ଯାଜପୁର, (ଅନିଲ କୁମାର ପଣ୍ଡା): ଚର୍ଚ୍ଚାରେ ନନ୍ଦସାର୍‌ଙ୍କ ଚାଟଶାଳି। ଯେଉଁଠି ଦିନେ ଜେଜେ ଅକ୍ଷର ଚିହ୍ନିଥିଲେ, ସେଠାରେ ନାତି ବି ପଢ଼ିଲାଣି। ଦୀର୍ଘ ୭୪ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିଆସୁଛନ୍ତି ୯୮ ବର୍ଷୀୟ ନନ୍ଦ କିଶୋର ପୃଷ୍ଟି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମରେ ତାଙ୍କ ଘର। ଆଖପାଖରେ ଚାଟଶାଳି ମାଷ୍ଟ୍ରେ ଭାବେ ସେ ଜଣାଶୁଣା। ଆଜି ବି ଗାଁର କୁନିକୁନି ପିଲାଙ୍କୁ ସେ ପାଠ ପଢ଼ାଉଛନ୍ତି। ଏଥିପାଇଁ ସେ କ‌ୌଣସି ପାରିଶ୍ରମିକ ନିଅନ୍ତି ନାହିଁ। ତିନିପିଢ଼ି ଧରି ଶିକ୍ଷାଦାନ କରି ଆସୁଥିବା ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳିକୁ ନିକଟରେ ୭୪ ବର୍ଷ ପୂରିଛି। ଆଜି ବି ପୂର୍ବ ଭଳି ଗାଁ ଦାଣ୍ଡରେ କନ୍ତିରା ହନୁମାନ ମନ୍ଦିର ନିକଟରେ ଦୈନିକ ସକାଳ ଓ ସନ୍ଧ୍ୟାରେ ଦୁଇବେଳା ପାଠ ପଢ଼ିବା ପାଇଁ ପିଲାଙ୍କ ଭିଡ଼ ଜମୁଛି। ଏଇ ନିକଟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ଚାଟଶାଳି ପରିଦର୍ଶନରେ ଆସିବା ସହ ଏହି ବର୍ଷୀୟାନ ଗୁରୁଙ୍କୁ ସମ୍ମାନିତ କରିଥିଲେ।

Advertisment

publive-image

ନନ୍ଦ ସାର୍‌ ୧୯୩୯ ମସିହାରେ ନିକଟସ୍ଥ ହାତିବାରୀ ମାଇନର ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଛନ୍ତି। ଦାରିଦ୍ର‌୍ୟ କାରଣରୁ ଆଉ ଅଧିକ ପଢ଼ିନପାରି ଚାଷକାମରେ ମନ ଦେଇଥିଲେ। ସେ ତ ପଢ଼ି ପାରିଲେ ନାହିଁ, କିନ୍ତୁ ତାଙ୍କ ଗାଁର ପିଲାଏ ପାଠ ପଢ଼ନ୍ତୁ ବୋଲି ଚିନ୍ତା କରି ୧୯୪୬ରେ ନିଜେ ଆରମ୍ଭ କଲେ ଏକ ଚାଟଶାଳି। ଆଉ ତାହା ଏବେ ବି ସକ୍ରିୟ ରହିଛି। ପ୍ରଥମେ ଏହା ତାଙ୍କ ଘର ପିଣ୍ଡାରେ ଚାଲୁଥିଲା। ପରେ ତାହା ଗାଁ ମଝିରେ ଥିବା ହନୁମାନ ମନ୍ଦିର ମଣ୍ଡପକୁ ଉଠି ଆସିଛି। ତାଙ୍କର ପ୍ରଥମ ବ୍ୟାଚ୍‌ ଛାତ୍ରଙ୍କ ମଧ୍ୟରୁ ଅନେକ ଆରପାରିକୁ ଚାଲି ଗଲେଣି। ଚାଟଶାଳି ମାଧ୍ୟମରେ ନନ୍ଦସାର ୩ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଛନ୍ତି ସେ।