ଚାଷୀଙ୍କ ଆନ୍ଦୋଳନ ବେଳେ ଖଣ୍ଡଯୁଦ୍ଧ:ବିଧାୟକଙ୍କ ପୁତୁରା, ଥାନା ଅଧିକାରୀ ଆହତ

ସତ କିଏ ମିଛ କିଏ?

ଯାଜପୁର/ଛତିଆ: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତକାଲି ଚଣ୍ତିଖୋଲ ଛକଠାରେ ହୋଇଥିବା ଅର୍ଥନୈତିକ ଅବରୋଧ ବେଳେ ପୁଲିସ ଓ ଚାଷୀଙ୍କ ଖଣ୍ଡଯୁଦ୍ଧକୁ ନେଇ ବିବାଦ ତେଜିବାରେ ଲାଗିଛି। ଏହି ଖଣ୍ଡଯୁଦ୍ଧରେ ବିଧାୟକଙ୍କ ପୁତୁରା ଓ ବଡ଼ଚଣା ଥାନା ଅଧିକାରୀ ପରସ୍ପର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଉଭୟ ଆକ୍ରମଣରେ ଆହତ ହୋଇଥିବା ପ୍ରକାଶ କରିଛନ୍ତି। ତେବେ କିଏ ସତ କିଏ ମିଛ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭୁବନେଶ୍ବରକୁ ପନିପରିବା ଯୋଗାଣ ବନ୍ଦ କରିବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ଆରମ୍ଭ କରିଥିବା ଅର୍ଥନୈତିକ ଅବରୋଧ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଚଣ୍ଡିଖୋଲ ଠାରେ ସଂଗଠନ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପୁଲିସ ଏହି ଖବର ପାଇ ଚଣ୍ତିଖୋଲ ଛକର ବିଭିନ୍ନ ସ୍ଥାନରେ ଚଢଉ କରି ୭୩ଜଣ ଚାଷୀଙ୍କୁ ଉଠାଇ ନେଇଥିଲା। ଚଣ୍ତିଖୋଲ ଠାରେ ଥିବା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ପୁତୁରା ସନ୍ଦୀପ ଶତପଥୀଙ୍କ ପିଲ୍ମ ହଲ ପରିସରକୁ ପ୍ରାୟ ୪୦ରୁ ଅଧିକ ଚାଷୀ ପଶି ଯାଇଥିଲେ। ଖବର ପାଇ ପୁଲିସ ହଲ ପରିସରରେ ଚଢଉ କରିଥିଲା। ଚଢଉ ବେଳେ ବିଦାୟକଙ୍କ ପୁତୁରା ଶ୍ରୀ ଶତପଥୀ ପୁଲିସକୁ ବିରୋଧ କରିଥିଲେ। ଚାଷୀଙ୍କୁ ଗିରଫ କରିବା ପାଇଁ ପୁଲିସ କହିବାରୁ ଶ୍ରୀ ଶତପଥୀ ଏହାକୁ ବିରୋଧ କରି ହଲ ସମ୍ମୁଖରେ ବିଭିନ୍ନ ପ୍ରକାର ନାରାବାଜି ଦେଇଥିଲେ। ପରେ ଚାଷୀ, ପୁଲିସ ଓ ଶ୍ରୀ ଶତପଥୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଶ୍ରୀ ଶତପଥୀ ଆହତ ହୋଇଥିବା ବେଳେ ବଡଚଣା ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ଉଭୟ ଅଭିଯୋଗ କରିଛନ୍ତି। ଫିଲ୍ମ ହଲରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଚାଷୀ ଲୁଚି ରହିଥିଲେ । ପୁଲିସ ସେଠାରେ ପହଞ୍ଚିଥିଲେ। ସେମାନଙ୍କୁ ଗିରଫ କରି ୬ ଗୋଟି ଭ୍ୟାନରେ ଫାଣ୍ତିକୁ ନେଇଥିବା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି। ଅନ୍ୟପଟେ ପୁଲିସ ଉଠାଇ ନେଇ ତାଙ୍କୁ ପ୍ରବଳ ମାଡ ମାରିଥିଲା। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି ଏବଂ ସେ କଟକ ସିଟି ହସ୍ପିଟାଲରେ ଚିକିତ୍ସା କରାଇଛନ୍ତି ବୋଲି ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି। ଦରକାର ପଡ଼ିଲେ ବଡ଼ଚଣା ପୁଲିସ ବିରୋଧରେ ହାଇକୋର୍ଟକୁ ଯିବୁ ବୋଲି ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର