କାଳିଆପାଣି: ଯାଜପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଜି କାଳିଆପାଣିସ୍ଥିତ ଇମ୍ଫା କ୍ରୋମାଇଟ୍ ଖଣିର ଠିକା ଶ୍ରମିକ ଭାବଗ୍ରାହୀ କାରୁଆ(୩୦), ତାଙ୍କ ପତ୍ନୀ ଜାନକୀ କାରୁଆ(୨୬), ଝିଅ ଗୀତାଞ୍ଜଳି(୯) ଓ ଝିଆରୀ ନାଣ୍ଡି(୫)ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଘରଠାରୁ ପାଖାପାଖି ୩୦ କିଲୋମିଟର ଦୂର କାମାକ୍ଷାନଗର ଥାନା ଜାତୀୟ ରାଜପଥ-୫୩ ର ମାଳପୁରା ଗାଁ ପାଖ ଫ୍ଲାଇଓଭରରେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ଭାବଗ୍ରାହୀଙ୍କ ବାଇକ୍(ଓଡି-୦୬-୪୭୨୫)କୁ ପଛରୁ ଧକ୍କା ଦେଇଥିଲା। ଏହା ଏତେ ତୀବ୍ର ଥିଲା ଯେ, ଭାବଗ୍ରାହୀ ଓ ୨ ଶିଶୁଙ୍କ ଖଣ୍ଡବିଖଣ୍ଡିତ ମରଶରୀର ରାଜପଥର ଲୁହା ବାଡ଼ାରେ ଅଟକି ରହିଥିଲା। ତେବେ ଢେଙ୍କାନାଳଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ଜାନକୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। କାମାକ୍ଷାନଗରରେ ଶବ ବ୍ୟବଛେଦ ପରେ ସମସ୍ତଙ୍କ ମରଶରୀରର ଶେଷକୃତ୍ୟ ପାଇଁ ଭାବଗ୍ରାହୀଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜଗନ୍ନାଥ ମନ୍ଦିର ବଡ଼ଦାଣ୍ଡ ମୁଖୀସାହିକୁ ନିଆଯାଉଥିବା ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: Accidental Death: ଦୁର୍ଘଟଣାର ଶିକାର ହୋଇ ଜଣଙ୍କର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର
ଭାବଗ୍ରାହୀଙ୍କ ବାପା ମଙ୍ଗୁଳି କାରୁଆ ଓଡ଼ିଶା ଖଣି ନିଗମ(ଓଏମ୍ସି)ରେ ଝାଡ଼ୁଦାର ଭାବେ କାମ କରୁଥିଲେ। ସେ ସପରିବାର ଓଏମ୍ସି କାଠପାଳ କଲୋନିରେ ରହୁଥିଲେ। ଅବସର ପରେ ୫ ବର୍ଷ ତଳୁ ମଙ୍ଗୁଳି ନିଜ ଗାଁରେ ରହୁଛନ୍ତି। ଇମ୍ଫା ଖଣିରେ ନିୟୋଜିତ ଠିକାସଂସ୍ଥା ଏମ୍କେ ଏଜେନ୍ସିରେ ନିଯୁକ୍ତି ପାଇଥିବା ଭାବଗ୍ରାହୀ ଖଣିର ଏମ୍ଏମ୍ସି କ୍ୟାଣ୍ଟିନ୍ରେ କାମ କରୁଥିଲେ। ସେ କାଳିଆପାଣି ଥାନା ପାଖ ପୁରୁଣା ବିଜିଆର୍ କଲୋନିରେ ଥିବା ଏକ ପରିତ୍ୟକ୍ତ କ୍ବାର୍ଟ୍ସରର ପୁନରୁଦ୍ଧାର କରି ସେଠାରେ ସପରିବାର ରହୁଥିଲେ। ମାନସିକ ନ୍ୟୁନ ଶଳା କରଞ୍ଜିଆର ବୁଟୁ କାରୁଆ ୫ ବର୍ଷ ଧରି ନିଖୋଜ ଅଛନ୍ତି। ସ୍ବାମୀଙ୍କୁ ଛାଡ଼ି ପତ୍ନୀ ଅନ୍ୟତ୍ର ପଳାଇବାରୁ ଭାବଗ୍ରାହୀ ତାଙ୍କ ଝିଆରୀ ନାଣ୍ଡିଙ୍କୁ ପାଳିତ କନ୍ୟା ଭାବେ ଆଶ୍ରୟ ଦେଇଥିଲେ। ଝିଅ ଓଏମ୍ସି କାଳିଆପାଣି ହାଇସ୍କୁଲର ଚତୁର୍ଥଶ୍ରେଣୀରେ ପଢ଼ନ୍ତି। ଝିଆରୀ ଏବର୍ଷ ସ୍କୁଲ ଯାଇଥାନ୍ତେ। ଆଜି ଡ୍ୟୁଟିର ସାପ୍ତାହିକ ଛୁଟିବାର ଥିବାରୁ ସକାଳ ସାଢ଼େ ୮ଟାରେ ଭାବଗ୍ରାହୀ ଝିଅ, ଝିଆରୀ ଓ ପତ୍ନୀଙ୍କୁ ବାଇକ୍ରେ ବସାଇ ଘରୁ ବାହାରିଥିଲେ। ସେ ଝିଅ ନାଁରେ ସୁକନ୍ୟା ସମୃଦ୍ଧି ଯୋଜନାରେ ସୁଆଁଳୋ ଡାକଘରେ ଟଙ୍କା ଜମା କରିଥିଲେ। ସେଠାରୁ ମାର୍କେଟିଂ ପାଇଁ କାମାକ୍ଷାନଗର ଯାଉଥିଲେ। ବାଇକ୍ ଟାଙ୍କି ଉପରେ ନାଣ୍ଡି, ମଝିରେ ଗୀତାଞ୍ଜଳି ଓ ପଛରେ ଜାନକୀ ବସିଥିଲେ। ଅତ୍ୟନ୍ତ ଶାନ୍ତ ସରଳ ସ୍ବଭାବର ଭାବଗ୍ରାହୀଙ୍କ ମୃତ୍ୟୁରେ ସହକର୍ମୀ ଓ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି।