ବାରବାଟୀରେ ସଶସ୍ତ୍ର ଡକାୟତି

ଡକାୟତଙ୍କ ମାଡ଼ରେ ଜଣଙ୍କ ମୁଣ୍ଡ ଫାଟିଲା

ବାରବାଟୀ : କୁଆଖିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ସନ୍ତୋଷ ନାୟକଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି । ଡକାୟତମାନେ ସନ୍ତୋଷଙ୍କୁ ପିଟି ତାଙ୍କ ମୁଣ୍ଡ ଫଟାଇ ଦେଇଥିବା ବେଳେ ଘରୁ ନଗଦ ୮୦ ହଜାର ଟଙ୍କା ଏବଂ ୩୫୦ ଗ୍ରାମରୁ ଅଧିକ ଓଜନର ସୁନାଗହଣା ଲୁଟି ନେଇଛନ୍ତି। ଡକାୟତଙ୍କ ମାଡ଼ରେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି। ଆହତ ସନ୍ତୋଷଙ୍କୁ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ୭ଟି ଷ୍ଟିଚ୍‌ ପଡ଼ିଛି। ଏ ସଂପର୍କରେ କୁଆଖିଆ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଛାନଭିନ୍‌ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବିଜୁନଗରରେ ଥିବା ସନ୍ତୋଷ ନାୟକଙ୍କ ଘର ପାଖରେ ଏକ କୁକୁଡ଼ା ଫାର୍ମ ରହିଛି। ସେହି ଫାର୍ମରେ କେନ୍ଦୁଝର ଜିଲାର ଚଗୁଲୁ ମୁଣ୍ଡା(୩୫) ଏବଂ ଦିଲୀପ ସାହୁ କାମ କରନ୍ତି। ସେମାନେ କାମ ସାରି ଶୋଇଥିଲେ। ବାରବାଟୀ ବିଜୁ ନଗର ନିକଟସ୍ଥ ଘରେ ସନ୍ତୋଷର ପରିବାର ଓ ତାଙ୍କର ୨ଜଣ କର୍ମଚାରୀ ଶୋଇଥିଲେ । ବିଳମ୍ବିତ ରାତିରେ ଡକାୟତମାନେ ଆସି କବାଟ ବାଡେଇ ଥିଲେ । ଗୁଲୁ ମୁଣ୍ଡା କବାଟ ଖୋଲିଥିଲେ । ୭ଜଣ ଡକାୟତ ମୁହଁରେ କଳାକପଡା ଗୁଡାଇ ଦୁଆର ମୁହଁରେ ଛିଡା ହୋଇଥିଲେ । ସେମାନଙ୍କ ମଧ୍ୟରୁ ୬ଜଣ ହାତରେ ଲାଠି ଧରିଥିବା ବେଳେ ଜଣେ ଡକାୟତ ଭୁଜାଲି ଧରିଥିଲା। ଚଗୁଲ କବାଟ ଖୋଲିବା ପରେ ଜଣେ ତା ହାତକୁ ଆଘାତ କରିଥିଲା।

ଚଗୁଲ ଜୋରରେ ଚିତ୍କାର କରିବାରୁ ଦିଲୀପ ଘର ଭିତରକୁ ଯାଇ ମାଲିକଙ୍କୁ ଡାକିଥିଲା। ଏହି ସୁଯୋଗରେ ଡକାୟତମାନେ ଘର ଭିତରକୁ ପଶି ଯାଇଥିଲେ। ସନ୍ତୋଷ ଏବଂ ତାଙ୍କ ପରିବାର ଲୋକେ ପ୍ରତିବାଦ କରିବାରୁ ଡକାୟତମାନେ ସନ୍ତୋଷର ମୁଣ୍ଡକୁ ପିଟି ଦେଇଥିଲେ। ଡକାୟତଙ୍କ ମାଡ଼ରେ ସନ୍ତୋଷଙ୍କ ମୁଣ୍ଡ ଫାଟି ଯାଇଥିଲା। ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ଗଦରେଜ୍‌ ଆଲମିରା ଚାବି ନେଇ ଡକାୟତମାନେ ଆଲମିରା ଖୋଲି ନଗଦ ୮୦ହଜାର ଟଙ୍କା ସହ ପ୍ରାୟ ୩୫୦ ଗ୍ରାମ ଓଜନର ସୁନାଗହଣା ଲୁଟି ନେଇ ଚମ୍ପଟ ମାରିଥିଲେ। ଡକାୟତମାନେ ପ୍ରାୟ ଅଧ ଘଣ୍ଟା ଧରି ଲୁଟ୍‌ ତରାଜ ଚଳାଇଥିଲେ।

ଏ ସଂପର୍କରେ ସନ୍ତୋଷ ଆଜି ସକାଳେ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି କୁଆଖିଆ ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏସଡିପିଓ ଯୁଗଳ କିଶୋର ଦାସ ଘଟଣାସ୍ଥଳ ପରିଦର୍ଶନ କରି ଫେରି ଯାଇଛନ୍ତି। ପେସାଦାର ଡକାୟତମାନଙ୍କ ଦ୍ୱାରା ଡକାୟତି କରାଯାଇଛି ବୋଲି ପୁଲିସ ପକ୍ଷରୁ କୁହାଯାଉଛି। ଥାନାରେ କେସ୍‌ ନଂ-୨୪୬/୧୭ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଆଜି ପ୍ରତିକୂଳ ପାଗ ଯୋଗୁଁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ହୋଇ ପାରିନାହିଁ । ପାଗ ଅନୁକୂଳ ରହିଲେ ଗୁରୁବାର ଦିନ ଏହି ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ଶ୍ର ସାହୁ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର