍ଥଳୀ, ଦୁଇ ଶିକାରୀ କୋର୍ଟ ଚାଲାଣ, ୩ ଫେରାର

ଛତିଆ : ଓଡ଼ିଶାରୁ ବିଭିନ୍ନ ସମୟରେ ହାତୀଦାନ୍ତ, ବଜ୍ରକାପ୍ତା, ହରିଣ ଚମଡ଼ା, ଶିଙ୍ଗ ଆଦି କୋଲକାତା ଚାଲାଣ ବୈରୀ-ଡାଳିଯୋଡ଼ା ରେଞ୍ଜ ପାଲଟିଛି ଶିକାରୀଙ୍କ ଚରାଭୂଇଁ। କୋଲକାତା ଚାଲାଣ ବେଳେ ହାଉଡ଼ା ଷ୍ଟେସନରେ ଜିଆରପି ପୁଲିସ ହାତରେ ଧରାପଡ଼ିବା ପରେ ଏହା ସ୍ପଷ୍ଟ ହୋଇଛି। ୪ ତାରିଖ ଘଟଣା ପରେ ବନ ବିଭାଗ ଅଧିକାରୀ ତତ୍ପର ହୋଇପଡ଼ିଛନ୍ତି।

ସୂଚନା ଅନୁଯାୟୀ, ବୈରୀ–ଡାଳିଯୋଡା ରେଞ୍ଜ ଅଧୀନସ୍ଥ ପଶ୍ଚିମ ବଡଚଣାର ବିଭିନ୍ନ ଜଙ୍ଗଲରୁ ଶିକାରୀମାନେ ଅବାଧରେ ବନ୍ୟଜନ୍ତୁଙ୍କୁ ଶିକାର କରୁଛନ୍ତି। ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଶିକାରୀ ବେଧଡ଼କ ଭାବେ ଚମଡ଼ା, ହାତୀଦାନ୍ତ, ବଜ୍ରକାପ୍ତା ଓ ହରିଣ ଶିଙ୍ଗ ଚାଲାଣ କରୁଛନ୍ତି।

ଗତ ୪ ତାରିଖରେ ୫ଜଣ ଶିକାରୀ ହାତୀଦାନ୍ତ, ବଜ୍ରକାପ୍ତା କାତି ଓ ହରିଣ ଚମଡା ଓ ଶିଙ୍ଗ ନେଇ ଟ୍ରେନ ଯୋଗେ ଓଡିଶାରୁ କଲିକତା ଚାଲାଣ ପାଇ ଯାଉଥିବା ବେଳେ ହାୱଡା ଷ୍ଟେସନରେ ଜିଆରପି ପୁଲିସ ଦ୍ବାରା ଯାଞ୍ଚ‌ ବେଳେ ଧରାପଡିଥିଲା। ସେଠାରେ ଜିନିଷକୁ ଜବତ କରାଯାଇ ଜଙ୍ଗଲ ବିଭାଗକୁ ଖବର ଦିଆଯାଇଥିଲା। ଶିକାରୀ ବହୁ ଚତୁରତାର ସହ ଘଟଣାସ୍ଥଳରୁ ଖସି ପଳାଇ ଆସିବାରେ ସକ୍ଷମ ହୋଇଥିଲେ। ବହୁ ଖୋଳତାଡ ପରେ ଅଭିଯୁକ୍ତମାନେ ବୈରୀ ଥାନା ଅଞ୍ଚଳର ବୋଲି ଜଣାପଡିଥିଲା। ଜଙ୍ଗଲ ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାଡ଼୍ ତଦନ୍ତ କରିବା ପରେ ଅଭିଯୁକ୍ତମାନେ ଯାଜପୁର ଓ ଢେଙ୍କାନାଳ ଜିଲାର ବୋଲି ସ୍ପଷ୍ଟ ହୋଇଥିଲା। ସ୍କ୍ବାଡ଼୍ ବୈରୀ ଥାନା ଅଧୀନସ୍ଥ ଶାଳପଡା ଗ୍ରାମର ଧରଣୀଧର ପୃଷ୍ଟି ଓ ତିଳପଦା ଗ୍ରାମର ଅର୍ଜୁନ ମହାରଣାକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଅନ୍ୟ ୩ ଅଭିଯୁକ୍ତ ଫେରାର ଥିବା ବୈରୀ ଫରେଷ୍ଟର ପୀତବାସ ମହାପାତ୍ର ‘ସମ୍ବାଦ’କୁ କହିଛନ୍ତି। ଏହି ଚଢଉରେ ରେଞ୍ଜର ମନୋରଂଜନ ସ୍ବାଇଁ, ଚୌଦ୍ବାର ଫରେଷ୍ଟର ରବି ମହାନ୍ତି, ଚଣ୍ତିଖୋଲ ଫରେଷ୍ଟର ଶଶିକାନ୍ତ ବେହେରାଙ୍କ ସମେତ ସ୍ପେଶାଲ ସ୍ବାର୍ଡର କର୍ମଚାରୀ ସାମିଲ ଥିବା ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର