ଦଶରଥପୁର : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧୀନସ୍ଥ ଆହ୍ଲାବାଦ ବ୍ୟାଙ୍କ କେଳେଙ୍କାରୀ ପଦାକୁ ଆସିଛି। ମୃତକଙ୍କ ବ୍ୟାଙ୍କ ଜମା ଖାତାରୁ ପାଖାପାଖି ୧୫ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଘଟଣା ପ୍ରଘଟ ହେବା ପରେ ମ୍ୟାନେଜର ହରଡ଼ଘଣାରେ ପଡ଼ିଛନ୍ତି।
ଘଟଣା ପ୍ରଘଟ ପଛରେ କନିକାପଡା ପଂଚାୟତ ଶ୍ରୀରାମପୁର ଗ୍ରାମର ଚନ୍ଦ୍ରକାନ୍ତ ପରିଡା(୪୦)ଙ୍କ ଉପରେ ସନ୍ଦେହ କରି ମ୍ୟାନେଜର ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଶ୍ରୀ ପରିଡା ଏସଂପର୍କରେ ମଂଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମ୍ୟାନେଜର ନାରାୟଣ ଚନ୍ଦ୍ର ବେହେରାଙ୍କ ନାମରେ ମଙ୍ଗଳପୁର ପୁଲିସ ୪୫/୧୯ରେ ଦଫା ୨୯୪/୫୦୬/୫୦୭ ଆପିସିରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅଭିେଯାଗ ଅନୁଯାୟୀ ଶ୍ରୀ ପରିଡାଙ୍କ ଶ୍ରୀରାମପୁରସ୍ଥିତ ଘରେ କିଛି ଦିନ ତଳେ ମ୍ୟାନେଜର ଶ୍ରୀ ବେହେରା ଭଡାରେ ରହୁଥିଲେ। ଏହି ସମୟରେ ଶୁଶୁଆ ଗ୍ରାମର ଜଣେ ମୃତ ବ୍ୟକ୍ତିଙ୍କ ଆହ୍ଲାବାଦ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୪/୧୫ ଲକ୍ଷ ଟଙ୍କା ଶ୍ରୀ ପରିଡାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ କୁଆଡ଼େ ପ୍ରସ୍ତାବ ଦେଇଥିଲେ। ଶ୍ରୀ ପରିଡାଙ୍କୁ ମୋଟା ଅଂକର ଟଙ୍କା ଦେବାକୁ ମଧ୍ୟ ମ୍ୟାନେଜର ଲୋଭ ଦେଖାଇଥିଲେ। ମାତ୍ର ଶ୍ରୀ ପରିଡା ଏଥିରେ ରାଜି ହୋଇ ନଥିଲେ। ପରେ ଶ୍ରୀ ପରିଡା ତାଙ୍କ ଘରୁ ଭଡାରେ ଥିବା ମ୍ୟାନେଜରକୁ ଅନ୍ୟତ୍ର ଚାଲିଯିବାକୁ କହିଥିଲେ। ମାତ୍ର କିଛି ଦିନ ତଳେ ବ୍ୟାଙ୍କରେ ଜଣେ ନୂତନ ଭାବେ ତଳସ୍ତରର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ନୂତନ କର୍ମଚାରୀ ଜଣକ ଯେଉଁ ଜାତି ମୃତକ ବ୍ୟକ୍ତି ଜଣକ ସେହି ଜାତିର ହୋଇଥିବାରୁ ତାଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସର୍ଫର କରାଯାଇଛି। ଏହି ଖବର ବିଭିନ୍ନ ମାଧ୍ୟମରେ ପଦାକୁ ଆସିବା ପରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ମ୍ୟାନେଜର ଏହି କଥା ପୂର୍ବରୁ ଚନ୍ଦ୍ରକାନ୍ତ ପରିଡାଙ୍କୁ କହିଥିବାରୁ ସେ ଏସବୁ କଥା ପଦାକୁ ପ୍ରଘଟ କରିଥିବା ସନ୍ଦେହ କରି ତାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ। ଶ୍ରୀ ପରିଡା ଥାନାର ଦ୍ବାରସ୍ଥ ହୋଇଛନ୍ତି।
ଏବିଷୟରେ ଆଇଆଇସି ଅସିତ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ ଯେ ଘଟଣା ସଂପର୍କରେ ତଦନ୍ତ କରାଯିବ ଏବଂ ସତ୍ୟାସତ୍ୟ ଜଣାପଡ଼ିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ମୋତେ ଫସାଇବାକୁ ମିଥ୍ୟା ଅଭିଯୋଗ କରାଯାଇଥିବା ମ୍ୟାନେଜର ଶ୍ରୀ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/images.png)