ବେଆଇନ କଳାପଥର ଖାଦାନ ଉପରେ ଚଢ଼ଉ

ଚଢ଼େଇଧରା: ଯାଜପୁର ଜିଲ୍ଲାରେ ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ବେଆଇନ୍‌ କଳାପଥର ଖାଦାନ ଉପରେ ଚଢ଼ାଉ କରାଯାଇଛି। ତହସିଲ୍‌ଦାର ଓ ସ୍ଥାନୀୟ ପୁଲିସ୍‌କୁ ନେଇ ଗଠିତ ସ୍ୱତନ୍ତ୍ର ସ୍କ୍ଵାଡ ଏହି ଚଢ଼ାଉ କରିବା ସହିତ ୬ଟି ହାଇଓ୍ଵା ଓ ଗୋଟିଏ ଟ୍ରାକ୍ଟର ଜବତ କରିଛନ୍ତି।
ଏଠାରେ ରହିଥିବା ଖାଦାନରେ ବେଆଇନ କଳାପଥର ଖନନ ଓ ପରିବହନକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଗୋଟିଏ ପଟେ ମାଫିଆମାନେ ଏହି ବେଆଇନ୍‌ ଖନନ ଦ୍ୱାରା ବ୍ୟାପକ ମୁନାଫା ଅର୍ଜନ କରୁଥିବାବେଳେ ଅନ୍ୟପଟେ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଏହି ଅଭିଯୋଗକୁ ଦୃଷ୍ଟିରେ ରଖି କେତେବେଳେ ପ୍ରଶାସନ ଆଉ କେତେବେଳେ ଟାସ୍କଫୋର୍ସ ଚଢ଼ାଉ କରୁଛନ୍ତି। ଆଜି ତହସିଲ୍‌ଦାର୍‌ ଓ ସ୍ଥାନୀୟ ପୁଲିସ୍‌କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ସ୍କ୍ଵାଡ ସେହିଭଳି ଏକ ଚଢ଼ାଉ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ପଥର ପରିବହନ କରୁଥିବା ଓ ଚିପ୍‌ସ ଲୋଡିଂ ହୋଇଥିବା ୬ଟି ହାଇଓ୍ଵା ଓ ଗୋଟିଏ ଟ୍ରାକ୍ଟର ଜବତ କରି ଚଢ଼େଇଧରା ଚେକ୍‌ ପୋଷ୍ଟ ଠାରେ ଅଟକ ରଖିଥିଲେ। ଆଜି ସକାଳୁ ଅତିରିକ୍ତ ତହସିଲଦାର ଶୀତଳ ଅଗ୍ରୱାଲଙ୍କ ନେତୃତ୍ଵରେ ଚଣ୍ଡିଖୋଲ ଚେକ୍‌ପୋଷ୍ଟ ପୁଲିସ୍‌ ସହ ସ୍ୱତନ୍ତ୍ର ସ୍କ୍ଵାଡ ଅଂଜିରା ମୌଜାରେ ଥିବା କଳାପଥର ଖାଦାନ ଉପରେ ଚଢ଼ାଉ କରିଥିଲେ। ସେଠାରେ ୪ଟି କଳାପଥର ବୋଝେଇ ଗାଡ଼ି ଜବତ କରାଯାଇଥିବା ବେଳେ ଟୋଲଗେଟ୍‌ ପାଖରୁ ଦୁଇଟି ଗାଡ଼ି ଜବତ କରାଯିବା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି।
ଗୁରୁବାର ସଂଧ୍ୟା ରିପୋର୍ଟ ଲେଖା ହେବା ପୂର୍ବରୁ ତିନିଟି ଗାଡ଼ିରୁ ୯୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି। ଗତକାଲି ଏକ ସ୍ୱତନ୍ତ୍ର ଟିମ୍‌ ଡଙ୍କାରି ଗସ୍ତ କରି ପରିବେଶ ମଞ୍ଜୁରୀ ଆବେଦନ ଉପରେ ସରଜମିନ ତଦନ୍ତ କରିଥିବାବେଳେ ଆଜି ବେଆଇନ ଖନନ ଓ ପରିବହନକୁ ଅଟକାଇବା ପାଇଁ ଚଢ଼ଉ କରାଯାଇଛି।

ସମ୍ବନ୍ଧିତ ଖବର