ଯାଜପୁର/ଧର୍ମଶାଳା/ଚଢେଇଧରା/କବାଟବନ୍ଧ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ବାଜବାଟି ଗ୍ରାମର ଚାଷୀ ନତ୍ୟାନନ୍ଦ ପରିଡ଼ା(୫୦) ଗତ ଶନିବାର ଶୁଖିଲା ଧାନକ୍ଷେତକୁ ଦେଖି ମ୍ରିୟମାଣ ହୋଇ କୀଟନାଶକ ଖାଇ ଦେଇଥିଲେ। ଗତକାଲି କଟକ ବଡ଼ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ନିତ୍ୟାନନ୍ଦଙ୍କ ମୃତ୍ୟୁକୁ ନେଇ ବାଜବାଟି ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହିତ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପ୍ରକାଶ ଥାଉକି, ବାଜବାଟି ମୌଜାର ଚାଷୀ ନିତ୍ୟାନନ୍ଦ ୩ ଏକର ଧାନଚାଷ କରିଥିଲେ। ଚାଷଜମି ନିକଟରେ ଥିବା ବାଜବାଟି କଳାପଥର ଖାଦାନକୁ ତାଙ୍କ ଚାଷଜମିର ପାଣି ବହିଯାଉଥିଲା। ଯାହା ଫଳରେ ନିତ୍ୟାନନ୍ଦ ଋଣ କରି ଚାଷ କରିଥିବା ଧାନକ୍ଷେତ ଶୁଖିଯାଇ କ୍ଷତିଗ୍ରସ୍ତ ହୋଇଛି। ଏ ସଂପର୍କରେ ସେ ବାରମ୍ବାର ସ୍ଥାନୀୟ ବ୍ଲକ୍ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର କୌଣସି ଅଧିକାରୀ ଚାଷୀ ନିତ୍ୟାନନ୍ଦ କଥାକୁ କର୍ଣ୍ଣପାତ କରିନଥିଲେ। ସବୁଠାରୁ ନିରାଶ ହେବାପରେ ଗତକାଲି ଜମିରେ କୀଟନାଶକ ପକାଇବାକୁ ଯାଇ ଧାନକ୍ଷେତ ଶୁଖିଲା ଦେଖିବା ପରେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଦେଇଥିଲେ। ଫଳରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି।
ସୂଚନା ଯୋଗ୍ୟ, ଧର୍ମତ୍ଶାଳା ତହସିଲର ବ୍ୟାପକ ଅଞ୍ଚଳରେ କଳାପଥର ଖାଦାନ ଓ ଶହଶହ କ୍ରସର ଚାଷଜମି ନିକଟରେ ରହିଛି। ଏହାଦ୍ବାରା ଚାଷଜମିର ଉର୍ବରତା ନଷ୍ଟ ହେବାରେ ଲାଗିଛି। ବାଜବାଟୀ, ଆରୁହା, ରାହାଡ଼ପୁର, ବରଡ଼ା, ବାରମାଣ, କୁସୁନପୁର, ବିଛାଖଣ୍ଡି ଓ ବାଘୁଆ ପଥର ଖାଦାନ ନିକଟରେ ଶହଶହ ଚାଷୀଙ୍କ ଶତାଧିକ ହେକ୍ଟର ଚାଷଜମି ନଷ୍ଟ ହେବାକୁ ବସିଛି। ଅନେକ ଜମି ପଡ଼ିଆ ପଡିଛି। ରାହାଡ଼ପୁର ପାହାଡ଼ରେ କଳାପଥର ଖନନ ଲାଗି ଡ୍ରିଲିଂ ଓ ବ୍ଲାଷ୍ଟିଂ ଦ୍ୱାରା ପାହାଡ଼ ପାଦଦେଶରେ ଥିବା ପାଇକରାପୁର ଡ୍ୟାମ୍ ଧ୍ବଂସମୁଖରେ। ଚାଷଜମିର ଉର୍ବରତା ନଷ୍ଟ ହେଉଥିବା ଅଭିଯୋଗ କରି ଗ୍ରାମବାସୀ ମଧ୍ୟ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ବେଆଇନ ଭାବେ ଲିଜଧାରୀ ପରିବେଶ ମଞ୍ଜୁରିକୁ ଅଣଦେଖା କରି ଗଭୀର ଖନନ କରୁଥିବାରୁ ବିଲରେ ପାଣି ନରହି ପଥର ଖାଦାନରେ ଜମା ହେଉଥିବା ଅଭିଯୋଗ ହୋଇଆସୁଥିଲା।
ସେହିପରି ମାଳଗୋଡ଼ା ପାହାଡ଼ ଯାହାକି ବରଡ଼ା ଓ ବାରମlଣ ମୌଜାରେ ଅବସ୍ଥିତ। ସେଠାରେ ବର୍ତ୍ତମାନ ଲିଜ୍ ବି ନାହିଁ। କିନ୍ତୁ ପଥର ଲୁଟ୍ ଚାଲିଛି। ଭୂମି ପତ୍ତନଠାରୁ ୧୦୦ ଫୁଟ ତଳକୁ ଖୋଳି ପଥର ଲୁଟ୍ ହେଉଛି। ଫଳରେ ଚାଷଜମି ଓ କୂଅ ନଳକୂଅର ଜଳସ୍ତର ହ୍ରାସ ପାଉଛି। ଏହି ବେଆଇନ ଖାଦାନରେ ନାମକୁ ମାତ୍ର ୧୪୪ଧାରା ଜାରି କରି ପ୍ରଶାସନ ଆଖି ବନ୍ଦ କରି ବସିଛି। ଅନିୟନ୍ତ୍ରିତ କଳାପଥର କାରବାର ବିସ୍ତୀର୍ଣ୍ଣ ଅଞ୍ଚଳରେ ସାମାଜିକ, ଆର୍ଥିକ ଓ ପରିବେଶ ସନ୍ତୁଳନ ନଷ୍ଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାବେଳେ ପ୍ରଶାସନର ସ୍ଥାଣୁତା ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ସୃଷ୍ଟି କରିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp