ଯାଜପୁର: ଉନ୍ନତ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ସରକାର ମାଳମାଳ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଯାଜପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦୂରଦୂରାନ୍ତରୁ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜରୁରୀ ଚିକିତ୍ସା ପାଇବାକୁ ଆସୁଥିବା ରୋଗୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।
ସୁକିନ୍ଦା ବ୍ଲକ୍ କଅଁସ ବାଲିପଡ଼ାର ରାଉତ ମୁଣ୍ଡାଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲା ସଦର ମହକୁମାରୁ ପାଖାପାଖି ୧୦୫ କିମି ଓ ସୁକିନ୍ଦା ବ୍ଲକ୍ରୁ ୩୫ କିମି ଦୂରରେ ତାଙ୍କ ଘର। ତାଙ୍କ ପତ୍ନୀ ଚମ୍ପୁ କାନ୍ଦେୟାଁ ୯ ମାସର ଗର୍ଭବତୀ ଥିବାରୁ ସୁକିନ୍ଦା ସିଏଚ୍ସିରେ ଭର୍ତ୍ତି ହୋଇଥିଲେ। ଶନିବାର ରାତିରେ ତାଙ୍କୁ ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗକୁ ସ୍ଥାନାନ୍ତର କରାଗଲା। ରକ୍ତରେ ହିମୋଗ୍ଲୋବିନ୍ ପରିମାଣ କମ୍ ଥିବାରୁ ୩ ଦିନରେ ୩ଟି ରକ୍ତ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଫଳରେ ସେଠାରେ ରହିବାକୁ ପଡ଼ିବାରୁ ଘରୁ ଆବଶ୍ୟକ ଜିନିଷ ଆଣିବା ଲାଗି ସ୍ବାମୀ ରାଉତ ମୁଣ୍ଡା ଗାଁକୁ ଯାଇଥିଲେ। ଏହାପରେ ରବିବାର ଦିନ ୱାର୍ଡରେ ଥିବା ଅନ୍ୟ ଗର୍ଭବତୀ ଓ ପ୍ରସୂତିମାନଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଇଥିବାବେଳେ ତାଙ୍କ ପତ୍ନୀ ଘରୁ ଥାଳି ନେଇନଥିବାରୁ ତାଙ୍କୁ ଖାଇବାକୁ ଦିଆଯାଇନଥିଲା। ଫଳରେ ସେ ଦିନତମାମ ଭୋକ ଉପାସରେ ରହିଥିଲେ। ଏହାପରେ ରାତିରେ ସ୍ବାମୀ ରାଉତ ମୁଣ୍ଡା ଗାଁରୁ ଫେରି ପତ୍ନୀଙ୍କ ଠାରୁ ସବୁକଥା ଶୁଣିବା ପରେ ୱାର୍ଡ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ପଚାରିଥିଲେ।
ସେମାନେ ଅଭିଯୋଗ ଶୁଣିବା ବଦଳରେ ରାଉତଙ୍କୁ ଦୁର୍ବ୍ୟବହାର କରିବାରୁ ଗର୍ଭବତୀ ପତ୍ନୀଙ୍କୁ ଧରି ସିଧା ଘରକୁ ଫେରିଆସିଥିଲେ। ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ରାଉତଙ୍କୁ ବୁଝାସୁଝା କରି ଆମ୍ବୁଲାନ୍ସ ଯୋଗେ ତାଙ୍କ ପତ୍ନୀଙ୍କୁ କଟକ ବଡ଼ ମେଡିକାଲ ପଠାଇଛନ୍ତି। ଏହା କେବଳ ରାଉତ ମୁଣ୍ଡାଙ୍କ କ୍ଷେତ୍ରରେ ନୁହେଁ, ସୁକିନ୍ଦା ବ୍ଲକ୍ର ବିଭିନ୍ନ ଅଞ୍ଚଳରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ଲୋକେ ଅବହେଳାର ଶିକାର ହେଉଥିବା ଅଭିଯୋଗ କରୁଛନ୍ତି। ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କ ଅଭିଯୋଗକୁ ଗୁରୁତ୍ବ ଦେଉନଥିବାରୁ ରୋଗୀ ଡାକ୍ତରଖାନାରୁ ଡିସ୍ଚାର୍ଜ ନହୋଇ ସିଧା ଘରକୁ ପଳାଇ ଆସୁଛନ୍ତି।
ଅନ୍ୟପକ୍ଷରେ ଏଭଳି ଏକ ସଙ୍ଗିନ ଅଭିଯୋଗ ସମ୍ପର୍କରେ ଯାଜପୁର ସିଡିଏମ୍ଓ ଡାକ୍ତର ବିଜୟ କୁମାର ମିଶ୍ରଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଜିଲ୍ଲାପାଳ ତଥା ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି କରାଯାଇଛି।
Health | Jajpur