ଝରାଫୁଲର ମୃତ୍ୟୁ ଏବେ ବି ରହସ୍ୟ ଘେରରେ ! ଜାଣନ୍ତୁ ପୁଲିସକୁ କ’ଣ ବୟାନ ଦେଇଛି ମୁଖ୍ୟ ଅଭିଯୁକ୍ତ ରାକେଶ

ଯାଜପୁର:  ‘‘୨୬ ତାରିଖ ଦିନ ଝାଡ଼େଶ୍ୱର ବସରେ ଜୟଦେବ ବିହାରରୁ ଚଢ଼ିବା ପରେ ବାଣୀବିହାରରେ ଓହ୍ଲାଇଯାଇଥିଲା ଝରାଫୁଲ । ବାଣୀବିହାରରେ ଓହ୍ଲାଇବା ପରେ ମୋତେ ଫୋନ୍ କରିଥିଲା । ମୁଁ ଅପେକ୍ଷା କରିବା ପାଇଁ କହିବା ଭିତରେ ବାଣୀବିହାରରୁ ରୁପାଲି ଛକ ଯାଏଁ ଆସିଯାଇଥିଲା । ମୁଁ ଝରାଫୁଲ ପାଖରେ ପହଂଚିବା ପରେ ଦେହ ଭଲ ଲାଗୁ ନାହିଁ ବୋଲି କହିଥିଲା । କିଛି ସମୟ ଧରି ବୁଲାବୁଲି କରିବା ପରେ ଆମେ ଯାଇ ଫାଷ୍ଟଫୁଡ୍ ଖାଇଥିଲୁ । ଦେହ ଭଲ ଲାଗୁ ନଥିବାରୁ ପ୍ରଥମେ ସେ ଫାଷ୍ଟଫୁଡ୍ ଖାଇବାକୁ ମନା କରିଥିଲା । ବୁଲାବୁଲି କରିବା ପରେ ଝରାଫୁଲ କହିଥିଲା, ମୁଁ ଆଜି ଆଉ ଘରକୁ ଫେରିବିନି । ପରେ ଗେଷ୍ଟହାଉସ୍ ବୁକ୍ କରି ଯାଇଥିଲୁ । ଗେଷ୍ଟହାଉସରେ ୨ଟା ଯାଏଁ ଗପସପ କରିଥିଲୁ । ଆଉ ତା ପରେ ଆମେ ଶୋଇଯାଇଥିଲୁ । ସକାଳୁ ଉଠି ଦେଖିଲା ବେଳକୁ ଝରାଫୁଲ ପାଟିରୁ ଫେଣ ବାହାରୁଥିଲା । ଅଚେତ ଥିବା ଦେଖି ମୁଁ ସକାଳେ ମୋର ସାଙ୍ଗକୁ ଫୋନ୍ କରିଥିଲି । ସାଙ୍ଗ ଆସିବା ପରେ ଆମେ ଏସସିବି ନେଇଯିବାକୁ ଚିନ୍ତା କରି ସ୍କୁଟିରେ ନେଇଯାଇଥିଲୁ । ହେଲେ, ଏସସିବି ନେବା ବଦଳରେ ଆନନ୍ଦପୁରରେ ଥିବା ଝରାଫୁଲର ସମ୍ପର୍କୀୟ ଘରକୁ ନେବା ପାଇଁ ଆଗକୁ ବଢ଼ିଥିଲୁ । ହେଲେ, ଯିବା ରାସ୍ତାରେ ଝରାଫୁଲର ଗୋଡ଼ ବାରମ୍ବାର ସ୍କୁଟି ତଳକୁ ଲାଗିଯାଉଥିଲା । ରାସ୍ତାରେ ଯାଉଥିବା କାର, ତଥା ଅନ୍ୟଗାଡ଼ି ସବୁ ଆମକୁ ବାରମ୍ବାର କହୁଥିଲେ । ଝିଅର କ’ଣ ହୋଇଛି । ଆମେ ଡରି ଯାଇଥିଲୁ । ଆଉ ଶେଷରେ କୁଆଖିଆ ନିକଟରେ ଝରାଫୁଲକୁ ରାସ୍ତାକଡ଼ରେ ଫୋପାଡି ଦେଇଥିଲୁ ।’’

ପୋଲିସ ଆଗରେ ଏପରି କିଛି କଥା କହିଛି ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ରାକେଶ।

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । କେମିତି ଓ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହେଲା ତାକୁ ନେଇ ଯେତିକି ସନ୍ଦେହ ରହିଛି, ତାଠୁ ଅଧିକ ମୃତ୍ୟୁ ପଛର କାରଣ ତାଠୁ ଅଧିକ ସନ୍ଦିହାନ କରିଦେଉଛି । ଏହା ଏକ ସୁଚିନ୍ତିତ ହତ୍ୟା ନା’ ମୃତ୍ୟୁ ପଛରେ ଆଉ କଣ କାରଣ ରହିଛି, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।

ଝରାଫୁଲର କାହାଣୀ ପୁଲିସକୁ ବି ଦ୍ୱନ୍ଦ୍ବରେ ପକାଇ ଦେଇଛି । କାରଣ, ଗେଷ୍ଟହାଉସରେ ତାଙ୍କ ସହ କେହି ନଥିଲେ । କ’ଣ ଘଟିଥିଲା, ତାହା କେବଳ ଅଭିଯୁକ୍ତ ରାକେଶ ସ୍ୱାଇଁ ହିଁ ଦେଖିଛି। ବଡ଼ କଥା ହେଉଛି, ଝରାଫୁଲ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ । ଆଉ ଏହାରି ଭିତରେ ମୃତ୍ୟୁ ପଛରେ ଗୁମର ଖୋଲିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟ ଓ ଭିସେରା ରିପୋର୍ଟ ମୃତ୍ୟୁ ପଛର ପ୍ରକୃତ କାରଣ ସାମ୍ନାକୁ ଆଣିବ ବୋଲି ଆଶା କରାଯାଉଛି ।

ବଡ଼ କଥା ହେଉଛି, ଅଭିଯୁକ୍ତ ଯାହା ବୟାନ ଦେଇଛି, ଉଣାଅଧିକେ ତାହା ସତ ପ୍ରମାଣିତ ହେଉଛି । ପୋଷ୍ଟମର୍ଟମ୍ ରିପୋର୍ଟ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ କୁଆଖିଆ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ଅଧିକ ତଦନ୍ତ କରୁଛି । ଆଉ ଚୂଡ଼ାନ୍ତ ରିପୋର୍ଟ ଉପରେ ରହିଛି ସମସ୍ତଙ୍କ ନଜର । ଏପଟେ ଅଭିଯୁକ୍ତକୁ ରାକେଶ ସ୍ୱାଇଁର ବନ୍ଧୁକୁ ଚିହ୍ନଟ କରିଛି ପୁଲିସ୍ । କୁଆଖିଆ ପୁଲିସ୍ ଓ ସାଇନ୍ଟିଫିକ୍ ଟିମ୍ ଘଟଣା ସ୍ଥଳର ପାରିପାଶ୍ୱିକ ସ୍ଥିତି ଓ ସିସିଟିଭି ଆଧାରରେ ଛାନଭିନ୍ କରୁଛନ୍ତି । ଏହାରି ଭିତରେ ଯାଜପୁର ଉପ-କାରକାରରେ ଥିବା ରାକେଶକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ ହୋଇଛି । ଆସନ୍ତା ୧ ତାରିଖରେ ଏହାର ଶୁଣାଣି ହେବ।

ସମ୍ବନ୍ଧିତ ଖବର