ଅଧ ଘଣ୍ଟାରୁ ଅଧିକ ସମୟ ଧରି କୂଅ ଭିତରେ ଦଉଡ଼ି ଧରି ଓହଳି ରହି‌ଲେ ବୃଦ୍ଧା; ଶେଷରେ ଏପରି ବଞ୍ଚିଲା ଜୀବନ

ଯାଜପୁର: କଥାରେ ଅଛି ଦଣ୍ଡେ ନିମିଷେ ଥିଲେ ପ୍ରାଣ ନେଇନପାରେ ଜନ୍ତୁରାଣ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଦଳିତ ସାହିରେ । ଗାଁର ଜଣେ ୭୦ ବର୍ଷିୟା ବୃଦ୍ଧା ମରୁଆ ଜେନା ଆଜି ଭୋର ସମୟରେ ବାହାରକୁ ଆସିଥିବା ବେଳେ ନିୟନ୍ତ୍ରଣ ହରାଇ କୂଅରେ ଖସିପଡ଼ିଥିଲେ । ବୃଦ୍ଧା ଜଣଙ୍କ କୂଅରେ ଖସିଥିବା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ କାଳ ବିଳମ୍ବ ନକରି ତାଙ୍କ ନିକଟକୁ ଦଉଡ଼ି ପକାଇଥିଲେ ।

ବୃଦ୍ଧା ଜଣଙ୍କ ଦଉଡି ଧରି ପ୍ରାୟ ୩୦ରୁ ୪୦ ମିିନିଟ କୂଅ ଭିତରେ ଝୁଲି ରହିଥିଲେ । ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ଅଣ୍ଟାରେ ରଶି ବାନ୍ଧି ଉପରକୁ ଆଣିବାରେ ସକ୍ଷମ ହୋଇଥିଲେ । ବୃଦ୍ଧା ଜଣଙ୍କ ସୁସ୍ଥ ଥିବା ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ପ୍ରଭାକର ସାହୁ କହିଛନ୍ତି । ବିପଦ ସମୟରେ ଦେବଦୂତ ହୋଇ ଠିଆ ହୋଇଥିବା ଅଗ୍ନିଶମ ବାହିନୀର କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ସମ୍ବନ୍ଧିତ ଖବର