କଡ଼ ଲେଉଟାଉଛି ଯାଜପୁର ରାଜନୀତି : ବିଭାଜନ ମୁହାଁ ବିଜେପି, ଏକାଠି ହେଉଛି କଂଗ୍ରେସ, ବିଜେଡି ପାଇଁ ସତର୍କ ଘଣ୍ଟି

ଯାଜପୁର : ଯାଜପୁର ଜିଲ୍ଲା ରାଜନୀତିରେ ଘଡିକେ ଘୋ଼ଡୋ ଛୁଟୁଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ଜିଲ୍ଲାରେ ବିଭିନ୍ନ ଦଳର ସମୀକରଣରେ ସେତିକି ଦ୍ରୁତ ପରିବର୍ତନ ଘଟୁଥିବା ପରିଲକ୍ଷିତ ହେଲାଣି। ପଞ୍ଚାୟତ ନିର୍ବାଚନ ପରେ ପରେ ବେଶ୍‌ ସକ୍ରିୟ ହୋଇପଡିଥଲା ବିଜେପି। ଏମିତି ଯେ ରାଜ୍ୟ ରାଜନୀତିର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। ଏବେ କିନ୍ତୁ ଦଳୀୟ ଅନ୍ତଃକନ୍ଦଳରେ ଆକ୍ତାମାକ୍ତା ହେଲାଣି। ଏପଟେ ନିଷ୍କ୍ରିୟ ପ୍ରାୟ ପଡିରହିଥିବା କଂଗ୍ରେସ କେବଳ ସକ୍ରିୟ ହୋଇଛି ତା ନୁହେଁ, ମାସକ ଭିତରେ ଦୁଇ ଦୁଇଟି ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେଇଛି, ନେତାମାନେ ଗୋଟିଏ ମଞ୍ଚରେ ଏକାଠି ହେବାରେ ସକ୍ଷମ ହୋଇଛନ୍ତି। ବିଜେଡି ସ୍ଥିତିରେ ସୁଧାର ଆସିଥିଲେ ହେଁ, ଦଳର ଆଭ୍ୟନ୍ତରୀଣ ପାଣିପାଗ ତଥାପି ଠିକ୍‌ ନାହିଁ। ଗୋଟିଏ ଧାଡିରେ କହିବାକୁ ଗଲେ, କଂଗ୍ରେସର ସକ୍ରିୟତା ଯାଜପୁର ଜିଲ୍ଲାରେ ବିଜେପି ପାଇଁ କର ଅବା ମର ସ୍ଥିତି ଉପୁଜାଇଥିବା ବେଳେ ବିଜେଡ଼ି ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି।

ଉଲ୍ଲେଖଯୋଗ୍ୟ, ବିଜେଡ଼ି ଗଡ଼ କୁହାଯାଉଥିବା ଯାଜପୁର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପରେ ହଠାତ୍‌ ବିଜେପିର ଉତ୍‌ଥାନ ଘଟିଥିଲା। ଜିଲ୍ଲାର ଜଣେ ପରେ ଜଣେ ନେତା ବିଜେପି କ୍ୟାମ୍ପକୁ ଡେଇଁଥିଲେ। କଂଗ୍ରେସର ଅସନ୍ତୁଷ୍ଟ ନେତା ବିଶ୍ୱ ମଲ୍ଲିକ, ବିଶ୍ୱ ନାଏକ. ବବିତା ମଲ୍ଲିକ, ଅମୀୟ ମଲ୍ଲିକ ପ୍ରମୁଖ ବିଜେପିରେ ଯୋଗଦେଇଥିଲେ। ସେହିଭଳି ବିଜେଡିର ଅମର ନାଏକ. ଟୁଟୁ ବଳ ଏବଂ ଅଶୋକ ବଳ ମଧ୍ୟ ଏହି ଦଳରେ ସାମିଲ ହୋଇଥିଲେ।

କଂଗ୍ରେସର ନିଷ୍କ୍ରିୟତା କାରଣରୁ ସରକାର ବିରୋଧୀ ହାଓ୍ଵାକୁ ଏହି ନେତାମାନେ ଗୋଟାଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। ରାଜ୍ୟ ବିଜେପି ନେତାମାନେ ମଧ୍ୟ ଯୋଜନା ଚଳାଇଥିଲେ ଯେ ଯାଜପୁରର ତାକତ ଦେଖାଇ ଉପକୂଳ ଜିଲ୍ଲାମାନଙ୍କରେ ଦଳ ପଶିବ। ହେଲେ ଦଳ ଲୋକଙ୍କ ମନରେ ପଶିବା ପୂର୍ବରୁ ଅନ୍ତଃକନ୍ଦଳରେ ଫସିଛି। ମୂଳ ବିଜେପି ଓ ନୂଆ ବିଜେପି ଏଭଳି ଦୁଇଟି ସମାନ୍ତରାଳ ସଂଗଠନ ମୁଣ୍ଡ ଟେକୁଥିବା ପରିପ୍ରେକ୍ଷୀରେ ବିଜେପିରେ ଏକ ବଡ଼ ଧରଣର ବିଭାଜନ ଲାଗି କ୍ଷେତ୍ର ପ୍ରସ୍ତୁତ ହେଲାଣି।

ବିଜେପିର ଏଭଳି ସଂଗଠନ ବଢିବା ଦେଖି ବିଜେଡି ନିଜ ଦୁର୍ଗ ରକ୍ଷା କରିବା ଲାଗି ଆପ୍ରାଣ ଉଦ୍ୟମ କରୁଛି। ହେଲେ କିଛି କ୍ଷେତ୍ରରେ କେଳେଙ୍କାରୀ ଜାଲରେ ସ୍ଥାନୀୟ ହାତଗଣତି ନେତା ସାମିଲ ଥିବା ଅଭିଯୋଗ ବଢୁଥିବା ବେଳେ ସେସବୁ ସ୍ଥାନରେ ମତ ବିଭାଜନ ଲାଗି କ୍ଷେତ୍ର ପ୍ରସ୍ତୁତ ହେଲାଣି।

ଅନ୍ୟପକ୍ଷରେ ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ କୋରେଇ, ବଡ଼ଚଣା ଓ ସୁକିନ୍ଦାରେ କଂଗ୍ରେସର ନେତାମାନେ ରଣନୀତିକୁ ଶାଣିତ କରିଛନ୍ତି। ଅବଶିଷ୍ଟ ୪ଟି ଯାଜପୁର, ବରୀ, ଧର୍ମଶାଳା, ବିଂଝାରପୁରରେ ଦଳ ଅଣ୍ଟା ସଳଖିବାରେ ଲାଗିଛି। ଗତ ମାସ କଂଗ୍ରେସ୍‌ ବଡ଼ଚଣାରେ ଶାସକ ଦଳର ଟିଟୋ ଲିଙ୍କ୍‌କୁ ପ୍ରସଙ୍ଗ କରି ଏକାଠି ହୋଇଥିଲା। ଶନିବାର ଯାଜପୁରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ପ୍ରସଙ୍ଗ କରି ଦଳୀୟ କର୍ମୀ ତୃଣମୂଳ ସ୍ତରରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସ୍ଥିତି ଏମିତି ହେଲାଣି ଯେ ବିଜେଡି ଓ ବିଜେପିରେ କୋଣଠେସା ହୋଇପଡ଼ିଥିବା ନେତା ଓ ସଂଗଠକମାନେ ଏବେ କଂଗ୍ରେସ ମୁହାଁ ହେବା ଆରମ୍ଭ କରିଛନ୍ତି।

କୋରେଇରେ ନୂତନ ଭାବେ ନେତୃତ୍ୱ ନେଉଥିବା ବ୍ୟାସନଗର ପୂର୍ବତନ ଅଧ୍ୟକ୍ଷା ବନ୍ଦିତା ପରିଡ଼ା ଓ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ ହାତମିଳାଇବା ନୂତନ ସମୀକରଣ ସୃଷ୍ଟି କରିଛି। ବଡ଼ଚଣାରେ ଯୁବ ନେତୃତ୍ୱ ଶୁଭେନ୍ଦୁ ମହାନ୍ତିଙ୍କ ଶାଣିତ ରାଜନୀତି ସହିତ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ଗଠବନ୍ଧନ ଭିନ୍ନ ରାଜନୀତି ପରିବେଶ ସୃଷ୍ଟି କଲାଣି। ସୁକିନ୍ଦାରେ ଶରତ ରାଉତ ଗତ ଥର ତ୍ରୁଟିପୂର୍ଣ୍ଣ ଗୋଟି ଚାଳନା ଯୋଗୁଁ ଅଳ୍ପକେ ବିଧାୟକ ଭାବେ ନିର୍ବାଚିତ ହେବାରୁ ବଞ୍ଚିତ ହୋଇଥିଲେ। ଏଥର ସେ ଆଗୁଆ ସମରସଜ୍ଜା କଲେଣି। ଏହି ନେତାମାନେ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଯଦି ଏକାଠି ରହନ୍ତି, ତେବେ ସ୍ଥିତିରେ ବଡ଼ ଧରଣର ପରିବର୍ତନ ଆସିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖୁଛନ୍ତି। ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମ୍‌ ଯେପରି ଭାବେ ଜାତୀୟ, ରାଜ୍ୟ ସ୍ତରୀୟ ପ୍ରସଂଗ ସହିତ ଯାଜପୁରର ବେକାରୀ ଓ ଦୁର୍ନୀତ ସଂପର୍କରେ ବାର୍ତ୍ତା ଦେଲେ ତାହା ଆଗାମୀ ଦିନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଲାଣି।

ସମ୍ବନ୍ଧିତ ଖବର