ବରୀ: ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସର୍ବଶ୍ରେଷ୍ଠ ଅସ୍ମିତାର ପ୍ରମାଣ, ସେହିପରି ଭଞ୍ଜ, ଦୀନକୃଷ୍ଣ ଓ ଅଭିମନ୍ୟୁ ସାମନ୍ତସିଂହାର ଜଣେଜଣେ ଅସ୍ମିତା ପୁରୁଷ। ଏହିମାନଙ୍କୁ ଆମେ ଅସ୍ମିତା ପୁରୁଷ କହୁ। ଭାଷା ନଥିଲେ ଆମ ରାଜ୍ୟ ସ୍ବତନ୍ତ୍ର ହୋଇନଥା’ନ୍ତା। ଏବେ ଦେଖାଯାଉଛି ଯେଉଁମାନେ ଭାଷାକୁ ଦଳିମକଚି ଦେଉଛନ୍ତି ସେମାନେ ମୁକୁଟ ପିନ୍ଧି ବୁଲୁଛନ୍ତି। ଆମେ ସମସ୍ତେ ସଚେତନ ହେବା ଦରକାର। ସାହିତ୍ୟିକ ବନ୍ଧୁମାନେ ସାହିତ୍ୟ କବିତା ରଚନାରେ ସୀମିତ ରହିଲେ ହେବନାହିଁ। ସାହିତ୍ୟ ରାଜନୈତିକ ବ୍ୟକ୍ତିମାନଙ୍କୁ ମାର୍ଗଦର୍ଶନ କରାଇବାରେ ସହାୟକ ହେବା ଉଚିତ ବୋଲି ଆଜି ବରୀ ବ୍ଲକ୍‌ ଅଭିମନ୍ୟୁ ବାଲିଆଠାରେ ଆୟୋଜିତ ବରୀ ସମ୍ବାଦ ସାହିତ୍ୟଘରର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ଏହା ସହିତ ଅଭିମନ୍ୟୁଙ୍କ ପୁଣ୍ୟମାଟିରେ ପ୍ରଥମଥର ପାଇଁ ଅଭିମନ୍ୟୁଙ୍କ ବାର୍ଷିକ ଉତ୍ସବ ତଥା ବରୀ ସାହିତ୍ୟଘରର ବାର୍ଷିକ ଉତ୍ସବ ଏକ ସଂଯୋଗ ବୋଲି ପ୍ରକାଶ କରିବା ସହିତ ଏଥିରେ ଯୋଗଦେବାର ସୁଯୋଗ ପାଇଥିବାରୁ ଆନନ୍ଦିତ ବୋଲି କହିଥିଲେ।

Advertisment

ଆମ ଓଡ଼ିଶାର ୫ସୂତ୍ରୀ ଯୋଜନା ସଂପର୍କରେ ବ୍ୟାଖ୍ୟା କରିଥିଲେ। ସାହିତ୍ୟଘର ସଭାପତି ନିମାଇଁ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଯୋଗଦେଇ ଅଭିମନ୍ୟୁଙ୍କ ବିଭିନ୍ନ ରଚନା ସଂପର୍କରେ ସୂଚନା ରଖିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଧ୍ୟାପକ ଯଚୀନ୍ଦ୍ର ରାଉତ ଯୋଗଦେଇଥିଲେ। ସାହିତ୍ୟଘରର ବରିଷ୍ଠ ସଦସ୍ୟ ପ୍ରଭାସ ଚନ୍ଦ୍ର ଦାସ ଅତିଥି ପରିଚୟ ସହିତ ସ୍ବାଗତ ଭାଷଣ ରଖିଥିଲେ। ସଂପାଦକ ଅପୂର୍ବ ରଂଜନ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ସଂଯୋଜକ ତଥା ବରୀ ସମ୍ବାଦ ପ୍ରତିନିଧି ସଂଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଆହୁରି ପଢ଼ନ୍ତୁ: Sir Don Bradman: ୨.୭ କୋଟି‌ରେ ବିକ୍ରିହେଲା ବ୍ରାଡ୍‌ମ୍ୟାନ୍‌ଙ୍କ ଟୋପି

ଏହି ଅବସରରେ ସାହିତ୍ୟଘରର ମୁଖପତ୍ର ‘ମଧୁଚକ୍ର’କୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ। ସେହିପରି ପ୍ରାଧ୍ୟାପକ ଯଚୀନ୍ଦ୍ର ରାଉତଙ୍କ ଦ୍ବାରା ବିଦଗ୍ଧ ଚିନ୍ତାମଣିର ଇଂରାଜୀ ଅନୁବାଦ ଉନ୍ମୋଚିତ ହେବା ସହିତ ଅନୁଷ୍ଠାନ ପକ୍ଷରୁ ଶ୍ରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାଞ୍ଚନ ଜେନାଙ୍କ ଲିଖିତ ‘ବରୀ ଗୌରବ’ କାବ୍ୟ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ବରୀ ସମ୍ବାଦ ସାହିତ୍ୟଘର ପକ୍ଷରୁ ବରୀ ଅଞ୍ଚଳର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଓ ବିଭିନ୍ନ ବ୍ଲକ୍‌ର ସାହିତ୍ୟଘରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଭିମନ୍ୟୁଙ୍କ ରଚିତ ଛାନ୍ଦ ଗାନରୁ ଅତିଥିମାନଙ୍କୁ ସ୍ବାଗତ କରାଯାଇଥିଲା। ସଭାପରେ ଓଁକାର ସୋସିଆଲ ଅର୍ଗାନାଇଜେସନ ଆନୁକୂଲ୍ୟରେ ଗୀତିକାର ଦିଲ୍ଲୀପ ଜେନାଙ୍କ ସଂଯୋଜନାରେ ଅଭିମନ୍ୟୁ ଛାନ୍ଦ ଲହରୀ ପରିବେଷଣ କରାଯାଇଥିଲା। ବରୀ ବ୍ଲକ୍‌ ସହିତ ପଡ଼ୋଶୀ ବ୍ଲକ୍‌ର ଶତାଧିକ ସାହିତ୍ୟିକ, ଶିକ୍ଷାବିତ୍‌, କବି, କବୟିତ୍ରୀମାନେ ଯୋଗ ଦେଇଥିଲେ। ପ୍ରାରମ୍ଭରେ କବୟିତ୍ରୀ ବନ୍ଦନା ସାମଲଙ୍କ ସଂଯୋଜନାରେ କବିତାପାଠ ଉତ୍ସବରେ ବହୁକବି ସ୍ବରଚିତ କବିତା ପାଠ କରିଥିଲେ।