ବିଂଝାରପୁରରେ ପୁଣି ସଶସ୍ତ୍ର ଡକାୟତି : ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟିନେଲେ

ସିଂହପୁର : ବିଂଝାରପୁରରେ ପୁଣି ସଶସ୍ତ୍ର ଡକାୟତି। ଦୁର୍ବୃତ୍ତମାନେ ଦୁଇଜଣଙ୍କ ଘରେ ପଶି ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ପରିବାର କେତେକ ସଦସ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଅଭିଯୋଗ କ୍ରମେ ପୁଲିସ ୩୪୨/୨୦୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ବିଂଝାରପୁର ଥାନା ଅନ୍ତର୍ଗତ ଓଳେଇ ଚନ୍ଦନପୁର ଗ୍ରାମରେ ଏହି ଘଟଣା ଘଟିଛି। କଳା ଓ ଲାଲ ମୁଖା ପିନ୍ଧା ୫/୬ ଜଣ ଦୁର୍ବୃତ୍ତ ପ୍ରଥମେ ଗ୍ରାମର ସତ୍ୟବ୍ରତ ଦାସଙ୍କ ଘର ଗ୍ରୀଲ୍‌ଭାଙ୍ଗି ଭିତରକୁ ପଶିଥିଲେ। ପରିବାର ଲୋକଙ୍କୁ ଭୁଜାଲି ଓ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ, ୫ ଭରି ଓଜନର ସୁନା ଅଳଙ୍କାର ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଥିଲେ।

ଏହାପରେ ଦୁର୍ବୃତ୍ତମାନେ ନିକଟସ୍ଥ ବିଚିତ୍ର ଦାସଙ୍କ ଘରେ ପଶିଥିଲେ। ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ୭ ଭରି ଓଜନର ସୁନା ଗହଣା ଏବଂ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଲୁଟ୍‌ତରାଜ ସମୟରେ ଦୁର୍ବୃତ୍ତଙ୍କ ମାଡରେ ପରିବାରର କିଛି ସଦସ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏହି ଚୋରି ଘଟଣା ସମଗ୍ର ବିଂଝାରପୁର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ବିଂଝାରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳକୁ ଯାଇ ତନାଘନା କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କର କୌଣସି ଟେର୍‌ ପାଇପାରିନାହିଁ।

ଅନ୍ୟପକ୍ଷରେ, ଏହି ଘଟଣାରେ ପୁଲିସ୍‌ ଦୁର୍ବୃତ୍ତଙ୍କୁ ଧରିବାରେ କେତେଦୂର ସକ୍ଷମ ହେବ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବର୍ଷକ ମଧ୍ୟରେ ୫୦ ରୁ ଊର୍ଧ୍ୱ ଚୋରି ଡକାୟତି ଘଟଣା ଘଟିଛି। ମାତ୍ର ପୁଲିସକୁ ସବୁଠି ବିଫଳତାର ସ୍ୱାଦ ଚାଖିବାକୁ ପଡିଛି। ଆଜିର ଘଟଣା ସବୁ ଘଟଣାକୁ ବଳିଯାଇଛି ।

ସମ୍ବନ୍ଧିତ ଖବର