ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ବିତନା ହାଟରେ ପୋଡ଼ାଜଳା, ଭଙ୍ଗାରୁଜା

ଅଭିଯୁକ୍ତ ଗିରଫ, ଗାଁରେ ଉତ୍ତେଜନା ଜାରି

ବିଂଝାରପୁର : ଜଣେ ନାବାଳିକାଙ୍କୁ ଚକୋଲେଟ୍‌ ଦେବା ବାହାନାରେ ଘରେ ପୂରାଇ ଦୁଷ୍କର୍ମ ଉଦ୍ୟମ ହୋଇଛି। ପିଲାଟି କନ୍ଦାକଟା କରିବାରୁ ଲୋକେ ତାକୁ ଉଦ୍ଧାର କରିଥିଲେ। ସଂପୃକ୍ତ ଯୁବକ ଖସି ଯିବାକୁ ଚେଷ୍ଟା କରିଥିଲେ ହେଁ ଲୋକଙ୍କ ହାବୁଡ଼ରେ ପଡ଼ି ଛେଚା ଖାଇଛି। ଘଟଣାକୁ କେନ୍ଦ୍ରକରି ବିତନା ହାଟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ମହିଳାମାନେ ସଂପୃକ୍ତ ଯୁବକଙ୍କ ପାନ ଦୋକାନକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବିତନା ପଞ୍ଚାୟତର ଜଣେ ନାବାଳିକା ସାଙ୍ଗଙ୍କ ସହିତ ଆଧାରକାର୍ଡ ଜେରକ୍ସ କରିବା ପାଇଁ ପ୍ରୀତିପୁର ଛକକୁ ଆସିଥିଲେ। ଜେରକ୍ସ ସାରି ଚକ୍‌ଲେଟ୍‌ ପାଇଁ କେଶବ ମଳିକଙ୍କ ଦୋକାନକୁ ଯାଇଥିଲେ। ଚକଲେଟ ମାଗିବାରୁ ଦୋକାନୀ ଏଠି ଭଲ ଚକ୍‌ଲେଟ ନାହିଁ, ସେ’ଘରୁ ଚକ୍‌ଲେଟ ଆଣିବାକୁ ଦୋକାନୀ କହିଥିଲେ। ନାବାଳିକା ଜଣକ ଘର ଭିତରକୁ ଯିବାକୁ ମନା କରିବାରୁ କେଶବ ତାକୁ ଜୋରଜବରଦସ୍ତ ଦୋକାନ ଭିତରେ ପୂରାଇ କବାଟ କିଳି ଦେଇଥିଲେ। ପରେ ତାଙ୍କ ସାଙ୍ଗରେ ଅସୌଜନ୍ୟ ବ୍ୟବହାର କରିବାରୁ ନାବାଳିକା ଜଣକ ଚିତ୍କାର କରିଥିଲେ। ଚିତ୍କାର ଶୁଣି ସାଙ୍ଗରେ ଥିବା ଅନ୍ୟ ୨ଜଣ ଝିଅ ଘରକୁ ଧାଇଁ ଯାଇଥିଲେ।

ଘର ଲୋକଙ୍କ ଆଗରେ ସବୁ କଥା କହିବାରୁ ଘର ଲୋକେ ସେଠାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ କେଶବକୁ କାବୁ କରିନେଇଥିଲେ। ତାକୁ ଉତ୍ତମମଧ୍ୟମ ଦେଇଥିଲେ। ଏତିିକିରେ ରାଗ ଶାନ୍ତ ହୋଇ ନଥିଲା। ତାଙ୍କ ପାନ ଦୋକାନକୁ ଭାଙ୍ଗି ଦେବା ସହ ସେଥିରେ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତି ଗମ୍ଭୀର ହେବାରୁ କେହି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଅଳକୁଣ୍ଡ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି କେଶବକୁ ଗିରଫ କରିବା ସହିତ ଫାଣ୍ଡିକୁ ନେଇଥିଲେ। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। କେଶବ ଗତ କିଛିଦିନ ତଳେ ଗ୍ରାମର ଜଣେ ମହିଳାଙ୍କ ସହିତ ଅସୌଜନ୍ୟ ବ୍ୟବହାର କରିଥିଲେ। ଏ ଘଟଣାରେ କେଶବଙ୍କୁ ଗାଁରେ ୩ ଦିନ ବାନ୍ଧି ରଖାଯାଇଥିଲା।

ବିଂଝାରପୁର ପୁଲିସ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୫୫୪ ଦଫାରେ ୩୭୭/୧୭ର ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର