ଯାଜପୁର: ଜନବହୁଳ ରାସ୍ତାକୁ କବଜା କରିଛି ବାଲି ଗାଡି, ମୃତ୍ୟୁକୁ ସାମ୍ନା କରି ଯାତାୟତ କରୁଛନ୍ତି ଲୋକେ

ଯାଜପୁର(ଅନିଲ କୁମାର ପଣ୍ଡା): କରୋନାର ଲକଡାଉନ ଓ ସଟ ଡାଉନ ପରେ ଏବେ ଜୀବନ ଜୀବିକା ଚିନ୍ତାରେ ଜନତା। ତେଣୁ ସକାଳ ହେଲା କ୍ଷଣି ଶହଶହ ଗାଡି ମଟର ଧରି ନିଜର ପେଟ ପାଟଣା ପାଇଁ ବାହାରି ପଡୁଛନ୍ତି ଲୋକେ। ଏହାର ଭିତରେ ଯାଜପୁର ସହରରେ ଯାତାୟତ ସାଧାରଣ ଜନତାଙ୍କୁ ଯନ୍ତ୍ରଣା ଦେଉଛି। ୮୦ ପ୍ରତିଶତ ଲୋକ ବିରଜା ରିଂ ବନ୍ଦକୁ ବ୍ୟବହାର କରୁଥିବା ବେଳେ ଏବେ ସେଠାରେ ମୃତ୍ୟୁ ଉପରେ ଯାତାୟତ କରୁଛନ୍ତି। ଉନ୍ନତନ କାର୍ଯ୍ୟରେ ବାଲି ନେଇ ଯାଉଥିବା ଗାଡି ଗୁଡିକର ଦ୍ରୁତ ଗତି ଓ ତ୍ରୁଟିପୂର୍ଣ୍ଣ ଯାତ୍ରା ଯୋଗୁ କେଉଁ ମୁହୂର୍ତ୍ତରେ ସାଧାରଣ ବାଇକ ଚାଳକ ଓ ସାଇକେଲ ଆରୋହୀଙ୍କ ଜୀବନ ଯିବାର ସମ୍ଭାବନା ସୃଷ୍ଟି ହୋଇଛି।

ସୂଚନା ଅନୁସାରେ ଯାଜପୁର ସହରରେ ଜନଗହଳି ବଢ଼ିଛି। ତେଣୁ ଲୋକେ ଯାତାୟତ ପାଇଁ ସହର ଭିତରକୁ ନଯାଇ ବିରଜା ରିଂ ବନ୍ଦକୁ ବ୍ୟବହାର କରୁଛନ୍ତି। ତେବେ ଏବେ ଲୋକଙ୍କ ସମସ୍ୟା ହୋଇ ଛିଡା ହୋଇଛି ଉକ୍ତ ରାସ୍ତାରେ ଶହଶହ ଟ୍ରିପ ବାଲି ପରିବହନ। ସ୍ଥାନୀୟ ଆଙ୍କୁଲା ମୌଜାର ପଡ଼ିଆରେ ମେଡିକାଲ କଲେଜ ଓ ଡାକ୍ତରଖାନା ସଂପ୍ରସାରଣ ପାଇଁ ବାଲିରେ ପୋତା ଚାଲିଛି। ଯାହାକି ପାଣିକୋଇଲି ଆର ଆଣ୍ଡ ବି ଡିଭିଜନ ଅଧିନ‌ରେ ଜଣେ ସୁପରକ୍ଲାସ ଠିକାଦାରଙ୍କ ଜରିଆରେ ୧୧ କୋଟି ଟଙ୍କାର ଏହି କାର୍ଯ୍ୟ ଜାରି ରହିଛି। ଏପରି ଉନ୍ନୟନ କାର୍ଯ୍ୟକୁ ଜିଲ୍ଲାବାସୀ ସ୍ବାଗତ କରୁଥିବା ବେଳେ ଉକ୍ତ ବାଲି ପରିବହନ ରାସ୍ତାକୁ ଦେଖିଲେ ଯେ କେହି ବି ଭୟ କରିବ। କାରଣ ବୈତରଣୀ ନଦୀରୁ ଶତାଧିକ ହାଇୱା ଗାଡି ଜରିଆରେ ଅହରହ ବାଲି ପରିବହନ ହେଉଛି। ଫଳରେ ଉକ୍ତ ଜନଗହଳି ପୂର୍ଣ୍ଣ ରାସ୍ତାରେ ବାଲିର ଆସ୍ତରଣ ସୃଷ୍ଟି ହୋଇଗଲାଣି। ଟିକିଏ ବେହୁସିଆରି ହେଲେ ହାଇୱା ଚକା ତଳେ ଜୀବନ ଯିବା ସାର ହେବ। ଖାଲି ସେତିକି ନୁହଁ ଗାଡି ଗୁଡିକ ଭୁଲ ରାସ୍ତାରେ ଯାତାୟତ କରୁଥିବାରୁ ଦୁର୍ଘଟଣାର ଭୟ ରହିଛି। ଗାଡି ଗୁଡିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦ୍ରୁତ ଗତିରେ ଯାତାୟତ କରୁଥିବା ବେଳେ ବାଲି ଗାଡି ଯିବା ସମୟରେ ସେ ରାସ୍ତାରେ ଅନ୍ୟ ଗାଡି ଯିବା ସମ୍ଭବ ହେଉନାହିଁ। କାରଣ ଦ୍ରୁତ ଗତି ଯୋଗୁ ପଛ‌ରେ ଆସୁଥିବା ‌ ଚାଳକ ବାଲିମୟ ହୋଇ ଯାଉଛନ୍ତି ଓ ଧୂଳିରେ କିଛି ଦେଖିପାରୁନାହାନ୍ତି। ବାଲି ଟ୍ରକ୍ ଗୁଡିକ ଘୋଡା ଯାଉନଥିବାରୁ ରାସ୍ତା‌ରେ ବାଲି ଉଡି ବାଲିମୟ ହୋଇଯାଇଛି। ତେବେ ଏହାକୁ ନେଇ ଲୋକମାନଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି।

ଲୋକଙ୍କ ମତରେ ଯଦି ଉନ୍ନୟନ କାର୍ଯ୍ୟ ପାଇଁ ବାଲି ପରିବହନ ହେଉଛି ତାହା ସ୍ବାଗତ ଯୋଗ୍ୟ। କିନ୍ତୁ ‌ ଯେହେତୁ ଦୁଇ ଥାକିଆ ରାସ୍ତା ଅଛି ବାଲି ପରିବହନ ପାଇଁ ଗୋଟିଏ ପାର୍ଶ୍ବ ବ୍ୟବହାର କରି ଅନ୍ୟ ପାର୍ଶ୍ବକୁ ସାଧାରଣ ଜନତାଙ୍କୁ ଯାତାୟତ ସୁବିଧା ଦିଆଯାଉ । ନଚେତ୍ ବିପଦପୂର୍ଣ୍ଣ ବାଲି ପରିବହନ ସମୟରେ ଉକ୍ତ ରାସ୍ତା ଦେଇ ସଂପୂର୍ଣ୍ଣ ଗାଡି ମଟର ଯାତାୟତକୁ ସଂପୂର୍ଣ୍ଣ ବନ୍ଦ କରାଯାଉ। ଯଦି ସେପରି ନହୁଏ ଗାଡିର ଦ୍ରୁତଗତି, ରାସ୍ତାର ବାଲି ଆସ୍ତରତ କିମ୍ବା ତ୍ରୁଟିପୂର୍ଣ୍ଣ ଭାବେ ବାଲି ପରିବହନ କେଉଁ ସମୟରେ ଦୁର୍ଘଟଣାରେ ଜୀବନ ନେବାର ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ହାଇୱା ଗାଡି ପାଇଁ ସଂକୀର୍ଣ୍ଣ ଥିବାରୁ ଗୋଟିଏ ଗାଡି ଗଲେ ଅନ୍ୟ ବାଇକ ଆରୋହୀ ଟିଏ ବି ଭୟଭୀତ ହୋଇ ଯାଉଛି। ଏହା ଭିତରେ ଦୈନିକ ଏପରି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି। ତେବେ ଉକ୍ତ ରାସ୍ତା ଦେଇ ଦୈନିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ , ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ଯାତାୟତ କରୁଥିବା ବ‌େଳେ ଏପରି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାକୁ ନଜର କରୁନାହାନ୍ତି। ଫଳରେ ସାଧାରଣ ସହରବାସୀ ଓ ଉକ୍ତ ରାସ୍ତା ଦେଇ ଯାଆସ କରୁଥିବା ବାଟୋଇଙ୍କ ଜୀବନ ବିପଦକୁ ଠେଲି ହୋଇଯାଉଛି। ଉନ୍ନୟନ କାର୍ଯ୍ୟ ହେ‌ଲେ ଜିଲ୍ଲାର ବିକାଶହେବ ଏକଥା ସମସ୍ତେ ବୁଝିଥିବା ବେଳେ ନିଜର ସ୍ବାର୍ଥ ପାଇଁ ସାଧାରଣ ଲୋକଙ୍କୁ ବିପଦରେ ପକାଇ ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ଯଦି ଏହାକୁ ଗୁରୁତ୍ବ ଦିଆନଯାଏ ତେବେ ଦୁର୍ଭାଗ୍ୟବଶତଃ କୌଣସି ଦୁର୍ଘଟଣାରେ ଜୀବନ ଗଲେ ‌ ଜିଲ୍ଲା ପ୍ରଶାସନ ଦୋଷ ମୁଣ୍ଡକୁ ନେବ କି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର