କାଳିଆପାଣି: ପୋଡ଼ୁଚାଷ ପାଇଁ ଜଳୁଛି ଜଙ୍ଗଲ। ୨ ଦିନ ହେଲା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ର ନଗଡ଼ା ପାର୍ଶ୍ବସ୍ଥ ୩ଟି ଜଙ୍ଗଲରେ ନିଆଁ ଲାଗିଛି। ଅପରାହ୍ଣ ସମୟରେ ନାଲିଆଡାବ-ନଗଡ଼ା ସଡ଼କ ପାର୍ଶ୍ବସ୍ଥ ଉପର ନଗଡ଼ା ପୂର୍ବଦିଗରେ ଓଭରହେଡ୍ ପାଣିଟାଙ୍କି ପାଖ ଜଙ୍ଗଲ ଭୟଙ୍କର ଭାବେ ଜଳୁଥିଲା। ପ୍ରଚଣ୍ଡ ରୌଦ୍ରତାପ ସହ ବନାଗ୍ନି ଆଖାପାଖ ଅଞ୍ଚଳକୁ ତତାଇ ଦେଉଥିଲା। ସେହିପରି ତଳନଗଡ଼ା ପଶ୍ଚିମରେ ଥିବା ବନ ବିଭାଗ ପୋଖରୀ ପାଖ ଜଙ୍ଗଲ ଜଳୁଥିଲା। ପୂରା ପାହାଡ଼କୁ ଧୂଆଁ ମାଡ଼ି ବସିଛି। ସେହିପରି ମଝିନଗଡ଼ା ଦକ୍ଷିଣ-ପୂର୍ବ କୋଣରେ ଥିବା ଜଙ୍ଗଲରେ ବି ସମାନ ଚିତ୍ର ଦେଖା ଯାଇଛି। ଏସବୁ ସ୍ଥାନରେ ପୋଡ଼ୁଚାଷ ଯୋଜନାରେ ଜଙ୍ଗଲ ଜଳା ଯାଉଥିବା ଜଣାପଡ଼ିଛି।
ନଗଡ଼ା ଅପପୁଷ୍ଟି ନିରାକରଣ ପାଇଁ ୨୦୧୬ ମସିହାରୁ ସରକାର କୃଷିକୁ ଫୋକସ୍ କରିଥିଲେ। ରାଜସ୍ବ ବିଭାଗ, ଜିଲ୍ଲା କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ଓଡ଼ିଶା ଜୀବିକା ମିସନ, ଖଦୀ ବୋର୍ଡ ଓ ବନ ବିଭାଗକୁ ନେଇ ତତ୍କାଳୀନ କୃଷି ଆୟୁକ୍ତ ମନୋଜ ଆହୁଜା ଓ ଆରଡିସି ଅଖିଳ ବିହାରୀ ଓତା ସ୍ବତନ୍ତ୍ର ଯୋଜନା କରିଥିଲେ। ତତ୍କାଳୀନ ତହସିଲଦାର ନବକୃଷ୍ଣ ଜେନା ଉପରନଗଡ଼ାରେ ଗୋଷ୍ଠୀଗତ କୃଷି ପାଇଁ ୧୦ ଏକର ଜମି ଚିହ୍ନଟ କରିଥିଲେ। ଉଦ୍ୟାନ କୃଷି କର୍ମଚାରୀ ଘରକୁ ଘର ବୁଲି ଅମୃତଭଣ୍ଡା, ସଜନା, ଲେମ୍ବୁ ଓ କଦଳୀ ଚାରା ଲଗାଇଥିଲେ। ୨୦୧୭ ଜୁଲାଇ ୨୧ ତାରିଖ ବନ ବିଭାଗ ପକ୍ଷରୁ ଉପର ନଗଡ଼ାରେ ଅନୁଷ୍ଠିତ ବନ ମହୋତ୍ସବରେ ତତ୍କାଳୀନ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ତତ୍କାଳୀନ ରେଞ୍ଜର ସୌଭାଗ୍ୟ କୁମାର ସାହୁ ପ୍ରମୁଖ ଉନ୍ନତ ମାନର ଦାମୀ କଲମି ଆମ୍ବ, ପଣସ ଓ ପିଜୁଳି ପ୍ରଜାତି ଗଛଚାରା ଲଗାଇଥିଲେ। ଅଧିକାଂଶ ଗଛ ମୂଳେ ଏହାକୁ ଲଗାଇଥିବା ଅତିଥିମାନଙ୍କ ନାମ ଫଳକ ରହିଥିଲା। ଉଦ୍ଦେଶ୍ୟ ଥିଲା ଲୋକେ ଅତିଥିଙ୍କୁ ସମ୍ମାନ ଦେଇ ଗଛ ଜଗିବେ। ଏହାବାଦ୍ ଗାଁ ପାର୍ଶ୍ବସ୍ଥ ଉଜୁଡ଼ା ଜଙ୍ଗଲ ଜମିରେ ବ୍ୟାପକ ଫଳଗଛ ବଡ଼ଚାରା ଲଗା ଯାଇଥିଲା। ନଗଡ଼ାବାସୀଙ୍କୁ ବୁଝାଇ ଦିଆଯାଇଥିଲା କି ଗଛ ତୁମମାନଙ୍କର, ଫଳିଲେ ତୁମେମାନେ ଖାଇବ। ଅଧିକା ହେଲେ ବିକିବ ଓ ଲାଭବାନ ହେବ। ହେଲେ ଏବେ ସେଦିନର ସବୁ କାର୍ଯ୍ୟକ୍ରମ ଓ ଫଳଗଛର ଚିହ୍ନବର୍ଣ୍ଣ ନାହିଁ। ଫଳଗଛ ଲଗା ଯାଇଥିବା ଗାଁ ପାଖ ଉକ୍ତ ଜମି ଏବେ ପୂରା ପଡ଼ିଆ ପଡ଼ିଛି। ନଗଡ଼ା ପ୍ରାଥମିକ ସ୍କୁଲ, ମଝି ନଗଡ଼ା ପୂର୍ବ ଦିଗରେ ଥିବା ବିସ୍ତୀର୍ଣ୍ଣ ଜଙ୍ଗଲ, ଗୁହିଆଶାଳ, ତୁମୁଣି ଓ ତଳଡିହ ଏବଂ ପାହାଡ଼ ତଳ ଅଶୋକଝର, ଦେଓଗାଁ ଓ କଙ୍କଡ଼ାଗୋଡ଼ି ଆଖପାଖ ଜଙ୍ଗଲରେ ବ୍ୟାପକ ପୋଡ଼ୁଚାଷ ପ୍ରସ୍ତୁତି ଦେଖିବାକୁ ମିଳିଛି। ଅବୁଝା ଜୁଆଙ୍ଗଙ୍କୁ ସଚେତନ କରାଇବା ପାଇଁ ପ୍ରଶାସନ ପକ୍ଷରୁ ୮ ବର୍ଷ ଧରି ବହୁ ଏନଜିଓ ନିୟୋଜିତ କରାଯାଉଥିଲେ ହେଁ ନଜୁଆଙ୍ଗମାନେ ଆଧୁନିକ କୃଷିକୁ ଆଦୌ ଭରସୁନାହାନ୍ତି। ବରଂ ପାରମ୍ପରିକ ପୋଡ଼ୁଚାଷ କରି ପ୍ରତିବର୍ଷ ଜଙ୍ଗଲ ଧ୍ବଂସ କରିଚାଲିଥିବା ଦେଖାଯାଉଛି। ଯାହାକି ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଦିଗରେ ବାଧକ ହୋଇଛି। ଗତକାଲି ନଗଡ଼ା ଗସ୍ତରେ ଆସିଥିବା ଅତିରିକ୍ତ ଜିଲ୍ଲାପାଳ ତଥା ତତ୍କାଳୀନ ତହସିଲଦାର ନବକୃଷ୍ଣ ଜେନାଙ୍କୁ ଏ ସଂପର୍କରେ ପଚାରିବାରେ ସେ ଜଙ୍ଗଲ ଜଳୁଥିବା ଦେଖିଛନ୍ତି; ଏହା ଚିନ୍ତାଜନକ ବୋଲି କହିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp