ଯାଜପୁର(ସଂଗ୍ରାମ କେଶରୀ ସିଂହ): ପୁଅର ମୃତ୍ୟୁ ହେବା ପରେ ମା’-ବାପା ମଧ୍ୟ ଜୀବନ ହାରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ବଞ୍ଝାରପୁର ଥାନା ଅନ୍ତର୍ଗତ ଉଡ୍ରଙ୍ଗା ଅଞ୍ଚଳରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ଗାଁର ସ୍ୱାମୀ-ସ୍ତ୍ରୀ ପ୍ରଦୀପ ଜେନା ଓ ପ୍ରଭାତୀ ଜେନା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଥାଲେସିମିିଆ ରୋଗ ଯୋଗୁଁ ପୁଅର ମୃତ୍ୟୁ ହୋଇଥିଲା। ପୁଅ ଓମ୍‌(୭)ର ମୃତ୍ୟୁ ପରେ ସ୍ୱାମୀ-ସ୍ତ୍ରୀ ଧେର୍ଯ୍ୟ ହରାଇ ଦେଇଥିଲେ। ସେମାନେ ବଞ୍ଚିବାକୁ ଚାହିଁ ନଥିଲେ। ଶେଷରେ ବିଷ ପିଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ସୂଚନା ଅନୁସାରେ କୁରିସାହି ଗାଁର ପ୍ରଦୀପ ଓ ପ୍ରଭାତୀଙ୍କ ଏକମାତ୍ର ପୁଅ ଓମ ଜନ୍ମରୁ ଥାଲେସିମିଆ ରୋଗରେ ପୀଡ଼ିତ ଥିଲା। ପ୍ରତି ମାସରେ ପୁଅର ରକ୍ତ ବଦଳା ଯାଉଥିଲା। ଏଥି ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଥିଲା କିନ୍ତୁ ୬ ଦିନ ତଳେ ପୁଅ ଓମ୍‌ର ଅବସ୍ଥା ଗୁରୁତର ଆକ୍ରାନ୍ତ ହୋଇ ଯାଇଥିଲା। ଶେଷରେ ଓମ୍‌ ଗତ ୨୩ ତାରିଖରେ ଜୀବନ ହାରିଥିଲା।

ପୁଅର ମୃତ୍ୟୁ ପରେ ପରିବାର ଭାଙ୍ଗି ପଡ଼ିଥିଲା। ୩ ଦିନ ହେବ ଘରେ ଚୁଲି ଜଳି ନଥିଲା। ଖାଇବା-ପିଇବା ବନ୍ଦ ହୋଇ ଯାଇଥିଲା। ଆଜି ସ୍ୱାମୀ-ସ୍ତ୍ରୀ ଶୋଇବା ଘର ଭିତରେ କବାଟ ଦେଇ ବିଷ ପିଇ ଦେଇଥିଲେ। ସନ୍ଧ୍ୟା ହେବାରୁ ପରିବାର ଲୋକେ ସନ୍ଦେହ କରି ଗଁ ପଡ଼ିଶାଙ୍କ ସହଯୋଗରେ କବାଟ ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହସ୍ପିଟାଲରେ ଡାକ୍ତର ଦମ୍ପତ୍ତିଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ସେମାନଙ୍କର ଏକ ୪ ମାସର କନ୍ୟାର ମୃତ୍ୟୁ ହୋଇଥିଲା।