ଯାଜପୁରସଦର: ଯାଜପୁର ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ରାଜସ୍ବ ମନ୍ତ୍ରୀଙ୍କ ନକଲି ସିଲ୍‌ (ମୋହର) ମାରି ଅଭିଯୋଗ କରିବାକୁ ଯାଉଥିଲେ ଲୋକେ। ଅଭ‌ିଯୋଗପତ୍ର ଲେଖିବା ବାବଦରେ ୩ ଶହରୁ ୪ଶହ ଟଙ୍କା ଏବଂ ମନ୍ତ୍ରୀଙ୍କ ସିଲ୍‌ ମାରିବା ପାଇଁ ୫ଶହ ଟଙ୍କା ନେଉଥିଲା ଦଲାଲ। ମନ୍ତ୍ରୀଙ୍କ ଷ୍ଟାମ୍ପ୍‌ ଲାଗୁଥିବା ଅଭିଯୋଗପତ୍ରରେ ଏଥିପ୍ରତି ଗୁରୁତ୍ବ ଦେବାକୁ ଲେଖାଯାଉଥିଲା। ଏପରି ଅଭିଯୋଗପତ୍ର ଆଜି ଜିଲ୍ଲା ପ୍ରଶାସନକୁ କେତେଜଣ ଆବେଦନକାରୀ ପ୍ରଦାନ କରୁଥିବା ବେଳେ ଟାଉନ ପୁଲିସର ନଜରକୁ ଆସିଥିଲା। ପୁଲିସ ଏହାର ଖୋଳତାଡ଼ କରିବା ପରେ ଏ ବିଷୟରେ ସୂଚନା ପାଇ ଅଭିଯୋଗ ପ୍ରକୋଷ୍ଠ ନିକଟରୁ ଫେରାର ହୋଇଯାଇଥିଲା ଦଲାଲ।

Advertisment

ଗତକାଲି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଚାଲିଥିଲା। ଶିବିରକୁ ଏକାଧିକ ‌ବ୍ୟକ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ନାମରେ ଥିବା ଏକ ନକଲି ଷ୍ଟାମ୍ପ‌ ବ୍ୟବହାର ହୋଇଥିବା ଅଭିଯୋଗପତ୍ର ଧରି ପହଞ୍ଚିଥିଲେ। ଏହି ଦରଖାସ୍ତରରେ ଅଭିଯୋଗ ଉପରେ ବିଶେଷ ଗୁରୁତ୍ବ ଦେବାକୁ ଜିଲ୍ଲାପାଳଙ୍କୁ ଲେଖା ଯାଇଥିଲା। ଏହା ଟାଉନ ଥାନାଧିକାରୀଙ୍କ ନଜରକୁ  ଆସିବା ପରେ ସେ ୨/୩ଟି ଅଭିଯୋଗକୁ ଧରି ଅଭିଯୋଗକାରୀଙ୍କୁ ଏହି ଷ୍ଟାମ୍ପ୍‌ ବାବଦରେ ପଚରାଉଚରା କରିଥିଲେ। ସେମାନେ ଏହା ଟଙ୍କା ଦେଇ ସେହି କାର୍ଯ୍ୟାଳୟ ପରିସରରେ ଜଣେ ବ୍ୟକ୍ତିଠାରୁ କରିଥିବା କହିଥିଲେ। ସଂପୃକ୍ତ ବ୍ୟକ୍ତି ବିଂଝାରପୁର ଅଞ୍ଚଳର ଏବଂ ଜନଶୁଣାଣି ଶିବିର ସମୟରେ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ପରିସ‌ରରେ ରହି ଏହି କାମ କରୁଥିବା କହିଥିଲେ। ସମସ୍ୟାର ଶୀଘ୍ର ସମାଧାନ ହେବ କହି ଟଙ୍କା ଦାବି କରୁଥିଲା ବୋଲି ଲୋକମାନେ କହିଥିଲେ। ପୁଲିସ ଏ ଘଟଣାର ଖୋଳତାଡ଼ କରୁଥିବା ସଂପର୍କରେ ଜାଣିବା ପରେ ସଂପୃକ୍ତ ବ୍ୟକ୍ତି ସେଠାରୁ ଚମ୍ପଟ ମାରିଥିଲା। ଏନେଇ ଟାଉନ ଥାନାଧିକାରୀ ବିଲ୍ବମଙ୍ଗଳ ସେଠୀ କହିଛନ୍ତି ଯେ ଅଭିଯୋଗ ଶୁଣାଣି ଶିବିରରେ ୩/୪ଟି ଅଭିଯୋଗପତ୍ରରେ  ରାଜସ୍ବ ମନ୍ତ୍ରୀଙ୍କ ନାମରେ ଷ୍ଟାମ୍ପ ଥିବା ଜଣାପଡ଼ିଛି ଏବଂ ଏହି ଘଟଣାର ତଦନ୍ତ ଜାରି ରହିଛି।