ଜେନାପୁର ମେଡିକାଲରେ ଅବ୍ୟବସ୍ଥା:ଡାକ୍ତର, ଫାର୍ମାସିଷ୍ଟ କେହି ନାହାନ୍ତି

କବାଟବନ୍ଧ: ଧର୍ମଶାଳା ବ୍ଲକ ଜେନାପୁର ମେଡିକାଲରେ ଦୀର୍ଘଦିନ ହେଲା ଡାକ୍ତର କିମ୍ବା ଫାର୍ମାସିଷ୍ଟ ନଥିବାରୁ ସ୍ଥାନୀୟ ଅଞ୍ଚଳର ୭ଟି ପଞ୍ଚାୟତର ଲୋକେ ରୋଗୀସେବାରୁ ବଞ୍ଚିତ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଏନେଇ ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି। ଜେନାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଗତବର୍ଷ ଫେବ୍ରୁଆରି ୨୫ ତାରିଖରୁ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି। ସେବେଠାରୁ ଏଠାରେ ଡାକ୍ତର ନିଯୁକ୍ତି ପାଇନାହାନ୍ତି। ଏଠାରେ ଥିବା ଫାର୍ମାସିଷ୍ଟଙ୍କର ଗତ ନଭେମ୍ବର ୨୬ ତାରିଖରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ତାଙ୍କ ବଦଳରେ ଅଦ୍ୟାବଧି ଫାର୍ମାସିଷ୍ଟ ନିଯୁକ୍ତି ପାଇନାହାନ୍ତି। ପାଖାପାଖା ୧୧ ମାସ ହେଲା ଡାକ୍ତର ଓ ୫ ମାସ ହେଲା ବିନା ଫାର୍ମାସିଷ୍ଟରେ ଚାଳିଛି ଏହି ଡାକ୍ତରଖାନା। ଡାକ୍ତର ଓ ଫାର୍ମାସିଷ୍ଟ ନଥିବାରୁ ସ୍ଥାନୀୟ ଜେନାପୁର, ବୃନ୍ଦାଦେଈପୁର, କମାଗଡ଼, ଅଣ୍ଟିଆ, ସାହାଣିଡିହ, ମର୍ଜିତାପୁର ଓ ଚକ୍ରଧରପୁର ପଞ୍ଚାୟତର ଜନସାଧାରଣ ରୋଗୀ ସେବାରୁ ବଞ୍ଚିତ ହେଉଛନ୍ତି। ବହୁ ଖର୍ଚ୍ଚାନ୍ତ ହୋଇ ଅନ୍ୟତ୍ର ଚିକିତ୍ସା ପାଇଁ ଯାଉଥିବାର ଦେଖାଯାଇଛି। ଏଠାରେ ଏକ ଡେଲିଭରି ପଏଣ୍ଟ ରହିଥିଲେ ସୁଦ୍ଧା ଡାକ୍ତର ନଥିବାରୁ ପ୍ରସବ କରାଇବା ପାଇଁ ଭୟ କରୁଛନ୍ତି ଲୋକେ। ଆପାତକାଳୀନ ସ୍ଥିତିରେ ଲୋକେ ନାନା ଖର୍ଚ୍ଚାନ୍ତ ହୋଇ ଧର୍ମଶାଳା, ଯାଜପୁର ନଚେତ କଟକ ଯାଉଥିବାର ଦେଖାଯାଇଛି। ଜଣେ ଆୟୁଷ ଡ଼ାକ୍ତର ନିଯୁକ୍ତି ପାଇଥିଲେ ସୁଦ୍ଧା ସେ ପ୍ରତିଦିନ ମେଡିକାଲକୁ ଆସୁ ନଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏଭଳି ପରିସ୍ଥିତିରେ ସ୍ଥାନୀୟ ବଣମଲ୍ଲୀ ସେବା ସଂଗଠନର ପକ୍ଷରୁ ଜେନାପୁର ମେଡିକାଲରେ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ବହୁବାର ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗପତ୍ର ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଗଠନର ସଭାପତି ନିର୍ମାଲ୍ୟ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର