ସରୁନି ଗ୍ରିଡ କାମ, ତେ‌ଜୁଛି ଅସନ୍ତୋଷ

କୁହିକା : ଡୁବୁରୀ ବିଦ୍ୟୁତ ଉପଖଣ୍ଡ ଅଧୀନସ୍ଥ ସୁକିନ୍ଦା ବିଦ୍ୟୁତ ସେକ୍ସନ୍‌ ଦାମୋଦରପୁର ଫିଡର୍‌ କାମ ସମ୍ପୂର୍ଣ୍ଣ ହେଉନି। ଏହି ଅଞ୍ଚଳର ବିଦ୍ୟୁତ ଉପଭୋକ୍ତାମାନେ ବର୍ଷବର୍ଷ ଧରି ବିଦ୍ୟୁତ ବିଭ୍ରାଟ ପାଇଁ ହିନସ୍ତା ହେଉଥିଲେ। ତେଣୁ ଏହାର ସମାଧାନ ପାଇଁ ଏଠାରେ ଏକ ୩୩/୧୧ ନୂତନ ଗ୍ରିଡ଼ ନିର୍ମାଣ କରାଯାଇଥିଲା। ନିର୍ମାଣ ଅବଧି ସରିବା ପରେ ମଧ୍ୟ ଏହି ନିର୍ମାଣାଧୀନ କାମ ସମ୍ପୂର୍ଣ୍ଣ ହେଉନି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଗତ ୨୦୧୫ ମସିହା ନଭେମ୍ବର ୧୦ ତାରିଖରେ ସୁକିନ୍ଦା ନିଜଗଡ଼ ଓ କାଙ୍କଡ଼ପାଳ ରାଜସ୍ୱ ସର୍କଲ ଅନ୍ତର୍ଗତ ମୂଳଖମ୍ବ-ଦାମୋଦରପୁର ମୌଜା ସୀମାନ୍ତରେ ଏହି ଗ୍ରିଡ କାର୍ଯ୍ୟର ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଶିଳାନ୍ୟାସ କରିଥିଲେ। ଏହା ମଧ୍ୟରେ ୩ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ କାମ ସମ୍ପୂର୍ଣ ହେଉନାହିଁ। ଏଲ୍‌ଏଣ୍ଡ୍‌ଟି କମ୍ପାନି କାର୍ଯ୍ୟ ନିର୍ବାହ ପାଇଁ ଚୁକ୍ତି କରିଥିବା ଅନ୍ୟ ଜଣେ ଠିକାଦାର କାମ କରୁଛନ୍ତି। ସ୍ଥାନୀୟ ଶାସକ ଦଳର ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଚାପରେ ଏଲ୍‌ଏଣ୍ଡ୍‌ଟି କମ୍ପାନି ଏହି ଠିକାଦାରଙ୍କୁ କାମର ଦାୟିତ୍ବ ଦେଇଥିବା ଚର୍ଚ୍ଚା ହେଉଛି। ସୁକିନ୍ଦା ସେକସନ୍‌ରେ କୌଣସି ଅସୁବିଧା ହେଲେ ଦାମୋଦରପୁର ଫିଡର୍‌ରୁ ବିଦ୍ୟୁତ ସରବରାହ ବନ୍ଦ କରାଯାଉଛି। ଏହାକୁ ନେଇ ସ୍ଥାନୀୟ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଫିଡର ଅନ୍ତର୍ଗତ ଦୁଧୁଜୋରୀ, ବନ୍ଧଗାଁ, କୁହିକା, ପିମ୍ପୁଡ଼ିଆ, କାଙ୍କଡ଼ପାଳ, ରାଂସୋଳ ଆଦି ପଞ୍ଚାୟତର ଶହଶହ ଉପଭୋକ୍ତା ବିଦ୍ୟୁତ୍‌ ସମସ୍ୟାରେ ଛଟପଟ ହେଉଛନ୍ତି। ନିର୍ମାଣାଧୀନ ଗ୍ରିଡ୍‌କୁ ଉପଭୋକ୍ତାମାନେ ଦୀର୍ଘ ୩ ବର୍ଷ ହେଲା ଚାହିଁ ବସିଥିବା ବେଳେ କାମ ଶେଷ ହେବାର ନାଁ ଧରୁନି। ତୁରନ୍ତ ଏହି ଗ୍ରିଡ୍‌କୁ କାର୍ଯ୍ୟକ୍ଷମ କରି ଉପଭୋକ୍ତମାନଙ୍କୁ ସ୍ବାଭାବିକ ସେବା ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର