ଯାଜପୁର ସଦର: ଲଘୁଚାପ ବର୍ଷା ଦେଖି ଚିନ୍ତାରେ ଚାଷୀକୁଳ। ଦୁଇଦିନିଆ ବର୍ଷାର ସତର୍କ ସୂଚନା ପରେ ଏବେ ଚାଷୀ ତରତର। ଖେତରେ ଅଧାପାଚିଲା ଧାନକୁ ବି ତରବରିଆ କାଟି ନେଉଥିବା ଦେଖିବାକୁ ମିଳିଛି। ବର୍ଷା ହେଲେ ଧାନ ଗଜା ହେବାର ଆଶଙ୍କା ଥିବାରୁ ସବୁ କାମ ଛାଡ଼ି ଚାଷୀ ଏବେ ଧାନକୁ କିପରି ଅମଳ କରିବେ ତାକୁ ନେଇ ବ୍ୟସ୍ତ ଅଛନ୍ତି। ଧାନ ଫସଲକୁ କାଟି ନିଜ ଖଳାକୁ ଆଣିବା ସହ ସୁରକ୍ଷିତ ଭାବେ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଲଘୁଚାପ ପ୍ରଭାବରେ ସମଗ୍ର ଯାଜପୁର ଅଞ୍ଚଳରେ ଆଜି ସକାଳୁ କୋହଲା ପାଗ ଲାଗି ରହିଛି। ଯଦି ବର୍ଷା ସହିତ ପବନ ହୁଏ ତେବେ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯିବାର ଆଶଙ୍କା ରହିଛି। କେତେକ ଖେତରେ ଧାନ ପାଚିଥିବାବେଳେ ଅନ୍ୟ କେତେକ ଜାଗାରେ ପାଚିବାକୁ ଆରମ୍ଭ କରିଛି।
ସେହିପରି ବର୍ଷା କେବଳ ଧାନ ଫସଲର ନୁହେଁ, ପରିବା ଫସଲକୁ ମଧ୍ୟ କ୍ଷତି ପହଞ୍ଚାଇବ। ପରିବା ଚାଷୀ ଏକର ଏକର ଜମିରେ କୋବି ଓ ଶୀତଦିନିଆ ପରିବା ଚାଷ କରିଛନ୍ତି। କୋବି ବିକ୍ରି ପାଇଁ ଉପଯୁକ୍ତ ହୋଇସାରିଛି। ଯଦି ବର୍ଷା ହୁଏ ତେବେ ତାହା ନଷ୍ଟ ହେବାର ଭୟ ରହିଛି। ଯାଜପୁର ଜିଲ୍ଲାରେ ଚଳିତ ଖରିଫରେ ୧ଲକ୍ଷ ହେକ୍ଟର ଜମିରେ ଧାନଚାଷ ହୋଇଛି। ଯାଜପୁର ବ୍ଲକରେ ୧୦ହାଜର ୬ଶହ ହେକ୍ଟର, ଦଶରଥପୁରରେ ୧୨୩୫୦ ହେକ୍ଟର, ବିଂଝାରପୁରରେ ୧୧୬୦୦, ବଡ଼ଚଣାରେ ୧୨୨୫୦, ଧର୍ମଶାଳାରେ ୧୨ହଜାର, ରସୁଲପୁରରେ ୭୮୫୦, ବରୀରେ ୮୫୦୦, ସୁକିନ୍ଦାରେ ୬୧୦୦, ଦାନଗଦିରେ ୫୬୦୦, କୋରେଇରେ ୧୮୧୫୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ଲଘୁଚାପ ବର୍ଷାକୁ ନେଇ ଚାଷୀମାନଙ୍କୁ ସତର୍କ କରାଯାଇଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp