କାଳିଆପାଣି: ଯାଜପୁରଜିଲ୍ଲା ସୁକିନ୍ଦା କ୍ରୋମ୍ ଉପତ୍ୟକାର ଖଣି ପ୍ରଭାବିତ ୯ ପଞ୍ଚାୟତ ଓ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକର ୫ ସୀମାନ୍ତ ପଞ୍ଚାୟତରେ ୭୦ ବର୍ଷ ଧରି ପ୍ରଭୁନାମ ଧରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟିରେ ଅଗ୍ରଦୂତ ସାଜିଥିବା ପୁରୁଖା ସଂକୀର୍ତ୍ତନ ଗୁରୁ ଗନ୍ଧାପାଳ ଗାଁ ମୁଖିଆ ଦୁଃଶାସନ ନାୟକ(୮୧) ଏବେ ଆରପାରିରେ। ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତ ଗନ୍ଧାପାଳସ୍ଥିତ ନିଜ ଘରେ ଆଜି ପବିତ୍ର ମହାଷ୍ଟମୀରେ ତାଙ୍କର ଦେହାନ୍ତ ହୋଇଯାଇଛି। ଗତ କିଛିଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ଖବର ଶୁଣି ଉଭୟ ଜିଲ୍ଲାର ଶତାଧିକ ପ୍ରତିଷ୍ଠିତ ଛାତ୍ର ଘରେ ଓ ଶ୍ମଶାନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ। ‘ଦୁଃଶାସନ ନାୟକ ଅମର ରହେ’ ଧ୍ବନିରେ ମରଶରୀର ଶୋଭାଯାତ୍ରା ଓ ଶ୍ମଶାନ ପ୍ରକମ୍ପିତ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ୨ ପୁଅ ପ୍ରଶାନ୍ତ ଓ ବିଭୂତି, ଝିଅଜ୍ବାଇଁ, ନାତିନାତୁଣୀ ଓ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ।
ଦୁଃଶାସନ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ହେଁ ଶାଠରେ ସେ ପାରଙ୍ଗମ ଥିଲେ। ୭୦ ବର୍ଷର ସଂଗୀତ ସାଧନା ଓ ମୃଦଙ୍ଗ ବାଦନକୁ ପୁଞ୍ଜିକରି ସେ ଅଦ୍ବିତୀୟ ଆଞ୍ଚଳିକ ସଂକୀର୍ତ୍ତନ ଗୁରୁ ମାନ୍ୟତା ପାଇଥିଲେ। ତାଙ୍କ ମୃଦଙ୍ଗ ଯେମିତି ସଜେଇ ହେଉଥିଲା ତାଙ୍କ ବାଦନ ଶୈଳୀ ବି ସେମିତି ଆକର୍ଷଣୀୟ ଥିଲା। ତାଙ୍କ ଗାୟନରେ ପାରମ୍ପରିକ ସଂଗୀତ ଛାନ୍ଦ, ଚମ୍ପୁ, ଚଉପଦୀ, ନବାକ୍ଷରୀ ଓ ଗାନ୍ଧର୍ବ କଳାର ନିଦର୍ଶନ ଭରି ରହିଥିଲା।
ନିଜ ଗାଁ ବ୍ୟତୀତ କୁହିକା, ବାମ୍ବିଲୋ, କାଙ୍କଡ଼ପାଳ, କାଦୁଅବନ୍ଦୀ, ନୂଆଡିହି, କୁମୁରସିଙ୍ଗା, ବଉଳପାଳ, ଦାମୋଦରପୁର, କେନ୍ଦୁପଡ଼ା, ଦର୍ଜନୀ, ବାରୁଆଁ ଇତ୍ୟାଦି ଗାଁର ଆଗ୍ରହୀ ଯୁବକମାନଙ୍କୁ ସେ ନାମ ସଂକୀର୍ତ୍ତନ ଓ ମୃଦଙ୍ଗ ବାଦନ ଶିକ୍ଷା ଦେଇଆସୁଥିଲେ। ପ୍ରଶିକ୍ଷଣ ପାଇଁ ତାଙ୍କୁ ଜିଲ୍ଲା ବାହାରୁ ବହୁବାର ନିମନ୍ତ୍ରଣ ଆସୁଥିଲେ ହେଁ ଅର୍ଥ ରୋଜଗାରକୁ ପ୍ରାଧାନ୍ୟ ଦେଉନଥିଲେ। ବରଂ ବିଲୁପ୍ତ ହେବାକୁ ବସିଥିବା ଆଞ୍ଚଳିକ ସଂକୀର୍ତ୍ତନ ବଞ୍ଚାଇ ରଖିବାକୁ ସଂକଳ୍ପବଦ୍ଧ ଥିଲେ। ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରି ସେମାନେ ସଂକୀର୍ତ୍ତନ(ମୃଦଙ୍ଗ ବାଦନ ଓ ଗାୟନ)ରେ ପ୍ରତିଷ୍ଠିତ ବୋଲି କହନ୍ତି ବିକ୍ରମ କୁମାର ନାୟକ, ପ୍ରକାଶ ମହାକୁଡ଼, ମହେଶ୍ବର ନାୟକ, ବୁନା ପରିଡ଼ା, ପର୍ଶୁରାମ ମହାକୁଡ଼, ହରିହର ନାୟକ, ଦିଲ୍ଲୀପ କୁମାର ନାୟକ, ମନୋଜ ପାତ୍ର, ପଦନ ନାୟକ, ନରହରି ବାରିକ, ସୁବୁଦ୍ଧି ବେହେରା, ଜୟକୃଷ୍ଣ ନାୟକ, କାର୍ତ୍ତିକ ସାମଲ, ନିତ୍ୟାନନ୍ଦ ପରିଡ଼ା ପ୍ରମୁଖ।
୩ ଶହରୁ ଅଧିକ ସୁଯୋଗ୍ୟ ଛାତ୍ର ସୃଷ୍ଟିକରି ସେ ଅମର ହୋଇଯାଇଥିବା କହନ୍ତି ପୂର୍ବତନ ସରପଞ୍ଚ ଦୀପକ କୁମାର ନାୟକ। କ୍ରୋଧ, ଅହଂକାର, ଛନ୍ଦ ଓ କପଟ ବିବର୍ଜିତ ଏହି ସଂକୀର୍ତ୍ତନ ସାଧକଙ୍କ ମୃତ୍ୟୁ ପାରମ୍ପରିକ କଳାସଂସ୍କୃତି ପାଇଁ ଅପୂରଣୀୟ କ୍ଷତି ବୋଲି କହନ୍ତି ତାଙ୍କ ସମସାମୟିକ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରତ୍ନାକର ବାରିକ ଓ ବରିଷ୍ଠ ଗାଁ ସଂଗଠକ ବ୍ରଜ କିଶୋର ବାରିକ।
Jajpur