ସୁକିନ୍ଦା: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଖରଡ଼ି ପଞ୍ଚାୟତ ଆମ୍ବସାର ଜଡ଼ା ସାହିରେ ସାପ କାମୁଡ଼ାରେ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଏହି ଗ୍ରାମର ବୁରୁନ୍ଦା ମୁଣ୍ଡାଙ୍କ ୧୭ ଦିନର ଶିଶୁକନ୍ୟା ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ବୁରୁନ୍ଦାଙ୍କ ପତ୍ନୀ ଶିଶୁକନ୍ୟାଟି ଗୁରୁତର ଅସୁସ୍ଥ ଓ ବିଛଣାରେ ଗୋଟିଏ ସାପ ଶୋଇଥିବା ଦେଖିଥିଲେ।
ପଡ଼ୋଶୀଙ୍କୁ ଡାକିବାରୁ ସେମାନେ ସାପଟିକୁ ମାରି ଦେଇଥିଲେ। ପରେ ଶିଶୁକନ୍ୟାର ବାପା ଅସୁସ୍ଥ ଝିଅକୁ ଗ୍ରାମର ଜଣେ ଗୁଣିଆ ପାଖକୁ ନେଇ ଯାଇଥିଲେ। ସେଠାରେ ଭଲ ନହେବାରୁ ପରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶିଶୁକନ୍ୟାଟିର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଅଜ୍ଞତା ଓ ସଚେତନତା ଅଭାବରୁ ଶିଶୁକନ୍ୟାଟିର ମୃତ୍ୟୁ ହେଲା ବୋଲି ଡାକ୍ତର କହିଛନ୍ତି।