ଭୁବନେଶ୍ବର: ଗତକାଲି ଦୁର୍ଘଟଣା ଘଟି ବିଭିନ୍ନ ଜିଲ୍ଲାରେ ‌‌ଗୋରୁ ସହିତ ଅନେକ ମଣିଷଙ୍କ ଜୀବନ ଯାଇଛି। ନିମ୍ନରେ ସେ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରଯାଇଛି।

Advertisment

ବସ୍‌ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ
ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ-ପାଟଣା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ବୈତରଣୀ ନଦୀ ପୋଲ ନିକଟରେ ଏକ ବସ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଗାଁ ବ୍ଲକ୍‌ ବାର୍‌ହାଟିପୁରା ଗ୍ରାମର ଶ୍ରୀହରି ନାଏକ (୧୮) ଓ ତରା ଗ୍ରାମର କାହ୍ନା ମହାରଣା (୧୮) ଦୁଇସାଙ୍ଗ। ଉଭୟ ଏକ ବାଇକ୍‌ରେ ଧାନବେଣିରୁ ପାଟଣା ଆଡ଼କୁ ଆସୁଥିଲେ। ବୈତରଣୀ ପୋଲ ନିକଟରେ ସାହାରପଡା ବ୍ଲକ୍‌ ତାଳପଦା ଗାଁକୁ ଯାଉଥିବା ଏକ ଘରୋଇ ବସ୍‌ ସହ ବାଇକ୍‌ଟି ମୁହାଁମୁହିଁ ଧକ୍କା ହେଇଥିଲା। ଘଟଣାସ୍ଥଳରେ ବାଇକ୍‌ ଚଲାଉଥିବା ଶ୍ରୀହରିଙ୍କ ମୃତ୍ୟୁ ଘଟିଛି। ପଛରେ ବସିଥିବା କାହ୍ନା ଗୁରୁତର ଆହତ ହୋଇଛନ୍ତି। ପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ କାହ୍ନାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ୍‌ଆଇ ମନୋରମା ସ୍ୱାଇଁ ଘଟଣାର ତଦନ୍ତ କରୁଛନ୍ତି।
ବୁଡ଼ିଯାଇ ଜଣେ ମୃତ
ହାଟଡିହି: ଆନନ୍ଦପୁର ଭଦ୍ରକ ରାସ୍ତାର ଚୋରଗଡ଼ିଆ ଛକ ନିକଟରେ ଥିବା ନାୟନଜୋରିରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଉପେନ୍ଦ୍ର ସାହୁ (୪୧) ନୟନଜୋରିକୁ ଶୌଚ ହେବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ପରେ ପାଣି ଭିତରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମଳିଥିଲା। ଖବର ପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ
ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋର ସମୟରେ ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତକ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଖଡ଼ିମାହାରୀ ଗ୍ରାମର ଦେବେନ୍ଦ୍ର ରାଉତ(୫୩) ଓ ଆହତ ମହିଳା ଆରତୀ ରାଉତ(୪୧)। ପ୍ରକାଶ ଯେ, ଆରତୀଙ୍କୁ ବାଇକ୍(ଓଡି-୦୧ଏଆର୍-୨୦୨୨)ରେ ବସାଇ ଦେବେନ୍ଦ୍ର କଟକରୁ ଘରକୁ ଫେରୁଥିଲେ। ନେଉଳପୁର ଛକ ନିକଟରେ ଏକ ଅଜଣା ଟ୍ରକ୍ ବାଇକ୍‌କୁ ଧକ୍କାଦେଇ ଚାଲି ଯାଇଥିଲା। ଏଥିରେ ଉଭୟ ଦେବେନ୍ଦ୍ର ଓ ଆରତୀ ଆହତ ହୋଇଥିଲେ। ଚଣ୍ତିଖୋଲ ଦମକଳ ବାହିନୀ ଉଭୟଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତର ଦେବେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଆରତୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ପୁଲିସ୍‌ ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିବା ସହିତ ୪୭୫/୨୩ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ
ଚଢ଼େଇଧରା: ଜେନାପୁର ଥାନା ଅଧୀନ ରାହାଡ଼ପୁର-ବାଟିଯୋଡ଼ା ରାସ୍ତାରେ ହାଇୱା ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲା ରାଜରପା ଥାନା ଅଧୀନ ଉକ୍ରିଦ ଗ୍ରାମର ଭୁନେଶ୍ୱର୍ ମାହୋତଙ୍କ ପୁଅ ନୀତିଶ କୁମାର(୪୦)। ଗତ ଶୁକ୍ରବାର ରାତିରେ ନୀତିଶ ବାଟିଯୋଡ଼ା ବାଜାରରୁ ଫେରୁଥିବା ବେଳେ ରାହାଡ଼ପୁର ପଟୁ ଆସୁଥିବା ଏକ ଚିପ୍ସ ବୋଝେଇ ହାଇୱା ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଏକ ପାହାଡ଼ରେ ନୀତିଶ କାମ କରୁଥିଲେ ବୋଲି ଚର୍ଚ୍ଚା ହେଉଛି। ଜେନାପୁର ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ଏସଆଇ ବାସୁଦେବ ପରିଡ଼ା ସୂଚନା ଦେଇଛନ୍ତି।
ଟ୍ରେନରେ କଟି ପାନ ବେପାରୀ ମୃତ
କବାଟବନ୍ଧ: ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ସେଣ୍ତସାହି ଗ୍ରାମର ଲକ୍ଷ୍ମୀଧର ସେନଙ୍କ ପୁଅ ବାବୁଲି (୫୫)ଙ୍କର ଆଜି ଟ୍ରେନ୍‌ରେ କଟି ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ଣ ୯ଟା ବେଳେ ଜେନାପୁର ଥାନା ଚଉଷଠିପଡ଼ା ଗ୍ରାମ ନିକଟ ବ୍ରାହ୍ମଣୀ ରେଳ ବ୍ରିଜ୍‌ ନିକଟ ଡାଉନ୍‌ ଲାଇନ୍‌ରେ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା। ପାନପତ୍ର ବ୍ୟବସାୟ କରି ସେ ପରିବାର ପ୍ରତିପୋଷଣ କରୁଥିଲେ।
ବିରୂପା ନଦୀପଠାରୁ ଗଳିତ ମୃତଦେହ ଉଦ୍ଧାର
ରତ୍ନଗିରି: ବରୀ ଥାନା ଅଧୀନସ୍ଥ ଅମଠପୁର ପଞ୍ଚାୟତ କମ୍ପଗଡ଼ ବିରୂପା ପୋଲ ନିକଟରୁ ଏକ ଅଜଣା ଗଳିତ ଶବ ଉଦ୍ଧାର କରାଯାଇଛି। ଆଜି ସକାଳୁ ସ୍ଥାନୀୟ ଲୋକେ ବିରୂପା ନଦୀ ପଠାକୁ ଯାଇଥିବା ବେଳେ କମ୍ପଗଡ଼ ପୋଲ ଠାରୁ ୫୦ ମିଟର ଦୂରରେ ଏକ ଗଳିତ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃ‌ତଦେହଟି ସଂପୂର୍ଣ୍ଣ ପଚି ଯାଇଥିଲା। ସ୍ଥାନୀୟ ଲୋକେ ବରୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ସଦଳବଳ ପହଞ୍ଚି ଶବ ଉଦ୍ଧାର କରିବା ସହ ୨୦/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମୃତଦେହଟି ବନ୍ୟାଜଳରେ ଭାସି ଆସିଥିବା ସନ୍ଦେହ କରାଯାଉଛି। ତେବେ ସମ୍ପୂର୍ଣ୍ଣ ପଚି ଯାଇଥିବା ଏହି ମୃତଦେହ ୪ ଦିନ ତଳର ବୋଲି ପୁଲିସ କହିଛି।

ଟ୍ରକ ଧକ୍କାରେ ୫ ଗୋରୁ ମୃତ
ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ୫ ଗୋରୁଙ୍କ ମୃତ୍ୟୁ ଘଟିଛି। କଟକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଅଜଣା ଟ୍ରକ ପାଣିକୋଇଲି ଛକ ନିକଟରେ ରାସ୍ତାରେ ୫ଗୋରୁଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଘଟଣାସ୍ଥଳରେ ୩ଟି ଗାଈ ଓ ୨ଟି ଷଣ୍ଢର ମୃତଦେହ ପଡ଼ିରହିଥିଲା ହେଲପିଙ୍ଗ ଗ୍ରୁପର ଉପଦେଷ୍ଟା ଅଶୋକ କୁମାର ବଳଙ୍କ ନିର୍ଦେଶକ୍ରମେ ସଭାପତି ଅଶୋକ କୁମାର ଦାସ, ଜନ୍ମେଜୟ ବିଶ୍ୱାଳ, ତାରିଣୀ ପଟ୍ଟନାୟକ, ମେଘନାଦ ଜେନା ପହଞ୍ଚି ମୃତଦେହକୁ ଜେସିବି ମେସିନ ସାହାଯ୍ୟରେ ଉଦ୍ଧାର କରିଥିଲେ।