ଯାଜପୁର: ଜାଲ୍‌ ନୋଟ୍‌ କାରବାରରେ ମହିଳା ଅଟକ, ୧୪ ହଜାର ଟଙ୍କାର ନକଲି ନୋଟ୍‌ ଜବତ

ଯାଜପୁର: ଜାଲ୍‌ ନୋଟ୍‌ କାରବାର ଘଟଣାରେ ଯାଜପୁର ଟାଉନ୍‌ ଥାନା ପୁଲିସ ଗୁରୁବାର ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ଟାଉନ୍‌ ଥାନା ଅନ୍ତର୍ଗତ ଅଠରନଳା ନିକଟସ୍ଥ ଏକ ଗ୍ରୋସରି ଦୋକାନ ଠାରୁ ୧୪ ହଜାର ଟଙ୍କା (୭ଟି ୨୦୦୦ ଟଙ୍କିଆ ନୋଟ୍‌)ର ନକଲି ନୋଟ୍‌ ଜବତ କରି ବିଝାରପୁର ଥାନା ଅନ୍ତର୍ଗତ କପିଳା ନିକଟ ବରପଦା ଗାଁର ଲୁସି ପରିଡ଼ା (୨୭)କୁ ଅଟକ ରଖି ପଚରାଉଚରା କରୁଛି। ପ୍ରଫୁଲ୍ଲ ରାୟଙ୍କ ସ୍ତ୍ରୀ ଲୁସି ଜାଲ ନୋଟ୍‌ କାରବାରରେ ସଂପୃକ୍ତ ଥିବା ସୂଚନା ପୁଲିସ ନିକଟରେ ଥିଲା। ଆଜି ଅପରାହ୍ନ ୪ଟାର ଯୋଜନା ଅନୁଯାୟୀ ପୁଲିସ ଲୁସିର ଦୋକାନ ଉପରେ ଚଢ଼ାଉ କରିଥିଲା। ଏଥି ପାଇଁ ପାଇଁ ଜଣେ ଗ୍ରାହକଙ୍କ ସହାୟତା ନେଇଥିଲା।

ଲୁସି ନିକଟରେ ଆହୁରି ଜାଲ ନୋଟ ଥିବା ପୁଲିସ ସନ୍ଦେହ କରୁଛି। ସେଥିପାଇଁ ସେ ଲୁସିର ବାପ ଘର ଓ ଶ୍ୱଶୁର ଘର ଉପରେ ଚଢ଼ାଉ କରିବାକୁ ଯାଇଛି। ଲୁସିର ବାପଘର ବିଞ୍ଝାରପୁର ଥାନା ଅନ୍ତର୍ଗତ ଅଳକୁଣ୍ଡ ଫାଣ୍ଡିର ନୂଆଗାଁ ବୋଲି ପୁଲିସ ଜାଣିବାକୁ ପାଇଛି। ଲୁସି ଏକ ମାସ ତଳେ ଦୋକାନରୁ ଜିନିଷ ପତ୍ର କିଣିଥିବା ଜଣେ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କିଆ ଜାଲ ନୋଟ୍‌ ଦେଇଥିଲା।

ସମ୍ବନ୍ଧିତ ଖବର