ବରଗାଡ଼ିରୁ ଲୁଟ୍‌ ଉଦ୍ୟମ ଫେଲ୍‌ : ପୁଲିସ୍‌ ପଞ୍ଝାରେ ଦୁଇ ରାଜପଥ ଲୁଟିଆ

ବନ୍ଧୁକ, ଛୁରି ଆଦି ମାରଣାସ୍ତ୍ର ଜବତ୍‌

ବୈରୀ : ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଲୁଟିଆ ଏକ ବରଗାଡ଼ିକୁ ପିଛାକରି ଲୁଟ୍‌ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ହାବୁଡ଼ରେ ପଡ଼ିଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ଦୁଇଟି ଛୁରି, କିଛି ଲଙ୍କା ଗୁଣ୍ଡ, ଗୋଟିଏ ସୁନାଚେନ୍‌, ୪ଟି ସିମ୍‌ କାର୍ଡ ଜବତ କରିଛି। ସେମାନେ ବ୍ୟବହାର କରୁଥିବା ପଲସର ଗାଡ଼ିକୁ ବି ପୁଲିସ ଜବତ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର କୋରେଇରୁ ବାହାଘର ସାରି ଗୋଟିଏ ବରକନ୍ୟା ଦଳ ଗାଡ଼ିରେ କଟକ ଫେରୁଥିଲା। ଉକ୍ତ ଗାଡ଼ିକୁ ଦୁଇ ଲୁଟେରା ପାଣିକୋଇଲି ଟୋଲ ଗେଟ୍‌ ନିକଟରୁ ପିଛା କରିଥିଲେ। ବୈରୀ ଥାନା ଅନ୍ତର୍ଗତ ନେଳିଆ ପେଟ୍ରୋଲ୍‌ ପମ୍ପ୍‌ ଠାରୁ କିଛି ଦୂରରେ ବରକନ୍ୟା ଗାଡ଼ିକୁ ଅଟକାଇ ଲୁଟ୍‌ ଉଦ୍ୟମ କରିଥିଲେ। ବରକନ୍ୟାଙ୍କ ସହିତ ଥିବା ଲୋକେ ଓ ଲୁଟେରାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ କେହି ଜଣେ ବୈରୀ ଥାନାକୁ ଖବର ଦେଇଥିଲେ। ଖବର ପାଇବା ପରେ ବୈରୀ ଥାନାଧିକାରୀ ନିରଞ୍ଜନ ଶବର ଛତିଆ ଚେକ୍‌ ପୋଷ୍ଟ୍‌ ପାଟ୍ରୋଲିଂ ଗାଡ଼ିକୁ ନିର୍ଦେଶ ଦେଇଥିଲେ। ପାଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଦୁଇ ଲୁଟେରାଙ୍କୁ କାବୁ କରିନେଇଥିଲେ। ସେମାନେ ହେଲେ କଟକ ମଙ୍ଗଳାବାଗ ଥାନା ଶଗଡ଼ିଆ ସାହିର ଅଜୟ ମହାରଣା (୩୫) ଓ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଏରସମା ଗ୍ରାମର ରାଜେଶ ସ୍ୱାଇଁ।

ଉଭୟଙ୍କ ଠାରୁ ଗୋଟିଏ ମାଉଜର୍‌, ଦୁଇଟି ଛୁରି, ଗୋଟିଏ ଗାଡ଼ି (ଓଡି.୦୨ସି.୨୨୪୦), ଗୋଟିଏ ସୁନା ଚେନ୍‌, ୪ଟି ସିମ୍‌ କାର୍ଡ, କିଛି ଲଙ୍କା ଗୁଣ୍ଡ ଏବଂ ଲୁଟେରା ବ୍ୟବହାର କରୁଥିବା ପଲସର୍‌ ଗାଡ଼ି (ଓଡି.୦୫ଓକ୍ୟୁ.୨୭୨୨) ଗାଡ଼ିକୁ ପୁଲିସ୍‌ ଜବତ୍‌ କରି ବୈରୀ ଥାନା କେଶ୍‌ ନଂ ୧୦୫/୧୭ ଦଫା ୩୯୩, ୩୯୪ରେ ଗିରଫ୍‌ କରି କୋର୍ଟଚାଲାଣ କରିଛି। ଅଜୟ ମହାରଣାଙ୍କ ନାମରେ ପୂର୍ବରୁ ଖୋର୍ଧା, ଜଙ୍କିଆ, ଢ଼େଙ୍କାନାଳ, ବଡ଼ଚଣା, ହିନ୍ଦୋଳ, ରେଢ଼ାଖୋଲ ଥାନାରେ ଭିନ୍ନଭିନ୍ନ ମାମଲା ରହ଼ିଛି। ଛତିଆ ଚେକ୍‌ ପୋଷ୍ଟ ଏଏସ୍‌ଆଇ ଅଭୟ ବେହେରା, ସୟଦ ବସୁ, ସୁଶାନ୍ତ ଦଳେଇ, ପ୍ରଶାନ୍ତ ରାଉତ, ହରିଶ ସାଣ୍ଡଲ, ନଟବର ଦଳେଇ, ଅରୁଣ ରାଉତ ପ୍ରମୁଖ ଲୁଟେରାଙ୍କୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର