କୋରେଇ ଆକାଶରେ ଗୋଷ୍ଠୀ ବିବାଦର କଳା ବାଦଲ

ଯାଜପୁର, (ସଂଗ୍ରାମ ସିଂହ): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଅଣ କଂଗ୍ରେସ ଦୁର୍ଗ ଭାବେ ପରିଚିତ କୋରେଇ ନିର୍ବାଚନମଣ୍ଡଳୀ ଉପରେ ହେଭିୱେଟ୍ ନେତାଙ୍କ ନଜର। ୧୯୭୪ ମସିହାରୁ ୨୦୧୪ ମଧ୍ୟରେ ୧୦ଟି ନିର୍ବାଚନ ହୋଇଛି। ଏଥିମଧ୍ୟରୁ କଂଗ୍ରେସ ଓ ବିଜେପି ଥରେ ଲେଖାଏଁ ବିଜୟ ସ୍ବାଦ ଚାଖିଛନ୍ତି। କଂଗ୍ରେସରୁ ରାମଚନ୍ଦ୍ର ଖୁଣ୍ଟିଆ ୧୯୮୫ ମସିହାରେ ବିଜୟୀ ହୋଇଥିବା ବେଳେ ବିଜେପିରୁ ୨୦୦୪ ମସିହାରେ ସଞ୍ଚିତା ମହାନ୍ତି ଜିତିଥିଲେ। ଅବଶିଷ୍ଟ ୮ଥର ଅଣ କଂଗ୍ରେସ ପ୍ରାର୍ଥୀ ଏଠାରୁ ଜିତାପଟ ହାସଲ କରିଛନ୍ତି। ସେଥିରୁ ଅଶୋକ ଦାସ ସର୍ବାଧିକ ୫ଥର ବିଜୟୀ ହୋଇଛନ୍ତି। ଅଶୋକ ଦାସଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ବିଜେଡ଼ି ବିଧାୟକ ଆକାଶ ଦାସନାୟକଙ୍କ ପର୍ଯ୍ୟନ୍ତ ବୈତରଣୀ ଅବବାହିକାରେ ଥିବା କୋରେଇ ନିର୍ବାଚନମଣ୍ଡଳୀ ଅଣ କଂଗ୍ରେସ ଦୁର୍ଗରେ ପରିଣତ ହୋଇଛି।

ଏଥର ବିଜେଡିରେ ଅନ୍ୟ ଦଳ ଅପେକ୍ଷା ଆଶାୟୀଙ୍କ ସଂଖ୍ୟା ଢ଼େର ଅଧିକ। ଏହି ନିର୍ବାଚନମଣ୍ଡଳୀଟି ସ୍ବର୍ଗତ ଅଶୋକ ଦାସଙ୍କ ହସ୍ତମୁଦି ଭଳି ଥିବାରୁ ତାଙ୍କ ସୁପୁତ୍ର ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ପ୍ରଭାବ ମଧ୍ୟ ଏଠାରେ ‌ରହିଛି। ଶାସକ ଦଳରେ ବବିଙ୍କ ଦବଦବା ଥିବାରୁ ତାଙ୍କ କ୍ୟାମ୍ପରୁ ଯେକେହି ବି ଏଠାରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେଥିରେ ଖୋଦ୍‌ ନିଜେ ବବି, ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ ଓ ଭିଣୋଇ ଅରିନ୍ଦମ ରାୟଙ୍କ ନାମକୁ ନେଇ ଚର୍ଚ୍ଚା ଲାଗି ରହିଛି। ସେହିପରି ବବିଙ୍କୁ ଆଶ୍ରା କରି ବିଜେପିରୁ ବିଜେଡିକୁ ଫେରିଥିବା ଅଶୋକ ବଳ ମଧ୍ୟ ଟିକେଟ ପାଇଁ ବେଶ ଆଶାବାଦୀ। ଏମାନଙ୍କ ବ୍ୟତୀତ କେ‌ାରେଇର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇ (ଡାନି)ଙ୍କ ପ୍ରଭାବ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ କିଛି କମ୍ ନାହିଁ। ଗତ ନିର୍ବାଚନରେ ଡାନିଙ୍କ ସମର୍ଥକ ପ୍ରତାପ କୁମାର ମହାନ୍ତି ଏଠାରୁ ଟିକେଟ ଲବିରେ ଥିଲେ। ଦଳୀୟ ଟିକେଟ୍ ନପାଇବାରୁ ସ୍ବାଧୀନ ପ୍ରାର୍ଥୀ ହୋଇ ୭୧୭୦ ଭୋଟ ପାଇଥିଲେ। ଏବେ‌ ସେ ବିଜେଡିରେ। ବବିଙ୍କ ନିକଟତର ମଧ୍ୟ ହୋଇଛନ୍ତି। ବବିଙ୍କ ଆଶୀର୍ବାଦ ତାଙ୍କ ଉପରେ ଥିବା କୁହାଯାଉଛି। ସେହିପରି ପ୍ରଶାସକରୁ ରାଜନେତା ହେବାକୁ ଆଶାବାନ୍ଧିଥିବା ସେଲ୍ ଟ୍ୟାକ୍ସ ଅତିରିକ୍ତ କମିଶନ ପୀୟୂଷ ପାଣି ମଧ୍ୟ ବିଜେଡି ଟିକେଟ ଆଶାୟୀ ବୋଲି ଚର୍ଚ୍ଚା ହେଉଛି। ତାଙ୍କୁ ମଧ୍ୟ ବିଭିନ୍ନ ସଭା ସମିତିରେ ଦେଖିବାକୁ ମିଳୁଛି। ଏପରିକି ବିଧାୟକ ଆକାଶ ଦାସନାୟକଙ୍କ ବାପା ତଥା ଶ୍ରମିକ ନେତା ମାୟାଧର ନାୟକଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କୋରେଇରୁ ସୁକିନ୍ଦାକୁ ଯାଇଥିବା ବିଧ‌ାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ପ୍ରତ୍ୟାବର୍ତ୍ତନ କଥା ମଧ୍ୟ ଆଲୋଚନା ହେଉଛି।

୨୦୧୪ ନିର୍ବାଚନରେ ୪୨ ହଜାର ୮୬୭ ଭୋଟ ବ୍ୟବଧାନରେ ଆକାଶ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ବିଶ୍ବଜିତ ନାୟକଙ୍କୁ ହରାଇଥିଲେ। ସେତେବେଳେ ଆକାଶ ଶିବିରର ଅନ୍ୟତମ ମାର୍ଗଦର୍ଶକ ଭାବେ ବବି କାମ କରୁଥିଲେ। କିନ୍ତୁ ଏଥରର ଅବସ୍ଥା ସଂପୂର୍ଣ୍ଣ ଭିନ୍ନ। ଆକାଶ ଓ ବବିଙ୍କ ଶିବିର ମଧ୍ୟରେ ଅହିନକୁଳ ସଂପର୍କ। ବିଧାୟକ ଆକାଶ ଲୋକସଂପର୍କ ବଜାୟ ରଖିଥିବା ବେଳେ ଆଜିକାଲିର ରାଜନୀତି ଗୋଟି ଚାଳନାରେ ସେ ପଛରେ ପଡ଼ିଯାଇଛନ୍ତି। ଫଳରେ କୋରେଇକୁ ଘେରି ରହିଥିବା ସୁକିନ୍ଦା, ଯାଜପୁର ଓ ଧର୍ମଶାଳା ବିଧାୟକ (ଡାନି-ବବି-ଜିତୁ)ଙ୍କ ଶିବିର ସହ ଆକାଶଙ୍କ ସେପରି ସୁସମ୍ପର୍କ ନାହିଁ।

ସେହିପରି ଗତଥର କଂଗ୍ରେସର ପ୍ରାର୍ଥୀ ବିଶ୍ବଜିତ ନାୟକ ଏଥି ମଧ୍ୟରେ ବିଜେପିରେ ଯୋଗଦେବା ସହ କୋରେଇ ପଞ୍ଚାୟତ ସମିତି ଦଖଲ କରି ନିଜ ରାଜ‌େନୖତିକ ଗୋଟି ଚାଳାନାରେ ଗୋଟିଏ ପାହାଚ ଆଗେଇ ଯାଇଛନ୍ତି। ବିଶ୍ବଜିତ ଏଥର ବିଜେପି ପ୍ରାର୍ଥୀ ହେବେ ବୋଲି ତାଙ୍କ ଶିବିର ବେଶ୍‌ ଉତ୍ସାହିତ । ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଶିବିରକୁ ମଧ୍ୟ ପୁରୁଣା ବିଜେପି ନେତାମାନେ ସମର୍ଥନ ଯୋଗାଇ ଆସୁଛନ୍ତି। ଏହା ବାଦ୍‌ ଆଲେକଜାଣ୍ଡାର ଦାସ, ଚନ୍ଦ୍ରଶେଖର ପଣ୍ଡା ଓ ସତ୍ୟନାରାୟଣ ମହାନ୍ତି ପ୍ରମୁଖ ବିଜେପି ଟିକେଟ ପାଇଁ ଆଶାବାଦୀ ଅଛନ୍ତି।

ସେହିପରି କଂଗ୍ରେସରେ ମଧ୍ୟ ଟିକେଟ ପାଇଁ ଅନେକ ହେଭିୱେଟ୍ ନେତାଙ୍କ ନାମ ଥିବା ନେଇ ବେଶ ଚର୍ଚ୍ଚା ହେଉଛି। ଏଆଇସିସି ସଂପାଦକ ରାମଚନ୍ଦ୍ର ଖୁଣ୍ଟିଆ ଏହି ଆସନକୁ ନିଜ ଦଖଲରେ ରଖିବାକୁ ସର୍ବଦା ଉଦ୍ୟମ କରିଆସିଛନ୍ତି। ସେ ଥରେ ଏଠାରେ ଜିତିଥିବା ବେଳେ ତାଙ୍କ ପତ୍ନୀ ହେମଲତା ଖୁଣ୍ଟିଆ ୨୦୦୯ରେ ପରାସ୍ତ ହୋଇଥିଲେ। ଏଥର ମଧ୍ୟ ରାମବାବୁ ନିଜର କାହାକୁ ପ୍ରାର୍ଥୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ମହିଳା କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ତଥା ବ୍ୟାସନଗର ପୂର୍ବତନ ନଗରପାଳ ବନ୍ଦିତା ପରିଡ଼ା କୋରେଇରେ ପ୍ରାର୍ଥୀ ହେବେ ବୋଲି କଂଗ୍ରେସ ଶିିବିରରେ ଆଲୋଚନା ହେଉଛି। ବନ୍ଦିତା ମଧ୍ୟ ବିଭିନ୍ନ ସଭା ସମିତିରେ ଯୋଗଦେବା ସହ ଦଳୀୟ କାର୍ଯ୍ୟକ୍ରମର ନେତୃତ୍ବ ନେଉଛନ୍ତି। ମାନବାଧିକାର କର୍ମୀ ମନୋଜ ଜେନା ଓ ପୁରୁଖା କ‌ଂଗ୍ରେସ ନେତା ହରେକୃଷ୍ଣ ସାହୁ ମଧ୍ୟ ଟିକେଟ ଆଶାୟୀ ଅଛନ୍ତି। ଏହାଛଡ଼ା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ବ‌ାରମ୍ବାର କୋରେଇ ଗସ୍ତ ଓ ଛୋଟବଡ଼ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା କୁ ଲକ୍ଷ୍ୟ କରି ତାଙ୍କର ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

୨୦୧୪ ନିର୍ବାଚନ ଫଳାଫଳ

ଦଳ             ପ୍ରମୁଖ ପାର୍ଥୀ             ଭୋଟ
ବିଜେଡ଼ି      ଆକାଶ ଦାସ ନାୟକ      ୭୩୯୬୬
କଂଗ୍ରେସ     ବିଶ୍ବଜିତ ନାୟକ           ୩୧୦୯୯
ବିଜେପି      ସଂଚିତା ମହାନ୍ତି           ୧୫୬୭୧
ସ୍ବାଧୀନ      ପ୍ରତାପ କୁମାର ମହାନ୍ତି    ୭୧୭୦
ନୋଟା        ——–                  ୯୧୧

ସମ୍ବନ୍ଧିତ ଖବର