ପାହାଡ଼, ଖାଦାନରେ ଚଢ଼ଉ: ୧୦ କ୍ରସର୍ ଓ ପିଚୁ ପ୍ଲାଣ୍ଟ ଯାଞ୍ଚ:୨.୬କୋଟି ଟଙ୍କାର ପଥର ଜବତ, ୩ ହାଇୱା ଅଟକ

ଯାଜପୁରରୋଡ୍/କବାଟବନ୍ଧ,: ଧର୍ମଶାଳା ତହସିଲର ଡଙ୍କାରୀ ପାହାଡ ବିବାଦ ଏବେ ଏନଜିଟି ଓ ସୁପ୍ରିମକୋର୍ଟ ର ବିଚାରଧୀନ ଥିବା ବେଳେ ଧର୍ମଶାଳା ତହସିଲଦାର ଓ ପୁଲିସ ଫୋର୍ସ ଆଜି ଡଙ୍କାରୀ, ରାହଡ଼ପୁର, ଆରୁହା,ବିଛାଖଣ୍ଡି ପ୍ରଭୃତି ପାହାଡରେ ଚଢଉ କରି ୧୦କ୍ରସର୍ ଓ ଗୋଟିଏ ପିଚୁ ପ୍ଲାଣ୍ଟର ବ୍ୟାପକ ଅନିୟମିତାର ପର୍ଦ୍ଦାଫାସ କରିଛନ୍ତି। କ୍ରସରଗୁଡ଼ିକରେ ଗଚ୍ଛିତ ଥିବା ପ୍ରାୟ ୨ଲକ୍ଷ ଘନ ମିଟର ବିନାକାଗଜପତ୍ରର କଳାପଥର ତଦନ୍ତକାରୀ ଦଳ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨କୋଟି ୬୦ଲକ୍ଷ ଟଙ୍କା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୭ଦିନ ମଧ୍ୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ଧର୍ମଶାଳା ତହସିଲ ଦାୟିତ୍ବରେ ଥିବା ରସୁଲପୁର ତହସିଲଦାର ସରୋଜ ପଣ୍ଡା କ୍ରସର ମାଲିକଙ୍କୁ ନିର୍ଦେଶ ଦେଇଛନ୍ତି।
ତହସିଲଦାର ଶ୍ରୀ ପଣ୍ଡାଙ୍କ ନେତୃତ୍ବରେ ଜେନାପୁର ଥାନାଧିକାରୀ ସୁଶାନ୍ତ ଦାଶଙ୍କ ସମେତ ରାଜସ୍ବ ବିଭାଗର ଡ଼ଙ୍କାରୀ ଆରଆଇ ମନୋଜ କୁମାର ସାମିଲ, ବଡ଼କାଏମାର ବରଞ୍ଚି ନାରାୟଣ ବୋଇତାଇ, ନାଗପୋଲର ଚନ୍ଦନ କୁମାର ସାହୁ, ଆରୁହାର ଜଗବନ୍ଧୁ ଜେନା ଓ ପୁଲିସ ଫୋର୍ସ ଆଜି ଅଚାନକ ଡଙ୍କାରୀ, ରାହାଡ଼ପୁର, ଆରୁହା, ବିଛାଖଣ୍ଡି ପ୍ରଭୃତି ପାହାଡ଼ ଉପରେ ଚଢଉ କରିଥିଲେ। ଚଢଉ ବେଳେ ବାବା କ୍ରସର୍ , ଏନକେସି କ୍ରସର୍, ସିଆଇଏଲ୍ କ୍ରସର୍, ଏଆର୍ଏସଏସ୍ କ୍ରସର୍, ଏସଟି ମିନେରାଲ୍, ସାଇ ଶ୍ୟାମ କ୍ରସର୍, ମା ଚଣ୍ଡି ମିନେରାଲ, ଏମଏମ ଇନପ୍ରାଂ କ୍ରସର୍, ସମ୍ପାରୁ କ୍ରସର ରେ ପ୍ରାୟ ୨ଲକ୍ଷ ଘନ ମିଟର କଳାପଥର ବେଆଇନ୍ ଭାବେ ଗଚ୍ଛିତ ଥିବା ଜଣାପଡିଛି। ଯାହାର ଆବଶ୍ୟକ କାଗଜପତ୍ର ସଂପୃକ୍ତ କ୍ରସରର ମାଲିକ ଆଜି ଦର୍ଶାଇ ପାରିନାହାନ୍ତି। ଘନ ମିଟର ୧୩୦ ଟଙ୍କା ହିସାବରେ ପ୍ରାୟ ୨କୋଟି ୬୦ଲକ୍ଷ ଟଙ୍କାର ଏହି ପଥର ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି।
ରାହାଡ଼ପୁର ରୁ ମଧ୍ୟ ୩ଟି ହାଇୱା (ଓଡ଼ି ୩୩ପି ୪୭୯୭, ଓଡି ୧୯ସି୯୮୪୫ ,ଓଆର ୦୪ଏନ୍ ୪୭୮୫) ଜବତ କରାଯାଇଛି। ଏଥି ସହିତ ପିଚୁ ପ୍ଲାଣ୍ଟରେ ଚଢଉ କରାଯାଇଥିଲା । ଏଠାରେ ମଧ୍ୟ ବ୍ୟାପକ ଅନିୟମିତତାର ସୁରାଗ ମିଳିଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏପରିକି ଆବଶ୍ୟକ ହେଲେ କ୍ଲୋଜର ନୋଟିସ୍ ଜାରି ହେବ ବୋଲି ସୂଚନା ଦେଇଛନ୍ତି।
ସେହିପରି ରାହାଡ଼ପୁର ୧୦ନମ୍ବର ଖଣି ବନ୍ଦ ହୋଇଯାଇଥିଲେ ହେଁ ବ୍ୟାପକ ଚୋରା ପଥର ଚାଲାଣ ହେଉଛି ବୋଲି ଆଜି ଚଢାଉ ବେଳେ ଧରାପଡ଼ିଛି। ସେଠାରେ ୧୪୪ ଜାରି କରାଯିବ ବୋଲି ତହସିଲଦାର ଶ୍ରୀ ପଣ୍ଡା କହିଛନ୍ତି । ଆଜିର ଚଢାଉ ପରେ ପୁଣି ବେଆଇନ୍ କ୍ରସର ଗୁଡ଼ିକର ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବର୍ଷ ବର୍ଷ ଧରି ଚୋରା କଳାପଥର କାରବାର କରୁଥିବା ପଥର ବ୍ୟବସାୟୀ ଓ କ୍ରସର ମାଲିକ ପୁଣି ଅଧିକାରୀଙ୍କୁ ମୂଲଚାଲ କରିବାର ଆରମ୍ଭ କରି ଦେଇଛନ୍ତି। ମଝିରେ ମଝିରେ ଚଢଉ ହେଉଥିବା ସୁଯୋଗରେ ମଧ୍ୟ କେତେକ ରାଜସ୍ବ ଅଧିକାରୀ, ପୁଲିସ ଓ ଜଙ୍ଗଲ ବିଭାଗ ଓ ପ୍ରଦୂଷଣ ବିଭାଗ ବେଶ ମାଲାମାଲ ହେଉଛନ୍ତି। ଅଥଚ ବେଆଇନ୍ କାରବାର ବନ୍ଦ କରିବା କିମ୍ବା ଆଇନ୍ ଅନୁଯାଇ କ୍ରସରକୁ ଅନୁମତି ଦେବା କ୍ଷେତ୍ରରେ ପ୍ରଶାସକମାନେ ଠୋସ ପଦକ୍ଷେପ ନେବାକୁ ଟାଳଟୁଳ ନୀତି ଗ୍ରହଣ କରି ଚାଲିଛନ୍ତି। ପ୍ରଶାସନର ଏହି ଆଭିମୁଖ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର