ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲା କିନ୍ନର ସଂଘ

କାଳିଆପାଣି : କାଳିଆପାଣି ଥାନା ଅନ୍ତର୍ଗତ ଟାଟାଷ୍ଟିଲ୍‌ ସୁକିନ୍ଦା କ୍ରୋମାଇଟ୍‌ ମାଇନ୍‌ସ କଲୋନିର ଜଣେ କର୍ମଚାରୀଙ୍କ ଘରେ ବେଠି ଖଟୁଥିବା ଜନୈକ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ। ବାପ,ମା’ ଛେଉଣ୍ଡ ଏହି ପୀଡ଼ିତା ଜଣକ ୧୫ ବର୍ଷ ଧରି ଶୋଷଣର ଶିକାର ହେବା ପରେ ଏବେ ସମ୍ପୂର୍ଣ୍ଣ ନିରାଶ୍ରୟା। ମାନ୍ୟବର ଅଦାଲତଙ୍କ ନିର୍ଦେଶରେ ସେ ଏବେ ଜିଲ୍ଲାର ଏକ ସ୍ୱାଧାର ଗୃହରେ ସାମୟିକ ଭାବେ ରହୁଛନ୍ତି। ଏହି ଅସହାୟା ପୀଡ଼ିତାଙ୍କୁ ଯାଜପୁରରୋଡ଼ କିନ୍ନର ସଂଘ ସହାୟତାର ହାତ ବଢ଼ାଇଛି। କିନ୍ନର ସଂଘ ସଭାପତି କାଜଲ ଓ ସଂପାଦକ ଲଭ୍‌ଲି ଆଜି ପୀଡ଼ିତାଙ୍କୁ ଏହି ସ୍ୱାଧାର ଗୃହରେ ଭେଟିଥିଲେ। ପୀଡ଼ିତାଙ୍କୁ ନିର୍ଯାତନା, ଶ୍ରମ ଶୋଷଣ ଓ ବିବାହ ପ୍ରତିଶ୍ରୁତି ଦେଇ ଜନୈକ ଟାଟା କର୍ମଚାରୀଙ୍କ ଦୁଷ୍କର୍ମର କାହାଣୀ ଶୁଣିଥିଲେ। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲଢ଼େଇ କରାଯିବ ବୋଲି କିନ୍ନର ସଂଘର ଦୁଇ କର୍ମକର୍ତ୍ତା ମତ ରଖିଥିଲେ।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଞ୍ଚଳରେ ଜନ୍ମ ହୋଇଥିଲେ। ମାତ୍ର ୭ ବର୍ଷ ବୟସରେ ବାପ,ମା’ଙ୍କୁ ହରାଇଥିବା ଏହି ଅନାଥିନୀଙ୍କୁ ଜନୈକ ଟାଟା କର୍ମଚାରୀ ସହାୟତାର ହାତ ବଢ଼ାଇଥିଲେ। ପାଠ ପଢ଼ାଇବା ସହ ଝିଅ ପରି ଲାଳନପାଳନ କରିବାର ପ୍ରତିଶ୍ରୁତି ଦେଇଥିବା ଏହି କର୍ମଚାରୀ ପୀଡ଼ିତାଙ୍କ ଅସହାୟତାର ଭରପୂର ଫାଇଦା ଉଠାଇଥିଲେ। ସେହିଦିନଠୁ ପୀଡ଼ିତା ୧୫ ବର୍ଷ ଧରି ଏହି କର୍ମଚାରୀଙ୍କ ପାଖରେ ବେଠି ଖଟୁଥିଲେ। ତାଙ୍କୁ ପରିବାରର ପୂରୁଣା ପୋଷାକ ପିନ୍ଧିବାକୁ ଦିଆଯାଉଥିଲା। ଗତ କିଛିବର୍ଷ ଧରି ପୀଡ଼ିତା ସ୍ଥାନୀୟ ଟାଟାଷ୍ଟିଲ ସୁକିନ୍ଦା କଲୋନିରେ ରହୁଥିଲେ। କଲୋନିରେ ତିନି ତିନିଟି ହାଇସ୍କୁଲ୍‌ ଥିଲେ ମଧ୍ୟ ତାଙ୍କୁ ପଢ଼ିବାକୁ ସୁଯୋଗ ଦିଆଯାଇନଥିଲା। ନ୍ୟାୟ ଅପେକ୍ଷାରେ ଥିବା ପୀଡ଼ିତା ଏବେ ଅଭିଯୁକ୍ତ ମାଲିକଙ୍କଠୁ ଭରଣ ପୋଷଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର