ରାସ୍ତାରେ ଚାଲିଛି ମାର୍କେଟିଂ ଫି’ ଆଦାୟ :ଆର୍‌ଏମ୍‌ସି-ବେପାରି ମୁହାଁମୁହିଁ

କୁଆଖିଆ : ସରକାର ଚାଷୀମାନଙ୍କ ଉପରୁ ଟିକସ ଭାର କମାଇବା ଲକ୍ଷ୍ୟରେ ମାର୍କେଟିଂ ଚେକ୍‌ ଗେଟ୍‌ଗୁଡିକୁ୨୦୧୭ ଏପ୍ରିଲ୍‌ ପହିଲାରେ ଉଚ୍ଛେଦ କରିଥିଲେ । ମାତ୍ର ଦୁଃଖ ଓ ପରିତାପର ବିଷୟ ମାର୍କେଟିଂ ଚେକ୍‌ ଗେଟ୍‌ ଗୁଡିକ ସରକାରୀ ଭାବେ ଉଚ୍ଛେଦ ହୋଇଥିଲେ ମଧ୍ୟ ରାସ୍ତା ଘାଟରେ ଯାଜପୁର ଆର୍‌.ଏମ୍‌.ସି. କର୍ମଚାରୀମାନେ ଜୋର୍‌ଜବରଦସ୍ତ ମାର୍କେଟିଂ ଫି ଆଦାୟ କରୁଛନ୍ତି। ଏହାକୁ ନେଇ ଆରଏମ୍‌ସି କର୍ତୃପକ୍ଷ ଏବଂ ବେପାରୀ ମୁହାଁମୁହିଁ ହୋଇଛନ୍ତି।
ସ୍ଥାନୀୟ ଏସ୍‌କେ ଲଜ୍‌ରେ ଉତ୍କଳ ବଣିକ ସଂଘ ଓ ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଆହୁତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଆର୍‌ଏସ୍‌ସିର କାର୍ଯ୍ୟକୁ ତୀବ୍ର ବିରୋଧ କରାଯାଇଛି। ଯଦି ବିହିତ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ଧମକ ଦିଆଯାଇଛି।
ସୂଚନା ହେଲା, ସରକାର ରେଗୁଲେଟେଡ୍‌ ମାର୍କେଟ୍‌ କମିଟି ଗଠନ କରି ଚାଷୀ ଓ ବ୍ୟବସାୟୀଙ୍କ ଠାରୁ ୨ ପ୍ରତିଶତ ଫି ଆଦାୟ ବ୍ୟବସ୍ଥା କରିଥିଲେ।

ଆଦାୟ ଟଙ୍କାରେ ଚାଷୀମାନଙ୍କ ପାଇଁ ମଣ୍ଡି ସ୍ଥାପନ କରବା ସହ ଆଲୋକ, ଜଳ, ଗୋଦାମ ଗୃହ ଓ ଶୀତଳ ଭଣ୍ଡାର ଆଦି ବ୍ୟବସ୍ଥା କରିବେ। ମାତ୍ର ଏହି ମୌଳିକ ସୁବିଧା ଯୋଗାଇ ନ ଦେଇ ଫି ଆଦାୟ କରାଯାଉଛି। ଜିଲ୍ଲା ପ୍ରଶାସନ ଆର୍‌ଏମ୍‌ସି କମିଟି ଗଠନ ପାଇଁ ଆଗ୍ରହ ଦେଖାଉନାହିଁ । ଯାଜପୁର ଉପଜିଲ୍ଲାପାଳ ସଭାପତି ଓ ଜଣେ ସରକାରୀ ଅଧିକାରୀ ସଂପାଦକ ଭାବରେ କାଯ୍ୟର୍ କରିବା ସହିତ ଚାଷୀ ପ୍ରତିନିଧିମାନେ ଏହି କମିଟିରେ ସଭ୍ୟ ରହିବା ପାଇଁ ନିୟମ ଧାଯ୍ୟର୍ ହୋଇଛି । ଯାଜପୁର ଆର୍‌ଏମ୍‌ସି ଗତ ୮ ବର୍ଷ ଧରି ଗଠିତ ହୋଇନାହିଁ ।
ଯାହା ସୂଚନା ମିଳିଛି ଏଯାବତ୍‌ କୋଟିଏରୁ ଅଧିକ ଟଙ୍କା ଆଦାୟ ହୋଇସାରିଥିବା ବେଳେ ସେଥିରୁ ବେଆଇନ୍‌ ଭାବେ ୭୦ ଲକ୍ଷ ଟଙ୍କା ଖର୍ଚ ସରିଛି। କୁଆଖିଆ , ଜାରକା ଓ ବାରବାଟୀ ପ୍ରଭୃତି ବ୍ୟବସାୟିକ ସ୍ଥାନରେ ମଣ୍ଡି ଖୋଲାଯାଇନାହିଁ । ମଣ୍ଡି ଖୋଲାଯାଇଥିବା ସ୍ଥାନରେ ଗୋଦାମ ଘର ଓ ଶୀତଳ ଭଣ୍ଡାର ନାହିଁ। ସାମ୍ବାଦିକ ସମ୍ମିଳନୀରେ ଓଡିଶା ବଣିକ ସଂଘ କୁଆଖିଆର ସଭାପତି ସନାତନ ନାୟକ, ଉପସଭାପତି ଅବଦୁସ୍‌ ସକୁର୍‌, ସଂପାଦକ ଅର୍ଜୁନ ସାହୁ , ନବ ନିର୍ମାଣ ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, ଜିଲ୍ଲା ସହ ସଂଯୋଜକ ଦୁର୍ଗାପ୍ରସାଦ ଦାସ, ଚାଷୀ ନେତା ବସନ୍ତ ପରିଡା ଓ ନକୁଳ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସରକାର ଏହି ଘଟଣାରେ ହସ୍ତକ୍ଷେପ କରି ଏକ ସମାଧାନର ସୂତ୍ର ବାହାର ନ କଲେ ଆଗାମୀ ଦିନରେ ଚାଷୀ ଓ ବ୍ୟବସାୟୀଙ୍କ ଆନ୍ଦୋଳନକୁ ସାମ୍ନା କରିବେ।

ସମ୍ବନ୍ଧିତ ଖବର