ଯାଜପୁର: ଫାଷ୍ଟଟ୍ୟାଗ ଯୋଗୁଁ ଜଣେ ଗାଡି ମାଲିକ ନିଜର ଲୁଟ ହୋଇଥିବା ଟ୍ରକକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଯାଜପୁର ଜିଲ୍ଳା ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ଅଂଚଳର ଏସ କେ ଅବଦୁଲ ଓହିଦଙ୍କର ଏକ ୧୪ ଚକିଆ ଟ୍ରକକୁ ଗତ ସେପ୍ଟେମ୍ବର ୧ ତାରିଖ ଦିନ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରୁ ଦୁର୍ବୁତମାନେ ଲୁଟି ନେଇଥିଲେ |
ଏ ନେଇ ଅବଦୁଲ ଧର୍ମଶାଳା ଥାନାରେ ଏତଲା ଦାଏର କରିଥିଲେ । ସେପ୍ଟେମ୍ବର ୨ ତାରିଖ ଦିନ ଟ୍ରକଟି ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଳାର ଚନ୍ଦେରୀ ଟୋଲ ଗେଟ ଅତିକ୍ରମ କରିବା ପରେ ଗାଡି ମାଲିକଙ୍କ ମୋବାଇଲକୁ ମେସେଜ ଆସିବା ପରେ ସେ ଏହାର ପିଛାକରି ଏକ କବାଡିଆ ଗୋଦାମରୁ ଟ୍ରକଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ । ତେବେ ଲୁଟ ହୋଇଥିବା ଟ୍ରକର ହେଲପର ଏହି ଲୁଟରେ ସାମିଲ ଥିବା ଜଣାପଡିଥିବା ବେଳେ ସେ ନିଜର ମୋବାଇଲ ସୁଇଚ ଅଫକରି ଫେରାର ହୋଇଯାଇଛି ।
ସୂଚନା ଥାଉ କି ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି ପ୍ଲାଜାଗୁଡିକରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଗାଡି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି । ଜାତୀୟ ରାଜପଥର ଟୋଲ ଫି ପ୍ଲାଜାଗୁଡିକରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ସରକାରଙ୍କ ଆଉ ଏକ ପଦକ୍ଷେପ । ଗାଡି ଚାଳକମାନଙ୍କ ପଥକର ବାବଦରେ ଯେଉଁ ଅର୍ଥ ଦେବାକୁ ହେବ ତାହା ପ୍ରିପେଡ୍ ବ୍ୟବସ୍ଥାରେ ହିଁ ହେବ । ସେହି ଦେୟ ଉପରେ ଆବଶ୍ୟକ ରିହାତି ମଧ୍ୟ ଡିଜିଟାଲ ବ୍ୟବସ୍ଥାରେ ହିସାବ କରାଯାଇ ନିୟମ ଅନୁସାରେ ଫେରସ୍ତ କରାଯିବ ।