ଯାଜପୁର : ଏକ୍ସପ୍ରେସ ଚାଲୁଛି, ପାସେଞ୍ଜର୍‌ ନାହିଁ; ସମସ୍ୟାରେ ପଡ଼ିଛନ୍ତି ଶହଶହ ଶ୍ରମିକ

ଶ୍ରମିକ, କର୍ମଚାରୀଙ୍କ ଜୀବିକା ପ୍ରଭାବିତ

ଯାଜପୁର/ବ୍ୟାସନଗର : ଗତବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ବନ୍ଦ ହୋଇଯାଇଥିବା ଏହି ‌ଟ୍ରେନ୍‌ଗୁଡ଼ିକ ପାଇଁ ଭଦ୍ରକ, ଯାଜପୁର ଓ କଟକ ଜିଲ୍ଲାର ଲୋକମାନେ ଗମନାଗମନ କ୍ଷେତ୍ରରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି, ଟ୍ରେନ୍‌ରେ କଳିଙ୍ଗନଗରକୁ ଯାତାୟାତ କରୁଥିବା ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ପାଖାପାଖି ୧୦୦୦ ଶ୍ରମିକ ଟ୍ରେନ୍‌ରେ ଯାତାୟାତ କରୁଥିବା ଏକ ବେସରକାରୀ ତଥ୍ୟରୁ ଜଣାପଡ଼ିଛି। ଏବେ ଟ୍ରେନ୍‌ ଚଳାଚଳ ବନ୍ଦ ହେବାରୁ ସେମାନଙ୍କ ଜୀବନ,ଜୀବିକା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି।

ସୂଚନାଅନୁସାରେ, ପାସେଞ୍ଜର ଟ୍ରେନ୍‌ ଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଯାଜପୁର ସମେତ କଟକ, ଭୁବନେଶ୍ବରରେ କାମ କରୁଥିବା ଘରୋଇ ଓ ସରକାରୀ କର୍ମଚାରୀଙ୍କ ସହିତ ହଜାର ହଜାର ଶ୍ରମିକ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ ୬.୨୦ରେ ଭଦ୍ରକରୁ ବାହାରି କଟକ, ଭୁବନେଶ୍ବର ତଥା ବ୍ରହ୍ମପୁର ଯାଉଥିବା ମେମୁ ଟ୍ରେନ୍‌ରେ ଭଦ୍ରକ ଠାରୁ ଆରମ୍ଭ କରି ବାଉଦପୁର, କେନ୍ଦୁଆପଦା, ମଞ୍ଜୁରି, ବୈତରଣୀରୋଡ, କୋରେଇ, ଯାଜପୁରରୋଡ, ଯଖପୁରା, ଜେନାପୁର, ହରିଦାସପୁର, ଧାନମଣ୍ଡଳ ପ୍ରଭୃତି ସ୍ଥାନରୁ ସରକାରୀ ଓ ଘରୋଇ କର୍ମଚାରୀମାନେ ଯାତାୟାତ କରିଥାନ୍ତି। ଯାଜପୁରରୋଡରେ ସକାଳ ୭.୧୦ରେ ପହଞ୍ଚୁଥିବା ଏହି ଟ୍ରେନ୍‌ ଉପରେ ଶହଶହ ଶ୍ରମିକ ମଧ୍ୟ ନିର୍ଭର କରନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳ ସହିତ ବ୍ୟାସନଗର ଓ ଏହାର ଆଖପାଖ ଅଞ୍ଚଳକୁ କାମ ଅନ୍ବେଷଣରେ ଶ୍ରମିକମାନେ ଏହି ଟ୍ରେନ୍‌ରେ ଆସିଥାନ୍ତି। ଖଡ଼ଗପୁରରୁ ଖୋର୍ଦ୍ଧା ଯାଉଥିବା ଫାଷ୍ଟ ପାସେଞ୍ଜର ଉପରେ ମଧ୍ୟ ବହୁ କର୍ମଚାରୀ ନିର୍ଭର କରନ୍ତି। ସକାଳ ୯.୧୦ରେ ଯାଜପୁରରୋଡ ଅତିକ୍ରମ କରୁଥିବା ଏହି ଟ୍ରେନ୍‌ରେ ଭୁବନେଶ୍ବର ତଥା କଟକ ବଡ଼ ଡାକ୍ତରଖାନା ଯିବା ପାଇଁ ବହୁ ରୋଗୀ ଓ ତାଙ୍କ ପରିବାର ନିର୍ଭର କରିଥାନ୍ତି। ସେହିପରି ହାୱଡ଼ାରୁ ବାହାରି ପୁରୀ ଆସୁଥିବା ପାସେଞ୍ଜର ଟ୍ରେନ୍‌ ସକାଳ ୯ଟା ବେଳେ ଯାଜପୁରରୋଡ ଅତିକ୍ରମ କରିଥାଏ। ଖଡ଼ଗପୁରରୁ ବାହାରି ପୁରୀ ଯାଉଥିବା ପାସେଞ୍ଜର ଟ୍ରେନ୍‌ ମଧ୍ୟ ଅପରାହ୍ଣରେ ଯାଜପୁରରୋଡ ଅତିକ୍ରମ କରୁଛି। ଏହି ପାସେଞ୍ଜର ଟ୍ରେନ୍‌ ଗୁଡ଼ିକ ବ୍ୟତୀତ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ୍‌ ମଧ୍ୟ ବନ୍ଦ ହୋଇଯାଇଛି। ଭୁବନେଶ୍ବରରୁ ହାୱଡ଼ା ଯାଉଥିବା ଏହି ଟ୍ରେନ୍‌ ସକାଳ ୮ଟାରେ ଯାଜପୁରରୋଡ ଛାଡ଼ି ହାଓଡ଼ା ଅଭିମୁଖେ ଯାତ୍ରା କରୁଥିବାବେଳେ ସନ୍ଧ୍ୟା ସାଢ଼େ ୭ଟାରେ ହାୱଡ଼ାରୁ ଫେରି ଯାଜପୁରରୋଡରେ ପହଞ୍ଚୁଥିଲା। ଅନ୍ୟ ସମସ୍ତ ଏକ୍ସପ୍ରେସ ଟ୍ରେନ୍‌ଗୁଡ଼ିକ ଚଳାଚଳ କରୁଛି।

ଏହି ଗାଡ଼ିଗୁଡ଼ିକ ଦିନର ବିଭିନ୍ନ ସମୟରେ ଯାଜପୁରରୋଡ ରେଳଷ୍ଟେସନରେ ରହଣି କରୁଛନ୍ତି। ଏହି ଚଳାଚଳ କରୁଥିବା ବେଳେ ଲୋକାଲ ତଥା ପାସେଞ୍ଜର ଟ୍ରେନ ଉପରେ କଟକଣା ଲାଗି କରି ବନ୍ଦ କରିବା କେତେ ଦୂର ଯୁକ୍ତି ସଙ୍ଗତ, ସେ ନେଇ ଶ୍ରମିକ ସଂଗଠନ ଓ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର