ଶୁଶାଣିକୁ ଡାକିଲେ ଜିଲ୍ଲାପାଳ, ବାନ୍ଧିଲେ ତହସିଲଦାର

ହାଇକୋର୍ଟ ନିର୍ଦ୍ଦେଶକୁ ଖୋଲା ଉଲ୍ଲଂଘନ, କଳାପଥର କେଳେଙ୍କାରୀକୁ ବିରୋଧ କରି ଫସିଲେ

ଯାଜପୁର/ଚଢ଼େଇଧରା : କଳାପଥର (ଗ୍ରାନାଇଟ୍) କେଳେଙ୍କାରୀ ଘଟଣାରୁ ମୁକୁଳି ପାରୁନାହିଁ ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ। କଳାପଥର କେଳେଙ୍କାରୀ କାରବାରକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା କରିଥିବା ବଳଦେବ ରାଉତଙ୍କୁ ଗତକାଲି ଶୁଣାଣିରେ ହାଜର ପାଇଁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ନୋଟିସ୍ କରିଥିବା ବେଳେ ଧର୍ମଶାଳାର ନୂତନ ତସହିଲଦାର ସ୍ବାଗତ ଦାସଙ୍କ ସଙ୍ଗିନ ଅଭିଯୋଗ କ୍ରମେ ଜେନାପୁର ଥାନା ପୁଲିସ ତାଙ୍କୁ ଗିରଫ କରିଛି।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ରାହାଡ଼ପୁର ପାହାଡ଼ରେ ବେଆଇନ ଖନନକୁ ବିରୋଧ କରି ଜେନାପୁର ଥାନା ଅଧୀନ ମହିସରା ପଞ୍ଚାୟତ ରମ୍ପେଇ ଗ୍ରାମର ନରେନ୍ଦ୍ର ରାଉତଙ୍କ ପୁଅ ବଳଦେବ ରାଉତ ଓ ତାଙ୍କ ଗ୍ରାମର ଚାରିଜଣ ଯୁବକ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲାର ବିଚାର କରି ଅଭିଯୋଗକାରୀଙ୍କୁ ଡାକି ଶୁଣାଣି କରିବାକୁ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଆଧାରରେ ପାଞ୍ଚ ଆବେଦନକାରୀ ଅଗଷ୍ଟ ୨ ତାରିଖ (ଗତକାଲି) ଅପରାହ୍ଣରେ ଉପସ୍ଥିତ ରହି ପକ୍ଷ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଅପରପକ୍ଷେ ଗତକାଲି ସକାଳୁ ତହସିଲଦାର ଶ୍ରୀ ଦାସ ଟିମ୍ ଫୋର୍ସ ସହିତ ରାହାଡ଼ପୁର ପାହାଡ଼ରେ ଚଢ଼ଉ କରିଥିଲେ। ଚଢ଼ଉ ଖବରପାଇ ବଳଦେବ ନିଜ ସହଯୋଗୀଙ୍କ ସହ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ଅଭିଯୋଗ ଉପରେ ତଦନ୍ତ ହେଉଥିବାରୁ ପ୍ରଶାସନକୁ ସହଯୋଗ କରିବା ଉଦ୍ଦେଶ୍ୟରେ ବଳଦେବ ଓ ତାଙ୍କ ସହଯୋଗୀ ଯାଇଥିଲେ। ଘଟଣା ସ୍ଥଳରେ ପ୍ରଶାସନ ସେମାନଙ୍କ କଥାକୁ ଗୁରୁତ୍ୱ ନଦେବାରୁ ବଳଦେବଙ୍କ ସହ ଯୁକ୍ତିତର୍କ ହୋଇଥିଲା। ପ୍ରଶାସନ ତାଙ୍କ କଥା ଶୁଣିବା ପରିବର୍ତ୍ତେ ପୁଲିସ ଦ୍ବାରା ତାଙ୍କୁ ଗାଡ଼ିରେ ବସାଇ ନେଇଯାଇଥିଲେ ଓ ବଳଦେବଙ୍କ ନାମରେ ମାମଲା ରୁଜୁ କରିଥିଲେ l

କୌଣସି ପଥର ଖାଦାନ କିମ୍ବା ଗାଡ଼ି ନିଜ ନାମରେ ନଥିବା ସତ୍ତ୍ବେ ବଳଦେବଙ୍କୁ ଜେନାପୁର ପୁଲିସ ସଂଗିନ ଦଫା ଲଗାଇ ଗିରଫ କରି ଆଜି କୋର୍ଟଚାଲାଣ କରିଛି l ଆଜି ମଧ୍ୟ ପୁଲିସ ଫୋର୍ସ ସହ ପ୍ରଶାସନ ତାଙ୍କ ଘରେ ଚଢ଼ଉ କରି ତନଖି କରିଥିଲେ ହେଁ କୌଣସି ସୁରାକ ପାଇନଥିଲେ। ବେଆଇନ ବିସ୍ଫୋରକ ସାମଗ୍ରୀ, ଚୋରି, ଠକେଇ, ପରିବେଶ ନଷ୍ଟ ଓ ବେଆଇନ ଲଘୁଖଣିଜ କାରବାର ଭଳି ଦଫାରେ ଗିରଫ କରାଯିବା ସଂପର୍କରେ ଜେନାପୁର ଥାନା ଅଧିକାରୀ ଶ୍ରବଣ ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି ତହସିଲଦାରଙ୍କ ରିପୋର୍ଟକୁ ଭିତ୍ତି କରି କେସ ହୋଇଛି। ତେବେ ଏହି ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି। ହାଇକୋର୍ଟ ନିର୍ଦ୍ଦେଶର ଏହା ଖୋଲା ଉଲ୍ଲଂଘନ ବୋଲି ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଉଦୟନାଥ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର