କାଳିଆପାଣି: ନଗଡ଼ା ପଡ଼ୋଶୀ ଗୁହିଆଶାଳ ମୌଜାରେ ଏବେ ମ୍ୟାଲେରିଆ ଆତଙ୍କ ଦେଖା ଦେଇଛି। ଥଣ୍ଡା, ଜ୍ବର, କାଶ ଓ ଘୋଳାବିନ୍ଧାର ଆକ୍ରାନ୍ତ ହେବା ପରେ ୨୩ ଜଣ ଗ୍ରାମବାସୀଙ୍କୁ ଗତକାଲି ସଂଧ୍ୟାରେ ମେଡିକାଲ ଅଣାଯାଇଥିଲା। ଲକ୍ଷଣଯୁକ୍ତ ୨୧ ଜଣ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ମେଲେରିଆ ହୋଇଥିବା ସୂଚନା ମିଳିଛି। ସେମାନେ ହେଲେ ମାଳୁକୁ ପ୍ରଧାନ(୭୦), ମାଖୁନି ପ୍ରଧାନ(୧୩), ସୁନିଆଁ ପ୍ରଧାନ(୧୨), ରମଣି ପ୍ରଧାନ(୬୫), ସଞ୍ଜୟ ପ୍ରଧାନ(୩), ଚାନ୍ଦନି ପ୍ରଧାନ(୪୫), ଶୁକ ପ୍ରଧାନ(୧୨), ଜାମୁନି ପ୍ରଧାନ(୨୫), ଲକ୍ଷ୍ମୀ ପ୍ରଧାନ(୩୮), ସିଧ ପ୍ରଧାନ(୨୫), କୁସୁମାଇ ପ୍ରଧାନ(୬), ଅମିନ ପ୍ରଧାନ(୪୫) ଓ ବୁଦୁଆ ପ୍ରଧାନ(୪୦) ।
ଏତେ ସଂଖ୍ୟକ ରୋଗୀଙ୍କ ଲାଗି ମେଡିକାଲରେ ଶଯ୍ୟା ଅଭାବ ଥିବାରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତଙ୍କୁ ମେଡିକାଲ୍ ସଭାଗୃହରେ ଅବସ୍ଥାନ କରିବାର ବନ୍ଦୋବସ୍ତ କରାଯାଇଥିଲା। ଗତକାଲି ରାତିରେ ରୋଗୀମାନଙ୍କୁ ବଟିକା ଓ ଇଞ୍ଜେକ୍ସନ ଦିଆଯାଇଥିଲା। ଆଜି ସକାଳୁ ପୁଣି ଇଞ୍ଜେକ୍ସନ ଦିଆଯିବ ବୋଲି ଅଧିକାଂଶ ରୋଗୀଙ୍କୁ ଜଣାଯାଇଥିଲା। କିନ୍ତୁ ରାତିସାରା ସେମାନଙ୍କୁ ଇଞ୍ଜେକ୍ସନ ଛୁଞ୍ଚି ଫୋଡ଼ା ଡର ଘାରିଥିଲା। ଆଜି ସକାଳୁ ୧୯ ଜଣ ରୋଗୀ ମାଗଣା ସରକାରୀ ଚିକିତ୍ସା ସୁବିଧାକୁ ଆଡ଼େଇ ମେଡିକାଲ୍ ଛାଡ଼ି ଗାଁକୁ ପଳାଇବା ଯୋଜନା କରିଥିଲେ। ମେଡିକାଲ୍ ସମ୍ମୁଖ ଜାତୀୟ ରାଜପଥ-୫୩ରୁ ବସ୍ ଯୋଗେ କାଳିଆପାଣି ଆସିବା ପରେ ସେଠାରୁ ଚାଲିଚାଲି ଗାଁ ପହଞ୍ଚିବା ପାଇଁ କଥାବାର୍ତ୍ତା ହୋଇଥିଲେ।
ଏକଥା ମେଡିକାଲ୍ କର୍ତ୍ତୃପକ୍ଷଙ୍କ କାନରେ ପଡ଼ିଲା। ସେ ରୋଗୀଙ୍କୁ ବୁଝାଇ ସୁଝାଇ ପୁଣି ମେଡିକାଲ୍ ଫେରାଇ ନେବା ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ଗାଁ ଫେରିବା ଜିଦ୍ରେ ନଛୋଡ଼ବନ୍ଧା ଥିଲେ। ଦଳଦଳ ହୋଇ ସଡ଼କ ଉପରେ ଠିଆହୋଇ ରହିଥିଲେ। ଯେତେ ବୁଝାଇଲେ ବି ମେଡିକାଲ୍ ହତା ଭିତରେ ପଶିବାକୁ ନାରାଜ୍ ହୋଇଥିଲେ। ବାଧ୍ୟହୋଇ ବିଭାଗୀୟ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ଗାଁକୁ ପଠାଇ ଦେଇଥିବା ସୂଚନା ମିଳିଛି।