ଅଜାଡ଼ିଲା, ଉଜାଡ଼ିଲା

ଦଶରଥପୁର/ବିଂଝାରପୁର : ଲଗାଣବର୍ଷାରେ ଦଶରଥପୁର ଏବଂ ବିଂଝାରପୁର ବ୍ଲକ୍‌ର ଶହ ଶହ କଚ୍ଚା ଘର ଧରାଶାୟୀ ହୋଇଛି। ଦଶରଥପୁର ବ୍ଲକର କେତେକ ପରିବାର ବିପଦପୂର୍ଣ୍ଣ ଅବସ୍ଥାରେ ଘର ରହୁଥିବାବେଳେ ବହୁ ପରିବାର ଘର ଛାଡି ପଡୋଶୀ ଏବଂ ସ୍କୁଲର ଆଶ୍ରୟ ନେଇଛନ୍ତି। ଏତେ ସଂଖ୍ୟକ ଘର ଲଗାଣ ବର୍ଷାରେ ପୂର୍ବରୁ ଭାଙ୍ଗିନଥିବା ସୂଚନା ରହିଛି । ବିଂଝାରପୁର ବ୍ଲକ୍‌ରେ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଯାଇଛି। ୧୯ଟି ସ୍ଥାନରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।
ତହସିଲଦାର ଜ୍ୟୋତିପ୍ରକାଶ ମହାନ୍ତି ଏବଂ ଆରଆଇମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହାଛଡା ବହୁ ଲୋକେ ତହସିଲ କାଯ୍ୟର୍ାଳୟରୁ ପାଲ ନେଇଥିବା ସୂଚନା ରହିଛି । ଏଯାଏ ପ୍ରଶାସନ ପକ୍ଷରୁ ରିଲିଫ୍‌ କି ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇନାହିଁ।
ବିଂଝାରପୁର ବ୍ଲକରେ ଆଜି ୨୯୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଶତାଧିକ ମାଟି ଘର ଭୁଶୁଡି ପଡ଼ିଛି। ଅଳକୁଣ୍ଡ ଗ୍ରାମର ବିଧବା ମହିଳା ହାଜୋ ବିବି, ଗୁଲସନ ବିବି, ମିର ସମସେର, ଆନନ୍ଦ ନାଥ, ଅଜୟ ମଲିକ, ସେକ ହନ୍ନାନ, ହୁଣ୍ଡା ସେଠୀଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର ଭୁଶୁଡି ପଡ଼ିଥିବା ବେଳେ ନୂଆଗାଁରେ ୩ ଜଣ, ବିଂଝାରପୁରରେ ୧୦ ଜଣ, ଜରିରେ ୧୨ଜଣ, କଲ୍ୟାଣପୁରରେ ୧୦ଜଣ, ମାଁସଡାରେ ୮ଜଣ, ଶାସନ୍ଦାରେ ୬ଜଣଙ୍କ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶତାଧିକ ଲୋକଙ୍କ ଘର ଭୁଶୁଡି ପଡ଼ିଛି। ଅଳକୁଣ୍ଡ, ଜରି, କଲ୍ୟାଣପୁର, ଶାସନ୍ଦା, ପ୍ରୀତିପୁର ଆଦି ପଞ୍ଚାୟତର ସରପଞ୍ଚମାନେ ଘର ଭାଙ୍ଗିଥିବା ପରିବାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିଥିବା ଖବର ମିଳିଛି।
ଜରି ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଦଳିତ ସାହିର ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ଘରେ ପାଣି ପଶିଛି। ଏନେଇ ସ୍ଥାନୀୟ ଲୋକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ବିପନ୍ନଙ୍କ ନିକଟରେ ପହଞ୍ଚି ନାହିଁ। ଦଳିତ ସାହିର ଉତ୍ତ୍ୟକ୍ତ ଲୋକ ସିଂହପୁର-ବାଙ୍ଗରା ମୁଖ୍ୟ ରାସ୍ତାରେ କାଠଗଣ୍ଡି ପକାଇ ଅବରୋଧ କରିଥିଲେ। ଦୀର୍ଘ ୧ଘଣ୍ଟା ପରେ ଜରି ଫାଣ୍ଡି ଅଧିକାରୀ ଇନ୍ଦ୍ରମଣି ଜୁଆଙ୍ଗ ପହଞ୍ଚି ବୁଝାସୁଝା କରିବା ସହ ବର୍ଷା ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେବାରୁ ରାସ୍ତା ରୋକ ଉଠିଥିଲା।

ସମ୍ବନ୍ଧିତ ଖବର