ଯାଜପୁର: ବୋହୂକୁ ୧୪ ଥର ହାଣି ଆତ୍ମହତ୍ୟା କଲା ଶ୍ୱଶୁର

ଯାଜପୁର: ପାଣିକୋଇଲି ଥାନା ଅନ୍ତର୍ଗତ ବରୁଣେଇପଡ଼ା ଗାଁରେ ଶନିବାର ଶ୍ୱଶୁର ନିଜର ବୋହୂକୁ ଧାରୁଆ କତାରେ ୧୪ ଥର ହାଣିବା ପରେ ନିଜେ ଆତ୍ମହତ୍ୟା କରିଛି। ରିପୋର୍ଟ ଅନୁସାରେ ନୀଳମଣି ବେହେରାଙ୍କ ସ୍ତ୍ରୀ ଶକୁନ୍ତଳା ବେହେରା (୨୭)କୁ ଆଜି ଅପରାହ୍ନରେ ଶ୍ୱଶୁର ଦାମୋଦର ବେହେରା (୪୮) ହାଣିଛି। ନିଜ ପୁଅର ଅନୁପସ୍ଥିତତା ନେଇ ଶ୍ୱଶୁର ଆଜି ବୋହୂକୁ ହାଣି ଲହୁଲୁହାଣ କରିଛି। ଶକୁନ୍ତଳାକୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଗ୍ରାମବାସୀଙ୍କ କହିବା ଅନୁସାରେ ଆଜି ଅପରାହ୍ନରେ ଦାମୋଦର ବେହେରାଙ୍କ ଘର ଭିତରୁ ବଡ଼ ଧରଣର ଶବ୍ଦ ଶୁଣାଯାଇଥିଲେ। ଏହା ଶୁଣି ଗ୍ରାମର କିଛି ଲୋକ ଘଟଣାସ୍ଥଳକୁ ପହଂଚିଥିଲେ। ସେହି ସମୟରେ ଦାମୋଦର ନିଜର ବୋହୂଙ୍କୁ ଧାରୁଆ ଅସ୍ତ୍ରରେ ହାଣୁଥିଲା। ଲୋକଙ୍କୁ ଦେଖି ସେ ବାହାରକୁ ଦୌଡ଼ି ପଳାଇଥିଲା। ପରେ ଗାଁ ଲୋକେ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଶକୁନ୍ତଳାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଶକୁନ୍ତଳାର ଶାଶୁ ପାରାଲିସ ରୋଗରେ ପୀଡ଼ିତ ଥିବା ବେଳେ ସ୍ୱାମୀ ବାହାରେ ରହି ଦିନ ମଜୁରିଆ କାମ କରିଥାନ୍ତି। ନୀଳମଣି ସପ୍ତାହର ଗୋଟିଏ ଦିନ ଘରକୁ ଆସିଥାନ୍ତି। ବିବାହର ୨ ବର୍ଷ ବିତିଯାଇଥିଲେ ମଧ୍ୟ ପିଲାଛୁଆ ହୋଇ ନଥିଲେ। ଦାମୋଦର ଘରୁ ପଳାଇଯାଇ ଗାଁ ମୁଣ୍ଡର ଏକ ଗଛରେ ଦଉଡ଼ି ଆତ୍ମହତ୍ୟା କରିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିଛି।

ସମ୍ବନ୍ଧିତ ଖବର