ଅନିୟମିତ ବର୍ଷା ଉଜାଡ଼ିଲା ଚାଷ:ଜୁନରେ କେଞ୍ଚାଏ, ଜୁଲାଇରେ ମେଞ୍ଚାଏ

ଯାଜପୁରଟାଉନ: ଚଳିତ ବର୍ଷ ଖରିଫ ଋତୁରେ ଅନିୟମିତ ବର୍ଷା ଚାଷ ଉଜାଡ଼ି ଦେଇଛି। ଜୁନ୍‌ରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟିହୋଇଥିବା ବେଳେ ଜୁଲାଇରେ ବାଦଲ ଫଟା ବର୍ଷା ଧାନଗଛକୁ ପଚାଇ ଦେଇଛି। ଏଭଳି ସ୍ଥିତି ଯୋଗୁଁ ଯାଜପୁରର ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ଚଳିତ ବର୍ଷ ଉପରୋକ୍ତ ସମୁଦାୟ ଧାନ ଚାଷ ଜମି ମଧ୍ୟରୁ ୧ଲକ୍ଷ ୧୦ ହଜାର ୫୦୦ ହେକ୍ଟର ଚାଷ ଜମିରେ ଧାନ ଚାଷ ଲକ୍ଷ୍ୟ ରଖାଯାଇଥିଲା। ଅଦ୍ୟାବଧି ୨୦ହଜାର ହେକ୍ଟର ଜମିରେ ଅଣଧାନ ହୋଇଛି। ଏହା ବ୍ୟତୀତ ୨୦୭ ହେକ୍ଟର ଜମିରେ ଝୋଟ ଓ ୧୫୮୦ ହେକ୍ଟର ଜମିରେ ଆଖୁ ହୋଇଥିବା ବିଭାଗ କହିଛି। ଏବେ ଜିଲ୍ଲାର ବିଭିନ୍ନ ବ୍ଲକରେ ୬୦ ହଜାର ହେକ୍ଟର ଜମିରେ ଧାନ ଚାଷ କାର୍ଯ୍ୟ ଚାଲିଥିବା ଜଣାଯାଇଛି। ହେଲେ ଆଉ ସାଢ଼େ ୫୦ ହଜାର ହେକ୍ଟରରେ ଧାନ ଚାଷ ହେବ ବୋଲି କୃଷି ବିଭାଗ କହୁଛି।
ସୂଚନା ଅନୁଯାୟୀ, ଯାଜପୁର ବ୍ଲକରେ ଲକ୍ଷଧାର୍ଯ୍ୟ ୧୦ ହଜାର ୮୩୦ ହେକ୍ଟର ମଧ୍ୟରୁ ଏବେ ୪୭୮୦ ହେ, ଦଶରଥପୁରରେ ୧୨୬୩୦ ହେ. ମଧ୍ୟରୁ ୭୩୮୦ହେ, ବିଂଝାରପୁର ୧୨୩୦୦ରୁ ୭୬୬୦ହେକ୍ଟର, ବଡ଼ଚଣା ୧୨୬୫୦ରୁ ୯୫୨୫ହେ, ଧର୍ମଶାଳା ୧୨୮୭୦ରୁ ୮୯୦ହେକ୍ଟର, ରସଲପୁର ୮୪୨୦ରୁ ୬୨୦୦ହେ, ବରୀରେ ୯୪୩୦ରୁ ୭୮୫୦ହେ, ସୁକିନ୍ଦାରେ ୬୪୦୦ରୁ ୪୪୫୪ହେ, ଦାନଗଦୀ ୬୨୭୦ରୁ ୩୨୫୫ହେ ଓ କୋରାଇ ୧୮୭୦୦ରୁ ୬୫୦ ହେ ଧାନ ଚାଷ ଚାଲିଥିବା ବିଭାଗ କହୁଛି।
ଜୁନ ମାସରେ ବର୍ଷା ଅଭାବରୁ ଚାଷୀମାନଙ୍କର ଗଜା ମରୁଡ଼ି ହୋଇ ଥିବାବେଳେ ଏବେ ଚାଷ ପଛୁଆ ହେବା ସହିତ ଚାଷର ଲକ୍ଷ୍ୟ ଅନୁସାରେ ଆଉ ସାଢ଼େ ୫୦ ହେ ଚାଷ ପାଇଁ ଆହୁରି ଏକମାସ ସମୟ ଲାଗିବ ବୋଲି କୁହାଯାଇଛି। ଏହି ଚାଷ ପାଇଁ ଅପ୍ରିଲ ଓ ମେ ମାସରେ ହାରାହାରି ବର୍ଷାଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଜୁନ୍‌ ମାସରେ ଢ଼େର କମ୍‌ ବର୍ଷା ହୋଇଥିଲା। ଯାହାଫଳରେଚାଷ କାର୍ଯ୍ୟ ଆଗେଇ ପାରି ନଥିଲା। ଜୁନ ମାସରେ ୨୩୮.୫ଏମ୍‌ ଏମ୍‌ ବର୍ଷା ହେବା ଯାଗାରେ ୨୧୮.୫ଏମ୍‌ଏମ୍‌ ବର୍ଷା ହୋଇଥିଲା। ସେହିପରି ଜୁଲାଇ ମାସରେ ୩୫୦.୯ଏମ୍‌ଏମ୍‌ ବର୍ଷା ହେବାଯାଗାରେ ୪୯୬.୮୮ଏମ୍‌ଏମ୍‌ ବର୍ଷା ହୋଇଛି। ଅନିୟମିତ ବର୍ଷା ଯୋଗୁଁ ଚାଷ ଉଜୁଡ଼ି ଯିବାର ଭୟ ଏବେ ଚାଷୀଙ୍କୁ ଘାରିଲାଣି।
ଯାହାକି ଜୁନ ମାସରେ ବର୍ଷାର ଆବଶ୍ୟକ ଥିବାବେଳେ ବର୍ଷା କମ୍‌ ହୋଇଛି। ହେଲେ ଜୁଲାଇ ମାସରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ହୋଇଛି। ଯେଉଁଥିପାଇଁ ଜୁନ ମାସରେ ଗଜା ମରୁଡ଼ି ହୋଇଥିବା ବେଳେ ଜୁଲାଇ ମାସରେ ଅଧିକ ବର୍ଷା ପାଇଁ ଧାନ ପଚି ଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଚାଷୀ ଧାନ ବୁଣି ଚାଷ କରୁଥିବାବେଳେ ଏବେ ରୁଆ ପୋତା କରି ଧାନ ଚାଷ କରିବ ଯାହାକି ତାର ଆବଶ୍ୟକତା ଠାରୁ ଅଧିକ ପଇସା ଖର୍ଚ୍ଚ ହେବ ବୋଲି କହୁଛି। ଓଡ଼ିଶା ରାଜ୍ୟ ବିହନ ନିଗମ ଭୁବନେଶ୍ୱର ଜିଲ୍ଲାର ୧୨୨ ସମବାୟ ସମିତି ଓ ୬୬ ପ୍ରାଇଭେଟ ରେଜିଷ୍ଟ୍ରାର ଡିଲରଙ୍କୁ ଚଳିତ ବର୍ଷ ଖରିଫ ବିହନ ଦେଇଛି। ଏହି ଦୁଇ ସଂସ୍ଥା ଏହି ବିହନକୁ ଚାଷୀଙ୍କୁ କ୍ୱି. ପିଛା ୨୭୧୭ ଟଙ୍କାରେ ଦେଉଛି। ଚାଷୀ ଏହି ରେଜିଷ୍ଟ୍ରାର ଡିଲର ଓ ସମବାୟ ସମିତିରୁ କ୍ୱି. ପିଛା ୧୬୦୦ ଟଙ୍କା ଦେଇ କିଣଛନ୍ତି। ଅବଶିଷ୍ଟ ସବ୍‌ସିଡ଼ି ୧୧୧୭ଟଙ୍କା ସରକାର ଡିଲରକୁ ଦେବେ। ଯାହାକି ଚାଷୀ ସହଜରେ ବିହନ କିଣିଛନ୍ତି ବୋଲି ବିଭାଗ କହୁଛି। ପ୍ରତିବର୍ଷ ସରକାର ସାର ଯୋଗାଇ ପାରୁ ନଥିବାବେଳେ ଚାଷୀ ବଜାରରୁ ସାର କିଣି ଚାଷ କରେ। ସରକାରଙ୍କ ସାର କଳା ବଜାରି ହେଉଥିବାବେଳେ ଚାଷୀ ଚଢ଼ା ଦରରେ ସାର କିଣି ଚାଷ କରୁଛି। ପ୍ରତିବର୍ଷ ଚାଷୀର ଆବଶ୍ୟକତାବେଳେ ସରକାରଙ୍କ ପାଖରେ ବିହନ ଓ ସାର ନଥିବାବେଳେ ଚଳିତ ବର୍ଷ ମଧ୍ୟ ସେହି ଅବସ୍ଥା ବୋଲି କେତେକ ଚାଷୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର