ଯାଜପୁର: ପରସ୍ପରକୁ ଅସ୍ତ୍ରରେ ଆକ୍ରମଣ କରି ପ୍ରେମିକ-ପ୍ରେମିକା ଆହତ

ଯାଜପୁର/ବ୍ରହ୍ମବରଦା: ସୋମବାର ପୂର୍ବାହ୍ନରେ ବ୍ରହ୍ମବରଦା ଅନ୍ତର୍ଗତ ବନ୍ଧଡିହ ଗ୍ରାମର ଜଣେ ଯୁବକ ଓ ଜଣେ ଯୁବତୀ ପରସ୍ପର ମଧ୍ୟରେ ହଣାକଟା ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ଆହତ ଯୁବକ ଜଣକ ହେଉଛନ୍ତି ୨୭ ବର୍ଷିୟ ଧନ ସାହୁ। ଆହତ ହୋଇଥିବା ୨୨ ବର୍ଷୀୟ ଯୁବତୀଜଣକ ମଧ୍ୟ ସେହି ଗ୍ରାମର। କିଛି ବର୍ଷ ତଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।

ଆଜି ସକାଳେ ଉଭୟ ଲହୁଲୁହାଣ ହୋଇ ଗ୍ରାମ ନିକଟ ରାସ୍ତାରେ ପଡ଼ିଥିବା କଥା ବାଟୋଇମାନେ ଦେଖିଥିଲେ। ଘଟନାସ୍ଥଳରୁ ଗୋଟିଏ ଛୋଟ କଟୁରି ଜାତୀୟ ଅସ୍ତ୍ର ମଧ୍ୟ ମିଳିଛି। କୌଣସି କଥାକୁ ନେଇ ବୋଧହୁଏ ପରସ୍ପର ବିବାଦ କରି ହଣାହଣି ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟନାସ୍ଥଳରୁ ଘରଲୋକେ ଚିକିତ୍ସା ନିମନ୍ତେ ଝିଅକୁ କଟକ ବଡ଼ ଡାକ୍ତରଖାନାକୁ ନେଇ ଯାଇଛନ୍ତି।

ଦୀର୍ଘ ସମୟ ଆମ୍ବୁଲାନ୍‌ସ୍‌କୁ ଅପେକ୍ଷା କରିବା ପରେ ଧନକୁ ଯାଜପୁର ବଡ଼ ଡାକ୍ତରଖାନା ନିଆ ଯାଇ ଚିକିତ୍ସା କରାଯାଉଛି।

ଧର୍ମଶାଳା ପୁଲିସ ତଦନ୍ତ ନିମନ୍ତେ ଘଟନା ସ୍ଥଳକୁ ଯାଇ ଫେରିଛି।

ସମ୍ବନ୍ଧିତ ଖବର