ଯାଜପୁର: ଛାତ୍ରଛାତ୍ରୀ ଇଚ୍ଛା ବିରୋଧୀ କୌଣସି ବୃତ୍ତି ଚୟନ କରିବା ଉଚିତ ନୁହେଁ। ପିତାମାତା ମଧ୍ୟ ନିଜର ଇଚ୍ଛାକୁ ପିଲାମାନଙ୍କ ଉପରେ ଲଦି ଦିଅନ୍ତୁ ନାହିଁ। ପ୍ରବୃତ୍ତି ଅନୁଯାୟୀ ବୃତ୍ତି ଚୟନ କରିବାକୁ ଦିଆଯାଉ ବୋଲି ବିଶିଷ୍ଟ ବକ୍ତାମାନେ ଆଜି ଯାଜପୁରରୋଡ ସ୍ଥିତ କ୍ରିଷ୍ଣା ଗାର୍ଡେନଠାରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ମାଟ୍ରିକ୍ ଚାମ୍ପିଅନ୍ସ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।
‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯାଜପୁର ଏସ୍ପି ରାହୁଲ ପିଆର୍ ଯୋଗଦେଇ କହିଥିଲେ ଯେ ‘ସବୁ କାର୍ଯ୍ୟ ପାଇଁ ଉଦ୍ୟମ ଲୋଡ଼ା। ମାତ୍ର ସବୁ ଉଦ୍ୟମ ଯେ ସଫଳ ହେବ ତାହା ନୁହେଁ। ଏହି କାରଣରୁ ଓହରି ଯିବା ଠିକ୍ ନୁହେଁ। ତେଣୁ ବ୍ୟକ୍ତିଗତ ଅଭିଳାଷକୁ ବୃହତ୍ତର ଲକ୍ଷ୍ୟ ସହ ଯୋଡ଼ାଯିବା ଆବଶ୍ୟକ। ସମାଜର ବୃହତ୍ତର ଲକ୍ଷ୍ୟ ଯଦି ବ୍ୟକ୍ତିଗତ ଲକ୍ଷ୍ୟ ସହ ଯୋଡ଼ି ହେଇଯିବ, ସେତେବେଳେ ସଫଳତା ନିଶ୍ଚିତ ମିଳିବ। ଜୀବନ ଗୋଟିଏ ପରୀକ୍ଷା ନୁହେଁ। ଜୀବନରେ କ’ଣ କରିବେ, ଲକ୍ଷ୍ୟ କଣ ହେବା ଆବଶ୍ୟକ ସେ ସମ୍ପର୍କରେ ଭାବିବା ଦରକାର।’
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୁଶଚନ୍ଦ୍ର ପ୍ରଧାନ କହିଥିଲେ ଯେ ‘ଏଠି ଏବେ ମଣିଷପଣିଆର ଅଭାବ ଦେଖାଦେଇଛି। ଛାତ୍ରଛାତ୍ରୀମାନଙ୍କ ଆଦର୍ଶ ହେଉଛି ଉପହାର। ଆଦର୍ଶର ମଞ୍ଜି ଯେଉଁଠି ବୁଣାଯାଇଛି ସେଠି ସଫଳତା ମିଳିଛି। ସେ ଆହୁରି କହିଥିଲେ ଯେ ଆଜିକାଲି କେତେକ କ୍ଷେତ୍ରରେ ଗୁରୁଶିଷ୍ୟ ପରମ୍ପରାରେ ଭଟ୍ଟା ଦେଖାଦେଉଛି। ଶିକ୍ଷକମାନେ ନିଜ କାର୍ଯ୍ୟକୁ ନିସ୍ବାର୍ଥପର ଭାବରେ ସମ୍ପାଦନ କରି ନୂଆ ପୃଥିବୀ ଓ ନୂଆ ସମାଜ ଗଠନରେ ପ୍ରମୁଖ ଭୂମିକା ନିଭାଇବା ଦରକାର।’
‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ତାଙ୍କ ସଭାପତି ଅଭିଭାଷଣରେ କହିଥିଲେ ଯେ ‘ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ମେଳ ରହିଲେ ଅଦ୍ଭୁତ ସଫଳତା ମିଳିଥାଏ। ଖଣିଜ ସଂପଦରେ ଭରପୂର କେନ୍ଦୁଝର ଓ ଯାଜପୁର ଜିଲ୍ଲାର ମୂଲ୍ୟବାନ ମାଟି ସଂପର୍କରେ ଛାତ୍ରଛାତ୍ରୀମାନେ ସଚେତନ ହେବା ଉଚିତ। କେବଳ ବଗିଚାରେ ଗେଣ୍ଡୁଫୁଲ ଥିଲେ ଚଳିବ ନାହିଁ। ସବୁ ଫୁଲ ଥିଲେ ବଗିଚା ସୁନ୍ଦର ଦିଶେ।’ ଏହାଛଡ଼ା କର୍ମବୀର ଗୌରୀଶଙ୍କର ରାୟଙ୍କ ଦୃଷ୍ଟାନ୍ତ ଦେଇ ମହାପୁରୁଷଙ୍କ ଜୀବନୀ ପଢ଼ିବାକୁ ପରାମର୍ଶ ଦେଇଥିଲେ। ସଫଳତା ବଜାୟ ରଖିବା ପାଇଁ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ।
‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ଦେଇ ଛାତ୍ରଛାତ୍ରୀମାନଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ। ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁକରଙ୍କ ଉଦାହରଣ ଦେଇ ଗୁରୁଶିଷ୍ୟ ପରମ୍ପରା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଜ୍ଞାନ ଆହରଣ କରିବାକୁ ହେଲେ ନିଜର ବିଚାର ଶକ୍ତିକୁ ସୁଦୃଢ଼ କରିବାକୁ ହେବ। ପାଠ ପଢ଼ିବା ସହିତ ସନ୍ଦେହ ଦୂର ହେବା ଦରକାର ବୋଲି ସେ କହିଥିଲେ।
ପ୍ରାରମ୍ଭରେ ଯାଜପୁର ସଂସ୍କରଣର ସହକାରୀ ମହାପ୍ରବନ୍ଧକ(ବାର୍ତ୍ତା) ପ୍ରଦୀପ କୁମାର ମହାପାତ୍ର ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଦେଇ ସମୟ ଆସିଲେ ସମସ୍ତେ ଚମକିବେ। ଏଥିପାଇଁ ପିଲାଙ୍କୁ ଚାପଗ୍ରସ୍ତ କରାଯିବା ଉଚିତ ନୁହେଁ ବୋଲି କହିଥିଲେ।
ଜିଲ୍ଲା ପ୍ରତିନିଧି ସଂଗ୍ରାମ କେଶରୀ ସିଂ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ମେଧାବୀ ମାଟ୍ରିକ୍ ଛାତ୍ରଛାତ୍ରୀ ଏବଂ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ , ଚଣ୍ଡିଖୋଲ ପ୍ରତିନିଧି ଭକ୍ତଚରଣ ସାହୁ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ସହସମ୍ପାଦକ ଚିତ୍ତରଂଜନ ବେହେରା ଧନ୍ୟବାଦ ଦେଇଥିଲେ। ବିଜ୍ଞାପନ ବିଭାଗର ଡିଜିଏମ୍ ସଞ୍ଜୟ ଗୌର୍, ସଞ୍ଜୟ ପାତ୍ର ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ପ୍ରସାର ଅଧିକାରୀ ସୁଧାଂଶୁ ଶେଖର ନାୟକ, ବିଜ୍ଞାପନ ଅଧିକାରୀ ଚନ୍ଦନପ୍ରକାଶ ପାତ୍ର, ପାର୍ଥସାରଥି ନାୟକ, ବିତ୍ତ ବିଭାଗ ମାନସ ପରିଡ଼ା, ବିଜୟ ସାହୁ, ମାନସ ବେହେରା, ପ୍ରଦୀପ ଦାସ, ସଂଜୀବ ମହାନ୍ତ, ଗିରିଜା ବେହେରା, ପୀତବାସ ଭୂୟାଁ, ପ୍ରଦୀପ ଜେନାଙ୍କ ସମେତ ଦୁଇ ଜିଲ୍ଲାର ସମ୍ବାଦ ପ୍ରତିନିଧିମାନେ ସହଯୋଗ କରିଥିଲେ।
‘ସମ୍ବାଦ’ ପକ୍ଷରୁ ଆୟୋଜିତ ମାଟ୍ରିକ୍ ଚାମ୍ପିଅନ୍ସ ସମ୍ବର୍ଦ୍ଧନା ଉତ୍ସବରେ ମେଧାବୀଙ୍କୁ ସମ୍ବର୍ଦ୍ଧନା
/sambad/media/post_attachments/wp-content/uploads/2022/07/4fbd6d53-44be-4a3a-bd78-b1033f9b51e3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)