ଯୁବତୀକୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ:କଙ୍ଗାରୁ କୋର୍ଟରେ ରଫାଦଫା ପାଇଁ ଚାପ

ବରାବାଟୀ: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ କରାଯାଇଛି। ଘଟଣା ଜଣାପଡ଼ିବା ପରେ ମାମଲାକୁ ରଫାଦଫା ପାଇଁ ଗାଁରେ କଙ୍କାରୁ କୋର୍ଟ ବସାଇ ଯୁବତୀଙ୍କ ବାପା ଉପରେ ଚାପ ପକାଯାଇଥିବା ନେଇ ଚର୍ଚା ହେଉଛି। ଏମିତିକି ପ୍ରଭାବଶାଳୀ ବ୍ୟକ୍ତିମାନେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିବା ନେଇ ମଧ୍ୟ ଅଭିଯୋଗ ଉଠୁଛି। ଏଭଳି ଘଟଣା ଜଣାପଡ଼ିବା ପରେ ଏବେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବୁଧବାର ସଂଧ୍ୟାରେ ଇଦ୍‌-ଉଲ-ଜୁହା ଅବସରରେ ଯୁବତୀ ଜଣକ ଗାଁର ଜନୈକ ଲୋକଙ୍କ ଘରକୁ ବୁଲିବାକୁ ଯାଉଥିଲେ। ଏହି ସମୟରେ ସେହି ସଂପ୍ରଦାୟର ୪/୫ଜଣ ଯୁବକ ତାକୁ ପିଛା କରିବା ସହିତ ଏକ ନିଛାଟିଆ ସ୍ଥାନରୁ ଟେକି ନେଇଥିଲେ। ଗାଁ ବିଦ୍ୟାଳୟ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଯୁବକମାନେ ଗଣଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ଘଟଣା ସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ଫଳରେ ଯୁବକମାନେ ସେଠାରେ ଛାଡ଼ି ଛୁ ମାରିଥିଲେ। ଝିଅ ଘରକୁ ଫେରିବାରେ ବିଳମ୍ବ ହେବାରୁ ପିରବାର ଲୋକେ ଖୋଜାଖୋଜି କରିଥିଲେ । ଏହି ସମୟରେ ଯୁବକମାନଙ୍କ ମଧ୍ୟରୁ ଜଣେ ଝିଅର ବାପାକୁ ଭେଟି ସେ ତାଙ୍କ ଝିଅକୁ ବ୍ରହ୍ମବରଦା ସ୍ଥିତ ବନ୍ଧୁୁ ଘରେ ଛାଡି ଦେଇ ଆସିଥିବା ସଫେଇ ଦେଇଥିଲେ । ମାତ୍ର ମସଜିଦ୍‌ ନିକଟରେ ଯୁବତୀଙ୍କ ଓଢ଼ଣୀ ପଡିଥିବା କେତେକ ଗାଁ ଲୋକ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ଯୁବତୀକୁ ମୁମୂର୍ଷୁ ଅବସ୍ଥାରେ ସ୍କୁଲ ନିକଟ ପରିତ୍ୟକ୍ତ ଘରୁ ଉଦ୍ଧାର କରାଯାଇଥିଲା। ଘଟଣାକୁ ନିଜ ସଂପ୍ରଦାୟ ମଧ୍ୟରେ ସୀମିତ ରଖିବାକୁ ପ୍ରୟାସ କରାଯିବା ସହିତ ଗାଁରେ କଙ୍କାରୁ କୋର୍ଟ ବସାଯାଇଛି।

ଏଥିରେ ପୀଡ଼ିତାଙ୍କ ବାପାଙ୍କୁ ଧମକଚମକ ଦିଆଯିବା ସହିତ ପ୍ରଲୋଭିତ କରାଯାଇଛି। ଯୁବତୀଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଭୟଭୀତ ହୋଇପଡ଼ିଛନ୍ତି। ପ୍ରଭାବଶାଳୀ ଯୁବକଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁନାହାନ୍ତି ବୋଲି ଆଲୋଚନା ହେଉଛି। ଏ ଦିଗରେ ପୁଲିସ ପ୍ରଶାସନ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର