ଯାଜପୁରସଦର: କୁଆଖିଆ-ଯାଜପୁର ୨୦ ନଂ ଜାତୀୟ ରାଜପଥ କଲେଜ ଛକଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ୪ ଘଣ୍ଟା ଧରି ରାସ୍ତା ଅବରୋଧ କରି ରଖିଥିଲେ। ଯାଜପୁର ଟାଉନ ଥାନା କଲେଜ ଛକ ନିକଟରେ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ବିଚିତ୍ରପୁର ପଞ୍ଚାୟତ ନାଏକ ସାହିର ଛୋଟୁ ନାୟକଙ୍କ ପୁଅ ଆଦର୍ଶ ନାୟକ (୭) ନିଜ ଭଉଣୀ ସହ ରାସ୍ତାକଡ଼ରେ ଥିବା ଦୋକାନକୁ ଆସିଥିଲା। ଭଉଣୀ ଦୋକାନରୁ ଜିନିଷ କିଣୁଥିବା ବେଳେ ଏକ ବାଇକ ଆଦର୍ଶକୁ ଧକ୍କା ଦେଇ ପଳାଇ ଯାଇଥିଲା। ପରିବାର ପକ୍ଷରୁ ତାକୁ ସଙ୍ଗେସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରୁ କଟକ ସ୍ଥାନାନ୍ତର ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କଟକରେ ଶିଶୁର ମୃତ୍ୟୁ ହୋଇଥିଲା।
ଏ ଘଟଣା ପରେ ପରିବାର ଓ ସାହିପଡ଼ିଶା ପ୍ରତିକ୍ରିୟାଶୀଳ ହୋଇ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଟାୟାର ଜାଳି ରାସ୍ତା ବନ୍ଦ କରିବା ଯୋଗୁଁ ଶହଶହ ଗାଡ଼ି ଛିଡା ହୋଇଥିଲା। ଖବର ପାଇ ଯାଜପୁର ଟାଉନ ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ। ତହସିଲଦାର ଅରବିନ୍ଦ ବେହେରା ପହଞ୍ଚି ରାସ୍ତାର ଉଭୟ ପାର୍ଶ୍ବରେ ହମ୍ପ୍ସ ନିର୍ମାଣ ପ୍ରତିଶ୍ରୁତି ସହ ରେଡକ୍ରସ ପାଣ୍ଠିରୁ ସହାୟତା ଘୋଷଣା ପରେ ରାସ୍ତାରୋକ ହଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/9aae6dca-671a-4f5e-8506-40f73e936248.jpeg)