ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା : ପ୍ରେମ ସଂପର୍କକୁ ନେଇ ହତ୍ୟା ସନ୍ଦେହ କଲେ ପରିବାର ଲୋକ

ଯାଜପୁର: ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା ତାର ରହସ୍ୟ ଖୋଲିବାକୁ ଯାଉଛି ପୁଲିସ। କାରଣ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଯାଜପୁର ପୁଲିସ୍ । ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଏସଡିପିଓ ଚିନ୍ମୟ ନାୟକ । ତେବେ ଦୁଇ ଅଭିଯୁକ୍ତ ଫେରାର ଥିବା ସେ କହିଛନ୍ତି । ଏମାନଙ୍କୁ ଖୋଜି ବାହାର କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ପୁଲିସ୍‌ । ଗିରଫ ପରେ ପୁଲିସ୍‌ ଏନେଇ ବିଧିବଦ୍ଧ ସୂଚନା ଦେବ।

ଝରାଫୁଲଙ୍କ ଘର ମୟୂରଭଂଜରେ। ସେ ଭୁବନେଶ୍ୱରେ ରହୁଥିବା ବେଳେ ଯାଜପୁରରୁ ଉଦ୍ଧାର ହୋଇଥିଲା ମୃତଦେହ । ୨ଜଣ ଯୁବକ ଏକ ଲାଲ ରଙ୍ଗର ସ୍କୁଟରରେ ତାଙ୍କ ମରଶରୀରକୁ ଆଣି ଯାଜପୁର ରାସ୍ତାରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ସିସିଟିଭିରେ ଏହି ଘଟଣା କଏଦ ହେବା ପରେ ପୂରା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ମୟୂରଭଂଜ ଜିଲ୍ଲା ତରୁଣ୍ଡେଇପସି ଗାଁର ଝରାଫୁଲ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପଢୁଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଏକ ସ୍କୁଟରରେ ଆସି ୨ଜଣ ସନ୍ଦିଗ୍ଧ ଯୁବକ ମୁଳାପାଳ- ବ୍ରହ୍ମବରଦା ରାସ୍ତାର ଦିଆଲଖଣ୍ଡ ନିକଟରେ ମୃତଦେହ ଫିଙ୍ଗି ଚାଲି ଯାଇଥିଲେ ।

 

କୌଣସି ଏକ କାମରେ ଭୁବନେଶ୍ୱର ଆସି ପୁଣି ଯଶୀପୁର ମରୁଣ୍ଡେଇପଶି ଗାଁକୁ ଫେରୁଥିଲେ ଝରାଫୁଲ । କିନ୍ତୁ ପେଟ ଖରାପ କହି, ବାଣୀବିହାରରେ ଓହ୍ଲାଇ ପଡ଼ିଥିଲେ । ତା’ପରେ ତାଙ୍କୁ ତାଙ୍କ ଭାଇ ଫୋନ କରିଥିଲେ, କିନ୍ତୁ ସେ ଫୋନ ରିସିଭ କରି ନଥିଲେ । ପରେ ରାତି ୧୨ଟାରେ ଭାଇଙ୍କୁ ଫୋନ କରି ଠିକ ଅଛନ୍ତିଏବଂ ସେମାନେ ଚିନ୍ତା କରନ୍ତୁ ନାହିଁ ବୋଲି କହିଥିଲେ । ବାଣୀବିହାର  ଛକରୁ ଓହ୍ଲାଇ ଝରାଫୁଲ କୁଆଡେ ଗଲେ, ସେ ବିଷୟରେ କେହି କିଛି ଜାଣି ନଥିଲେ । ତା’ପରେ ତାଙ୍କ ମୃତଦେହ ମିଳିଥିଲା ଓ ପରେ ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା ।

ଏପଟେ ମୃତ ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ଜଣେ ଯୁବକଙ୍କ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ ଗାଁରେ ପାଣି ପାଇପ କାମ କରୁଥିବା ଜଣେ ଯୁବକ ରାକେଶ ସ୍ୱାଇଁଙ୍କ ସହ ଝରାଫୁଲଙ୍କ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ପରିବାରର ବାରମ୍ବାର ବାରଣ ସତ୍ୱେ ସେ ତାଙ୍କ ସହ ଫୋନରେ କଥା ହେଉଥିଲେ ଏବଂ ଚାଟିଂ କରୁଥିଲେ । ଏପରିକି ଗତ ୨୪ ତାରିଖରେ ଝରାଫୁଲ ଭୁବନେଶ୍ୱର ଯାଇଥିବାବେଳେ ୨୫ ତାରିଖରେ ଜନ୍ମଦିନ ପାଳିଥିଲେ ଓ ରାକେଶ ତାଙ୍କ ସହ ଥିବାର ସେ ସନ୍ଦେହ କରିଛନ୍ତି । ତେଣୁ ଝରାଫୁଲଙ୍କ ମୃତ୍ୟୁରେ ରାକେଶଙ୍କ ହାତ ଥାଇପାରେ ବୋଲି ସେ ସନ୍ଦେହ କରି ପୋଲିସକୁ ସେହି ଦିଗରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର