କାଳିଆପାଣି :ଯାଜପୁର-ଢେଙ୍କାନାଳ ସୀମାନ୍ତ ରଗଦା ଡ୍ୟାମ୍‌ ତଳ ନାଳ ଓ କେନାଲ ଏବଂ ପାର୍ଶ୍ବସ୍ଥ ଗୋଡ଼ିସ‌ାହି ଓ ଟୁଭିନାଳି ଗାଁରେ ଗତକାଲି ଅବକାରୀ ବିଭାଗ ଓ ସଶସ୍ତ୍ର ପୁଲିସ ବାହିନୀ ପକ୍ଷରୁ ବଡ଼ ଧରଣର ଚଢ଼ଉ ହୋଇଥିଲେ ହେଁ ପେସାଦାର ମାଫିଆ ବେଫିକର। ଆଜି ଭୋର୍‌ ପ୍ରାୟ ସବୁ ଭାଟିରେ ପୁଣି ବେଧଡ଼କ ମଦ ରନ୍ଧା ଚାଲିଥିବା ଦେଖାଯାଇଛି। ଗତକାଲିର ଚଢ଼ଉ ପରେ ପରେ ମାଫିଆମାନେ କାମାକ୍ଷାନଗର ଓ ଭୁବନ ବଜାରରୁ ଆଲୁମିନିଅମ୍‌ ଡେକ୍‌ଚି, ପ୍ଲାଷ୍ଟିକ୍‌ ଡ୍ରମ୍‌ ଓ ଆନୁଷଙ୍ଗିକ ଭାଟି ସରଞ୍ଜାମ ସବୁ କିଣି ଆଣିଥିଲେ।

Advertisment

ଗୋଡ଼ିସାହି ଗାଁର କୁଖ୍ୟାତ ମଦ ମାଫିଆ ଶରତ ମହାନ୍ତ ଘରୁ ବ୍ୟାପକ ମଦ, ପୋଚ ଓ ମହୁଲ ଜବତ ଆଧାରରେ ଗତକାଲି ତା’ନାଁରେ କାମାକ୍ଷାନଗର ଅବକାରୀ ଥାନାରେ ଏକ କେସ୍ ୪୭/୨୫-୨୬ ରୁଜୁ ହୋଇଛି। ତା’ ଘରେ ଘଣ୍ଟାଏ ଧରି ଚଢ଼ଉ ସମୟରେ ଶରତ ଓ ପରିବାର ଘର ଛାଡ଼ି ଚମ୍ପଟ୍‌ ମାରିଥିଲେ। ସେହିପରି ରଗ୍‌ଡା ଡ୍ୟାମ୍‌ ପାର୍ଶ୍ବସ୍ଥ ଏକ ଦୋକାନରେ ମାସକୁ ପାଖାପାଖି ୨ ଶହ ବସ୍ତା ଚିନି ଓ ୨ ଶହ ବସ୍ତା ୟୁରିଆ ସାର ବିକ୍ରି ହେଉଥିବା ପୁଲିସ ଜାଣିପାରିଛି।

ଗୁଡ଼ ଦର ୨ ଗୁଣା ରହୁଥିବାରୁ ମଦ ଭାଟିରେ ଚିନି ଓ ୟୁରିଆ ପ୍ରମୁଖ କଞ୍ଚାମାଲ ଭାବେ ବ୍ୟବହୃତ ହେଉଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଅନୁକୂଳ ଭୌଗଳିକ ପରିବେଶ ପାଇଁ ଏହି ଇଲାକା ୭୦ ବର୍ଷ ଧରି ମଦ ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ଡ୍ୟାମ୍ ଓ ନାଳ ତଳ ସବୁ ଗାଁରେ ପୁରୁଷାନୁକ୍ରମେ ଘରେଘରେ ଚୋରା ମଦ ପ୍ରସ୍ତୁତ ହେଉଛି। ଦୈନିକ ୪୦ ରୁ ୫୦ ଭାଟିରେ ଦୈନିକ ୪ ରୁ ୫ ହଜାର ଲିଟର ଦେଶୀ ରନ୍ଧା ମହୁଲି ଓ ଚାଉଳି ମଦ ପ୍ରସ୍ତୁତ ହେଉଛି।

ଏଠାରୁ ମାତ୍ର ୩ ରୁ ୧୫ କିଲୋମିଟର ଦୂରରେ ଥିବା କାଳିଆପାଣି ଖଣିଅଞ୍ଚଳ ଓ ୪୦ କିଲୋମିଟର ଦୂର କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଚାଲାଣ ହେଉଥିବା ଜଣାପଡ଼ିଛି। ଏକ ବାତାନୁକୂଳ ଘରେ ବସି ମାଫିଆମାନେ ବିଭିନ୍ନ ଇଲାକାକୁ ମଦ ଚାଲାଣର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥାନ୍ତି। ୧୦ ବର୍ଷ ମଧ୍ୟରେ ମୁଖ୍ୟ ମାଫିଆ ଓ ସହଯୋଗୀ ଏବେ କୋଟିପତି। ଦୁହେଁ ସ୍ଥାନୀୟ ରାଜନୀତିକୁ ନିୟନ୍ତ୍ରଣରେ ରଖିଆସିଛନ୍ତି। ମାଫିଆଙ୍କ ପ୍ରାଦୁର୍ଭାବରୁ ଆଖପାଖ ୫୦ ରୁ ଅଧିକ ଗାଁର ଘରେଘରେ ଅକାଳ ମଦମୃତ୍ୟୁର ବିଭୀଷିକା।

ଚୋରା ମଦ ଯୋଗାଣରେ ୫୦ ରୁ ଅଧିକ ବ୍ୟକ୍ତି, ୨୫ ରୁ ଅଧିକ ବାଇକ୍‌, ସାଇକଲ୍‌ ଓ ଏକାଧିକ ୪ ଚକିଆ ଗାଡ଼ି ବ୍ୟବହୃତ ହୋଇଥାଏ। ମାଫିଆ ପକ୍ଷରୁ ଅନାୟାସରେ ଖଣିଅଞ୍ଚଳର ଶତାଧିକ ଚୋରା ମଦ ବେପାରୀଙ୍କ ଘରେ ମଦ ପହୁଞ୍ଚା ଯାଇଥାଏ। ଯୋଜନାବଦ୍ଧ ଭାବେ ଭିନ୍ନକ୍ଷମ, ବିଧବା ଓ ଅସହାୟ ମହିଳାଙ୍କ ଜରିଆରେ ଅବାଧ ଚୋରା ମଦ କାରବାର ସୀମା ଲଙ୍ଘିଥିବା ସାଧାରଣରେ ଅଭିଯୋଗ ହୁଏ। ଏ ସଂପର୍କରେ ଅବକାରୀ ନିରୀକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ ଖୁବଶୀଘ୍ର ପୁଣିଥରେ ଏହି ଇଲାକାରେ ଚଢ଼ଉ କରାଯିବ ବୋଲି କହିଛନ୍ତି।