ଯାଜପୁର:   ମଟର ସାଇକେଲ ଅଛି ବୋଲି ରାସନ କାର୍ଡରୁ ବାଦ୍ ବୁଣାକାର ଯୁବକ। ଦିନ ମଜୁରିଆ ଭାବେ କାମ କରୁଥିଲେ ମଧ୍ୟ ରାସନକାର୍ଡ ଟିଏ ପାଇଁ ଦୀର୍ଘ ୫ ବର୍ଷ ହେଲା ଧାଇଁ ଧାଇଁ ଏବେ ନିରାଶ । କାରଣ  ହକ୍ ପାଇବାର ଶେଷ ଆଶା ନେଇ ଜିଲ୍ଲାପାଳଙ୍କୁ ଭେଟିଥିବା ବେଳେ ଜିଲ୍ଲାପାଳଙ୍କ ପାଖରୁ ନିରାଶ ହୋଇଛନ୍ତି।  କାରଣ ଜିଲ୍ଲାପାଳ ଅଭିଯୋଗ ପତ୍ରରେ ଦୁଇ ଚକିଆ ଗାଡି ଥିବାରୁ ରାସନ ମିଳିପାରିବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଯାହାକୁ ନେଇ ଯୋଗ୍ୟ ହିତାଧିକାରୀ ନିରାଶ ହୋଇଥିବା ‌ବେଳେ ଜିଲ୍ଲାପାଳଙ୍କ ଏପରି ଲେଖାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟ ‌ପଟେ ହିତାଧିକାରୀ ପ୍ରଶାସନ ଠାରୁ ନିରାଶ ହେବା ପରେ ଏବେ କୋର୍ଟର ଦ୍ବାରସ୍ଥ ହେବାକୁ  ଅଣ୍ଟା ଭିଡିଛନ୍ତି।

Advertisment

ସୂଚନା ଅନୁସାରେ ରସୁଲପୁର ବ୍ଲକ୍ ପ୍ରଥମାଖଣ୍ଡି ପଞ୍ଚାୟତ ଚକ ଗୋପାଳ ପୁର ଗ୍ରାମର ଭରତ  ଚନ୍ଦ୍ର ଗୁଇଁ। ପାରିବାରିକ ଅସନ୍ତୋଷ ଯୋଗୁ ସ୍ତ୍ରୀ ଓ ପିଲାକୁ ଘରି  ଭାଇମାନଙ୍କ ଠାରୁ ଅଲଗା ହୋଇଥିବା ବେଳେ ଏବେ ଆଜବେଷ୍ଟ ଘରେ ମୁଣ୍ଡ ଗୁଞ୍ଜୁଛନ୍ତି । କୁଣାକାର କାମ କରି କିଛି ଟଙ୍କା ରୋଜଗାର କରୁଥିବା ବେଳେ ଏବେ  ରାସନ ପାଇଁ ୫ ବର୍ଷ ହେଲା ଦୈଡି ଦୈଡି ନିରାଶ‌ ହେଉଛନ୍ତି।  ରାସନ ଖଣ୍ଟିଏ ପାଇଁ  ଜିଲ୍ଲା ସ୍ତରରୁ ନିରାଶ ହୋଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିବା ବେଳେ ସେଠାରୁ  ଭରତଙ୍କ ତଦନ୍ତ କରି  ରାସନ କାର୍ଡ ଯୋଗାଇ ଦେବାକୁ ଆସିଥିବା ନିର୍ଦ୍ଦେଶକୁ ଚାପି ଦିଅଯାଇଥିବା ସେ ଅଭିଯୋଗ କରିଛନ୍ତି। କାର୍ଡ ପାଇଁ ଅନେକ ଥର ରସୁଲପୁର ବିଡିଓ, ଯୋଗାଣ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟି ମଧ୍ୟ ସୁଫଳ ପାଇ ପାରିନାହାନ୍ତି। ତେବେ ରସୁଲପୁର ବ୍ଲକର ଯୋଗାଣ ଅଧିକାରୀଙ୍କ ନାମରେ ଭରତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିବାରୁ ଜିଲ୍ଲା ଯୋଗାଣ ଅଧିକାରୀ ବ୍ଲକ୍ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ତେବେ ସେହି ରାଗ ରଖି ଉଦେଶ୍ୟ ମୂଳକ ଭାବେ ଭରତଙ୍କୁ କାର୍ଡରୁ ବଂଚିତ କରାଯାଇଛି ବୋଲି ଅଭିଯୋଗ ହୋଇଛି । ପଞ୍ଚାୟତର  ସରପଞ୍ଚ, ୱାର୍ଡ ମେମ୍ବର ସମସ୍ତେ ଭରତଙ୍କ ଅବସ୍ଥା ଜାଣିଥିବା ବେଳେ ରାସନ ପାଇଁ ମଧ୍ୟ ସୁପାରିଶ କରିଛନ୍ତି। କିନ୍ତୁ ଭରତଙ୍କୁ ନ୍ୟାୟ ମିଳିପାରିନାହିଁ।  ତେବେ ନୂ୍ଆ କରି ଯୋଗ ଦେଇଥିବା ଚକ୍ରବର୍ତ୍ତି ସିଂ ରାଠୋରଙ୍କ ଠାରୁ ନ୍ୟାୟ ପାଇବା ଆଶାରେ ଆସିଥିବା ଭରତ ପୁନର୍ବାର ନିରାଶ ହୋଇଛନ୍ତି। କାରଣ ଜିଲ୍ଲାପାଳ ଭରତକୁ ରାସନ ମିଳିବନି ବୋଲି ସିଧା ମନା କରି ଦେଇଛନ୍ତି। ସେ ନ ମିଳିବାର କାରଣ ଜାଣିବାକୁ ଚାହିଁଥିବା ବେଳେ ଜିଲ୍ଲାପାଳ  ଅଭିଯୋଗ ପତ୍ରରେ ଭରତଙ୍କ ଦୁଇ ଚକିଆ ବାଇକ ଥିବାରୁ ସେ ସ୍ବଚ୍ଛଳ ଓ ତାଙ୍କର ରାସନ କାର୍ଡ ପାଇଁ ଯୋଗ୍ୟ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯଦି ଜିଲ୍ଲାପାଳଙ୍କ ମତରେ ଦୁଇ ଚକିଆ ସାଇକେଲ ଥିରେ ଜଣେ ବ୍ୟକ୍ତି ରାସନରୁ ବଂଚିତ ହେବ ତେବେ ଏହି ନିୟମ କାର୍ଯ୍ୟକାରୀ କଲେ ଜିଲ୍ଲାର ବୈଧ ରାସନକାର୍ଡ ତାଲିକାରୁ  ୮୦ ପ୍ରତିଶତ ବାଦ ପଡିଯିବେ। ତେବେ ଅନ୍ୟ ପଟେ ଏନେଇ ବ୍ଲକ ଯୋଗାଣ ଅଧିକାରୀ ଟୁନାରାଣୀ ସାହୁଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ କୋଠା ଘରେ ରହୁଥିବାରୁ ତାଙ୍କୁ ରାସନ ମିଳିପାରିବ ନାହିଁ ବୋଲି କହିଛନ୍ତି। କିନ୍ତୁ ଯୋଗାଣ ଅଧିକାରୀ ଭରତଙ୍କ ଭାଇ ରହୁଥିବା ଘରର ଫଟୋ ଉଠାଇ ମିଥ୍ୟା‌ ଅଭିଯୋଗ ଉଠାଉଥିବା ହିତାଧିକାରୀ ଦାବି କରିଛନ୍ତି। ଗୋଟିଏ ପଟେ ଜିଲ୍ଲାପାଳ କହୁଛନ୍ତି ତାଙ୍କର ଦୁଇ ଚକିଆ ଗାଡି ଅଛି ଓ ଅନ୍ୟ ପଟେ ଏମଆଇ କହୁଛନ୍ତି ‌ସେ କୋଠା ଘରେ ରହୁଛନ୍ତି। ତେବେ ଏହି ପ୍ରଶାସନିକ ଟଣା ଓଟରା ମଧ୍ୟରେ ନିରାଶ ଭରତ ମାନବାଧିକାର କମିଶନ ଓ କୋର୍ଟର  ଦ୍ବାରସ୍ଥ ହେବାକୁ ସ୍ଥିର କରିଛନ୍ତି ।