ଯାଜପୁର/ଚଢେଇଧରା : ଡଙ୍କାରୀରେ ପ୍ରସ୍ତାବିତ ଭୂତଳ ତୈଳ ଭଣ୍ଡାର ପାଇଁ ଛକାପଞ୍ଝା ଲାଗି ରହିଥିବା ବେଳେ ଆଜି ଏକ ଅନୁସନ୍ଧାନ ଟିମ୍ ଏଠାରେ ପହଞ୍ଚି ରାଜସ୍ୱ କ୍ଷତି ଆକଳନ କରିଛି। ଧର୍ମଶାଳା ତହସିଲ ଭାରପ୍ରାପ୍ତ ତହସିଲଦାର ଶୀତଲ ଅଗ୍ରଓ୍ଵାଲ୍, ଜେନାପୁର ଥାନା ଅଧିକାରୀ ସୁଶାନ୍ତ ଦାସ, ଟାଟା ଷ୍ଟିଲର ସର୍ଭେ ବିଭାଗର ଅତିରିକ୍ତ ପରିଚାଳକ ପଦ୍ମୁନ୍ ବିଶ୍ୱାଳ, ଜିଲ୍ଲା ଖଣି କାର୍ଯ୍ୟାଳୟର ବରିଷ୍ଠ ସର୍ଭେ ଅଧିକାରୀ ପି.କେ. ସାହାଣୀ, ରାଜସ୍ୱ ଖଣି ଓ ପୁଲିସ୍ ବିଭାଗର ଅଧିକାରୀମାନେ ଆଜି ଡ଼ଙ୍କାରୀରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଫେରିଯାଇଥିବା ଜଣାଯାଇଛି।
ପ୍ରସ୍ତାବିତ ସ୍ଥାନରେ ଭାରତର ସର୍ବ ବୃହତ୍ ଅଶୋଧିତ ତୈଳ ଭଣ୍ଡାର ପାଇଁ କେନ୍ଦ୍ର କ୍ୟାବିନେଟ୍ରେ ଅର୍ଥ ମଞ୍ଜୁର ହୋଇସାରିଛି। ପ୍ରକଳ୍ପ ଲାଗି ଆବଶ୍ୟକ ୬୦୦ ଏକର ସରକାରୀ ଜାଗା ଯୋଗାଇବା ଲାଗି କେନ୍ଦ୍ର ପେଟ୍ରୋଲିୟମ୍ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। କେନ୍ଦ୍ର ଚିଠି ପରେ ରାଜ୍ୟ ମୁଖ୍ୟଶାସନ ସଚିବ ଡ଼ଙ୍କାରୀ ପାହାଡ଼ରେ ଖଣି ଖନନ ବନ୍ଦ କରିବା ସହ ଜାଗା ଚିହ୍ନଟ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।
ଡଙ୍କାରୀରେ ପ୍ରସ୍ତାବିତ ତୈଳ ଭଣ୍ଡାର କରାଗଲେ ରାଜ୍ୟ ସରକାର ବାର୍ଷିକ ୧୪୫୦ କୋଟି ଟଙ୍କା ରାଜସ୍ୱ ହରାଇବେ ବୋଲି ଜିଲ୍ଲା ପ୍ରାଶାସନ ସରକାରଙ୍କୁ ଅବଗତ କରାଇଥିଲେ। ବାସ୍ତବତାକୁ ନେଇ ବିଭିନ୍ନ ସାମାଜିକ କର୍ମୀ ଓ ସଂଗଠନ ମୁଖ୍ୟ ଶାସନ ସଚିବଙ୍କୁ ଭେଟି, ଜିଲ୍ଲା ପ୍ରଶାସନ ଦ୍ୱାରା ଆକଳନ କରାଯାଇଥିବା ରାଜସ୍ୱହାନି ଘଟଣାକୁ କପୋଳକଳ୍ପିତ ବୋଲି ଅଭିଯୋଗ କରିଥିଲେ। ବିଗତ ଦିନରେ ଡଙ୍କାରୀରୁ ଆୟ ରାଜସ୍ୱ ହିସାବ ଏବଂ ପ୍ରଶାସନର ଦ୍ୱାରା ଆକଳନ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ରହିଛି ବୋଲି କୁହାଯାଉଛି।
ଧର୍ମଶାଳା ତହସିଲଦାର ଓ ଖଣି ବିଭାଗର ସର୍ଭେ ମାଇନିଂ ନିର୍ଦେଶକଙ୍କ ସୂଚନା ଅନୁସାରେ ଜିୟୋଲୋଜି ବିଭାଗ ସହାୟତାରେ ରାଜସ୍ୱହାନିର ଆକଳନ କରାଯିବ। ଆଗାମୀ ୧୫ ଦିନ ମଧ୍ୟରେ ସର୍ଭେ କାମ ଆରମ୍ଭ ହୋଇ ଦୁଇ ମାସ ମଧ୍ୟରେ କମିଟି ପ୍ରକୃତରେ ରାଜ୍ୟ ସରକାର କେତେ ରାଜସ୍ୱ ହରାଇବେ ତାହାର ଏକ ରିପୋର୍ଟ ପ୍ରସ୍ତୁତ କରିବ ବୋଲି ପ୍ରକାଶ କରିଛନ୍ତି। ଡଙ୍କାରୀରେ ଭୂତଳ ତୈଳ ଭଣ୍ଡାର କରାଗଲେ କେତେ ରାଜସ୍ୱ କ୍ଷତି ହେବ, ତାହାର ଏକ ସଠିକ୍ ଆକଳନ ଲାଗି ଏକ ଟିମ୍ ଗଠନ କରାଯାଇଛି।
ଏହି ପ୍ରକଳ୍ପକୁ ପଥର ଓ କ୍ରସର ବ୍ୟବସାୟୀମାନେ ବିରୋଧ କରୁଥିବା ବେଳେ ରାଜନୈତିକ ଛକାପଞ୍ଝା ମଧ୍ୟରେ ଅଟକି ରହିଛି। କୋଟି କୋଟି ଆୟ କରୁଥିବା ପଥର ବ୍ୟବସାୟୀ ଓ କ୍ରସର ମାଲିକମାନେ ବିଭିନ୍ନ ସ୍ତରରେ ବିରୋଧ କରୁଥିବା ବେଳେ କେନ୍ଦ୍ର ସରକାର ନିର୍ବାଚନକୁ ଆଖି ଆଗରେ ରଖି କେବଳ ନାମକୁ ମାତ୍ର ତନାଘନା କରୁଛନ୍ତି। ସର୍ଭେ କରିବାକୁ ୨ମାସ ସମୟ ନେବା ଘଟଣାରୁ ଏହା ଷ୍ପଷ୍ଟ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଭୂତଳ ତୈଳ ଭଣ୍ଡାର ପାଇଁ ଛକାପଞ୍ଝା:ଡଙ୍କାରୀରେ ଅନୁସନ୍ଧାନ ଟିମ୍ର ରାଜସ୍ୱ କ୍ଷତି ଆକଳନ
/sambad/media/post_attachments/wp-content/uploads/2018/09/Coal-Iron-Ore-Mines-Oil-Gas-Investments_jpg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)