ଯାଜପୁର : ଚାଷ ଜମି ବଢୁନି, ଚାଷୀ ବଢୁଛନ୍ତି; ବନ୍ୟା ଯୋଗୁ ଧାନ ଉତ୍ପାଦନ କମିବାକୁ ଥିବାବେଳେ ୧୪ ହଜାର ନୂଆ ଚାଷୀ ପଞ୍ଜିକୃତ

ଯାଜପୁର: ଚଳିତବର୍ଷ ଭୟଙ୍କରୀ ବନ୍ୟା ‌ଯୋଗୁ ଯାଜପୁର ଜିଲ୍ଲାର ଦଶରଥପୁର,ବରୀ, ଯାଜପୁର, କୋରେଇ ଆଦି ବ୍ଲକର ଅଧିକାଂଶ ଧାନ ଜମିରେ ବନ୍ୟା ଜଳ ମାଡି ଯାଇଥିଲା। ବନ୍ୟା ଯୋଗୁ ଜିଲ୍ଲା ଜରୁରୀକାଳୀନ ବିଭାଗର ତଥ୍ୟାନୁସାରେ ଜିଲ୍ଲାର ୭୪ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିଲା। ଫଳ‌ରେ କିଛି ସ୍ଥାନରେ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଧାନ ଅମଳ ହ୍ରାସ ପାଇବ ବୋଲି ଆଶଙ୍କା ରହିଛି। ଅନ୍ୟପଟେ ଅମଳ କମିବାକୁ ଥିବା ବେଳେ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ବୃଦ୍ଧି ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଉଛି।

ରାଜ୍ୟ ଫୁଡ ଓଡିଶା ‌ ପୋଟାଲର ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ୧୨୨ ସମବାୟ ସମିତି ଓ ୧୬ ଟି ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଚାଷୀ ପଞ୍ଜିକରଣ କରାଯାଇଛି। ଯାହାକି ଡିସେମ୍ବର ୬ ତାରିଖର ତାଜା ତଥ୍ୟାନୁସାରେ ୨୦୨୦-୨୧ ଆର୍ଥିକ ବର୍ଷର ଖରିଫ ଧାନ ବିକ୍ରି ପାଇଁ ଜିଲ୍ଲାରେ ମୋଟ ୪୩ ହଜାର ୮୧୧ ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି। ସେଥିରୁ ୨୯ ହଜାର ୭୬୩ ଜଣ ଚାଷୀ ନିଜର ନାମକୁ କେବଳ ନବିକରଣ କରିଥିବା ବେଳେ ଧାନ ବିକ୍ରି ପାଇଁ ୧୪ ହଜାର ୪୮ ଜଣ ଚାଷୀ ନୂଆ କରି ଯୋଡ଼ି ହୋଇଛନ୍ତି। ତେଣୁ ଗୋଟିଏ ପଟେ ଜମି ବଢ଼ିନି କି ଉତ୍ପାଦନ ବଢ଼ିନଥିବା ବେଳେ ଚାଷୀ ବଢ଼ିବା ନିଶ୍ଚିତ ଭାବେ ସରକାରୀ ଅର୍ଥକୁ ଆତ୍ମସାତର ଏକ ଉପାୟ ବୋଲି ଆଲୋଚନା ହେଉଛି।

ଯାଜପୁର ଜିଲ୍ଲାରେ ବିଭିନ୍ନ କାରଣ ଯେପରିକି ପ୍ରାକୃତିକ ବିପର୍ଯ୍ୟୟ, ଜଳ ସେଚନର ଅଭାବ, ଉନ୍ନୟନ ପ୍ରକଳ୍ପ ନିର୍ମାଣ, କାରଖାନା ବୃଦ୍ଧି ଯୋଗୁ ଧୀରେ ଧୀରେ ଚାଷ‌ରୁ ଚାଷୀମାନେ ମୁହଁ ଫେରାଇଛନ୍ତି। ଚାଷରେ ଲାଭ ହେଉନଥିବା ବେଳେ ସରକାରୀ ଅଭାବୀ ବିକ୍ରି ଚାଷୀଙ୍କ‌ ମେରୁଦଣ୍ଡକୁ ଭାଙ୍ଗି ଦେଉଛି। ତେଣୁ ୨୦୧୯-୨୦ ଆର୍ଥିକ ବର୍ଷରେ ଖରିଫ ଧାନ ସଂଗ୍ରହ ସମୟରେ ୨୦୧୮-୧୯ ବର୍ଷର ପଂଜୀକୃତ ଚାଷୀଙ୍କ ସଂଖ୍ୟାରୁ ୮୩୧୫ ଜଣ ଚାଷୀ ପଞ୍ଜିକରଣ କରିନଥିଲେ। ଯାହାକି ଧାନ ବିକ୍ରି ପାଇଁ ଚାଷୀ ସଂଖ୍ୟା କମିଥିଲା। କିନ୍ତୁ ଚଳିତବର୍ଷ ଚାଷ ବଢ଼ିନଥିବା ବେଳେ ୧୪ ହଜାର ଚାଷୀ ସଂଖ୍ୟା ବୃଦ୍ଧିକୁ ଚାଷୀ, ଚାଷୀ ସଂଗଠନ, ବୁଦ୍ଧିଜୀବୀ ସହଜରେ ହଜମ କରିପାରୁନାହାନ୍ତି। କାରଣ ପୂର୍ବରୁ ଏପରି ଅଣଚାଷୀଙ୍କୁ ଚାଷୀ ଭାବେ ପଞ୍ଜିକରଣ କରାଯାଇ କୋଟି କୋଟି ଟଙ୍କାର ସରକାରୀ ଆର୍ଥ ଆତ୍ମସାତ ହେବାର ନଜର ରହିଛି।

ଅନ୍ୟପଟେ ୨୦୧୯ ମସିହାରେ ଚାଷୀ ପଞ୍ଜିକରଣ କମ୍ ହୋଇଥିବାରୁ ଅଧିକାରୀ ଓ କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ଉପରେ ରାଜ୍ୟ ସମବାୟ ସମିତି ନିବନ୍ଧକ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ତେବେ ଏହି ଚେତାବନୀ ଭୟରେ ଚଳିତବର୍ଷ ଯେକୌସି ପ୍ରକାର ଚାଷୀ ସଂଖ୍ୟା ବୃଦ୍ଧି କରାଯାଇଥାଇ ପାରେ ବୋଲି ଆଲୋଚନା ହେଉଛି। ତେବେ ଜିଲ୍ଲାର ୫/୬ଟି ପ୍ୟାକ୍ସରେ ଚାଷୀ ସଂଖ୍ୟା ବହୁ ବୃଦ୍ଧି ହୋଇଛି। ଦଶରଥପୁର ବ୍ଲକର ଅକରପଡା ପ୍ୟାକ୍ସରେ ୩୪୬ ନୂଆ ଚାଷୀ ରହିଥିବା ବେଳେ, ପାଲଟପୁର ପ୍ୟାକ୍ସରେ ୩୬୩, ତଳିହା ପ୍ୟାକ୍ସରେ ୪୩୪ ଜଣ, କୋରେଇର ବରୁଣ୍ଡେଇ ପ୍ୟାକ୍ସରେ ୨୩୭ ଜଣ ଚାଷୀ ରହିଥିବା ବେଳେ ପଛିକୋଟ ପ୍ୟାକ୍ସରେ ୨୬୨ ଜଣ ନୂ୍ଆ ଚାଷୀ ପଞ୍ଜିକୃତ ହୋଇଥିବା ଜଣାଯାଇଛି। ତେବେ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାତକର ପାତ୍ର ଚା‌ଷୀ ସଂଖ୍ୟା କମ୍ ବେଶୀ ପ୍ରତିବର୍ଷ ଲାଗି ରହିଥାଏ। ଅନ୍ୟ ପଟେ ପଞ୍ଜିକରଣରେ ଅନିୟମିତତାକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର